• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାୟ ସମସ୍ତେ ଚାହାନ୍ତି ନିଜର ବିବାହକୁ ସ୍ମରଣୀୟ କରିବାକୁ । ନିଜର ଜୀବନ ସାଥୀକୁ କିଛି ସ୍ୱତନ୍ତ୍ର ଉପହାର ଦେବାକୁ । ବିବାହ ଉତ୍ସବରେ ଭୋଜିଭାତ, ଅତିଥି ଚର୍ଚ୍ଚା ଓ ମଉଜ ମଜଲିସକୁ ବିଶେଷକରି ଧ୍ୟାନ ଦିଆଯାଇଥାଏ । ବଲିଉଡ୍‌ ହେଉ କି ଯେ କୌଣସି ଗୀତରେ ପ୍ରାୟ ସମସ୍ତେ ଡ୍ୟାନ୍ସ ମଧ୍ୟ କରିଥା’ନ୍ତି ।

କେହି କେହି କିଛି ଫିଲ୍ମର ଡାଏଲଗ୍‌ ଖୁବ୍‌ ସୁନ୍ଦର ଭାବେ ଉପସ୍ଥାପନା କରି ଅତିଥିଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥା’ନ୍ତି । ତେବେ ବର୍ତ୍ତମାନ ବିବାହ ଉତ୍ସବକୁ ନେଇ ଆସିଛି ଆଉ ଏକ ରୋଚକ ଖବର । ଯାହା ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ନିଜର ବିବାହ ଉତ୍ସବରେ ବଲିଉଡ୍‌ର କିଙ୍ଗ୍‌ ଖାନଙ୍କ ଡାଏଲଗ୍‌ ମାରି ଜଣେ ବର ବିବାଦୀୟ ହେବା ସହ ଥାନାରେ ପହଞ୍ଚିଛନ୍ତି । ଖାଲି ବର ନୁହନ୍ତି ବରର ପରିବାରକୁ ମଧ୍ୟ ପୋଲିସ ଘଟଣାରେ ଥାନାକୁ ଡକାଇ ପଚରାଉଚରା କରୁଛି ।

ସୂଚନା ମୁତାବକ ଏପରି ଏକ ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଗତ ରବିବାର ଦିନ ଶାହାରୁଖ୍‌ ଖାନ୍‌ଙ୍କ ଡାଏଲଗ୍‌ ‘ମରତେ ଦମ୍‌ ତକ୍‌ ଲେକର ଯାଉଙ୍ଗା ଦୁଲହନ୍‌, ଆସିକ୍‌ ହୁଁ ମେ’ କ୍ୱାତିଲ୍‌ ଭି ହୁଁ, ସବ୍‌ କେ ଦିଲ୍‌ ମେ ସାମିଲ୍‌ ଭି ହୁଁ’ କହି ବିବାଦରେ ଫଶିଛନ୍ତି ବର ।

୧୯୯୯ ମସିହାର କିଙ୍ଗ ଖାନ୍‌ଙ୍କ ଚଳଚ୍ଚିତ୍ର ‘ବାଦଶାହ’ର ଏହି ଡାଏଲକୁ ନେଇ ବିବାହ ବନ୍ଦ ହୋଇଥିଲା । ଉଭୟ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ବରଙ୍କ ଏପରି ଡାଏଲଗ୍‌କୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ପରେ ବର ଘରର ପରିବାର ଓ କନ୍ୟା ଘର ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଧୀରେ ଧୀରେ କଥା ଏମିତି ବଢ଼ିଥିଲା ଯେ, ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ । ପରେ ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ସହ ଉଭୟ ପରିବାରକୁ ଡକାଇ ପଚରାଉଚରା କରିଥିଲା । କଥା ମଧ୍ୟ ଗିରଫ କରିବା ଯାଏଁ ଯାଇଥିଲା । ପରେ ପୋଲିସ ଉଭୟ ପକ୍ଷର ଲୋକମାନଙ୍କୁ ପୋଲିସ ବୁଝାସୁଝା କରିଥିଲା ।

ବର ଡାଏଲଗ୍‌ କହିଥିବା ସମ୍ପୂର୍ଣ୍ଣ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନେକ ଦର୍ଶକ ଭିଡିଓଟିକୁ ଲାଇକ୍‌ କରିବା ସହ ନିଜର ମତାମତ ଦେଇଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ସାରା ଉତ୍ତର ପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।