Sunita Williams Return: ଆସିଲା ବଡ଼ ଅପଡେଟ୍, ବୁଧବାର ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ

ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନିଶ୍ଚିତ କଲା NASA । ଆସନ୍ତା ବୁଧବାର ଭୋର ୩ଟା ୨୭ ମିନିଟ୍‌ରେ ମହାକାଶରୁ ଫେରି ପୃଥିବୀରେ ପହଞ୍ଚିବେ ସୁନିତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର୍ ।

ସୁନୀତା ୱିଲିୟମ୍ସ

ସରିବ ଦୀର୍ଘ ୯ ମାସର ପ୍ରତୀକ୍ଷା । ଆଉ ମାତ୍ର ଦୁଇ ଦିନ, ପୃଥିବୀକୁ ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ନିଶ୍ଚିତ କରିଛି NASA । ଭାରତୀୟ ସମୟ ଅନୁସାରେ ଆସନ୍ତା ୧୯ ତାରିଖ ବୁଧବାର ଭୋର୍ ୩ଟା ୨୭ ମିନିଟରେ ସୁନୀତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବୁଚ୍‌ ୱିଲମୋର୍ ମହାକାଶରୁ ଫେରି ପୃଥିବୀରେ ପହଞ୍ଚିବେ ।

ନାସାର ସୂଚନା ମୁତାବକ, ସୁନୀତା ୱିଲିୟମ୍ସ ଫ୍ଲୋରିଡ଼ା ତଟରେ ଓହ୍ଲାଇପାରନ୍ତି । ଇଷ୍ଟର୍ଣ୍ଣ ଟାଇମ୍ (ET) ଅନୁସାରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର୍ ୧୮ ତାରିଖ ସନ୍ଧ୍ୟା ୫ଟା ୫୭ ମିନିଟ୍‌ରେ ପୃଥିବୀରେ ପହଞ୍ଚିବେ । ଭାରତୀୟ ସମୟରେ ଏହା ବୁଧବାର ସକାଳ ୩ଟା ୨୭ ମିନିଟ୍ । ପୃଥିବୀକୁ ଫେରିବା ପରେ ମୁଁ ଏଠାକାର ସବୁକିଛି ମିସ୍ କରିବି ବୋଲି କହିଛନ୍ତି ସୁନୀତା । ତେବେ ୯ ମାସ ପରେ ଘରବାହୁଡ଼ା ସୁନୀତାଙ୍କୁ ମାନସିକ ଖୁସି ଦେଲେ ବି, ଶାରିରୀକ ଭାବେ ଯନ୍ତ୍ରଣାଦାୟକ ହୋଇପାରେ ।

ଅଧିକ ପଢ଼ନ୍ତୁ:ସ୍ପେସ୍ ଷ୍ଟେସନରେ ମହାକାଶଯାନ 'ଡ୍ରାଗନ୍' ପହଞ୍ଚିବାପରେ ଖୁସିରେ ଝୁମିଲେ ସୁନୀତା

ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର୍ ବୋଇଂ ଷ୍ଟାରଲାଇନର୍ ପ୍ରଥମ ମିଶନରେ ପରୀକ୍ଷାମୂଳକ ଭାବେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ଯାଇଥିଲେ । ଏହି ଅଭିଯାନ ମାତ୍ର ୮ ଦିନ ଥିଲା । ହେଲେ ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁଁ ସେମାନେ ୯ ମାସ ହେଲା ମହାକାଶରେ ଫସି ରହିଛନ୍ତି ।

ସୁନୀତା ଓ ବୁଚ୍‌ଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ବାରମ୍ବାର ମିଶନ୍ ପ୍ଲାନ୍ ହେଉଥିଲା, ପୁଣି ସେସବୁ ସ୍ଥଗିତ ରହୁଥିଲା । ଦୀର୍ଘ ୯ ମାସ ପରେ ଶେଷରେ ଏବେ ନିଶ୍ଚିତ ହୋଇଛି ଘରବାହୁଡା । ସେମାନଙ୍କୁ ଫେରାଇ ଆଣିବାକୁ ଗତକାଲି ଦିନ ପ୍ରାୟ ୧୦ଟା ବେଳେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲା ସ୍ପେଶ୍ ଏକ୍ସ କ୍ରୁ-ଟେନ୍ ମିଶନର ଡ୍ରାଗନ୍ ସ୍ପେଶକ୍ରାଫ୍ଟ । ଏଥିରେ ଆମେରିକା, ଜାପାନ ଓ ଋଷର ୪ ଜଣ ମହାକାଶଚାରୀ ସ୍ପେଶ ଷ୍ଟେସନକୁ ଯାଇଛନ୍ତି । 

ଅଧିକ ପଢ଼ନ୍ତୁ:ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍