କାଲି ମହାକାଶରୁ ଶୁଭାଂଶୁଙ୍କ ପୃଥିବୀ ବାହୁଡ଼ା । କାଲି ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ ଛାଡ଼ିବେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଆକ୍ସିଅମ୍-୪ ମିଶନର ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ପାଇଁ ଯୋଜନା ରଖିଛି ନାସା । ୧୫ ତାରିଖ ଅପରାହ୍ନ ୩ଟାରେ ସେ ପୃଥିବୀ ପୃଷ୍ଠରେ ପହଞ୍ଚିବେ । ଏହା ଆମେରିକାର କାଲିଫର୍ଣ୍ଣିଆ ତଟରେ ପ୍ରଶାନ୍ତ ମହାସାଗରରେ ଲ୍ୟାଣ୍ଡ୍ କରିପାରେ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ । ଜୁନ୍ ୨୫ରେ ଲଞ୍ଚ୍ ହୋଇଥିଲା ଆକ୍ସିଅମ୍-୪ ମିଶନ । ଶୁଭାଂଶୁଙ୍କ ସମେତ ୪ଜଣ ମହାକାଶଚାରୀଙ୍କୁ ଧରି ମହାକାଶରେ ପହଞ୍ଚିବାର ପ୍ରାୟ ଅଢ଼େଇ ସପ୍ତାହ ପରେ କାଲି ପୃଥିବୀ ଆଡ଼କୁ ଫେରିବା ଆରମ୍ଭ କରିବ କ୍ରୁ ଡ୍ରାଗନ୍ ସ୍ପେଶକ୍ରାଫ୍ଟ ।
ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଇଁ ଏହା ଏକ ଐତିହାସିକ ସଫଳତା । ଦୀର୍ଘ ୪୧ ବର୍ଷ ପରେ ମହାକାଶରେ ପାଦ ରଖିଛନ୍ତି ଆଉ ଜଣେ ଭାରତୀୟ । ୧୯୪୮ରେ ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିଲେ । ସୋଭିଏତ ଅଭିଯାନର ଏକ ଅଂଶ ଭାବରେ ସେ ମହାକାଶକୁ ଯାଇଥିଲେ । ବର୍ତ୍ତମାନ ଭାରତୀୟ ବାୟୁସେନାର ପାଇଲଟ୍ ଗ୍ରୁପ କ୍ୟାପ୍ଟେନ ୩୯ ବର୍ଷୀୟ ଶୁଭାଂଶୁ ଶୁକ୍ଲା ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିଛନ୍ତି ।
Also Read
ଶୁଭାଂଶୁ ଶୁକ୍ଲାଙ୍କ ସହ ୩ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ୧୪ ଦିନ ରହିବେ । ଅନ୍ୟ ମହାକାଶଚାରୀ ହେଲେ ଆମେରିକାର କମାଣ୍ଡର ପେଗି ହ୍ୱିଟସନ, ପୋଲାଣ୍ଡର ବିଶେଷଜ୍ଞ ସ୍ଲାଓଜ ଉଜନାନସ୍କି-ୱିସ୍ନିୱିସ୍କିଓ ହଙ୍ଗେରୀର ଟିବୋର କାପୁ । ଏହି ମହାକାଶ ଅଭିଯାନରେ ସେମାନେ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିଛନ୍ତି । ସେଥିରୁ ୭ଟି ଗୁରୁତ୍ବପୂର୍ଣ୍ଣ ସାଇଣ୍ଟିଫିକ୍ ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ଦେଇଛି ଇସ୍ରୋ, ଯାହାର ମଙ୍ଗ ଧରିଛନ୍ତି ନିଜେ ଶୁଭାଂଶୁ । ଏଥିସହ ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଭିଜ୍ଞତା ସାଉଁଟିଛନ୍ତି ।
ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ (ISS) ଶୁଭାଂଶୁ ଶୁକ୍ଳା । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଛନ୍ତି ଶୁଭାଂଶୁ । ଆକ୍ସିଅମ-୪ ମିଶନର ସଫଳତାର ସହ ସଫ୍ଟ ଡକିଂ ହୋଇଥିଲା । ପ୍ରାୟ ଅଢ଼େଇ ଘଣ୍ଟା ଧରି ଡକିଂ ପ୍ରକ୍ରିୟା ଚାଲିଥିଲା । ଡକିଂ ଶେଷ ହେବା ପରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ସ୍ପେଶ୍ ଷ୍ଟେସନରେ ପାଦ ରଖିଛନ୍ତି । ଆଉ ଏହି ଯାତ୍ରା ଶେଷ କରି ପୃଥିବୀକୁ ଫେରୁଛନ୍ତି ଶୁଭାଂଶୁ ।