• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେଲା... ସଫଳତାର ପ୍ରଥମ ପାହାଚ ଚଢ଼ିଲା 'ଚନ୍ଦ୍ରୟାନ-୩' । ପୁଣିଥରେ ନିଜକୁ ଭରସାଯୋଗ୍ୟ ସାବ୍ୟସ୍ତ କଲା ଇସ୍ରୋର ବାହୁବଳୀ ରକେଟ୍। କେବଳ ଇସ୍ରୋର ମିଶନ କଣ୍ଟ୍ରୋଲ ରୁମରେ ନୁହେଁ, ସାରା ଦେଶରେ ଦେଖିବାକୁ ମିଳିଥିଲା ଉତ୍ସାହ ମିଶା ଉତ୍ସୁକତା। କାଉଣ୍ଟଡାଉନ ସହ ତାଳ ଦେଇ ବଢ଼ୁଥିଲା ହୃତସ୍ପନ୍ଦନ । ତେଣେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାୱନ ସ୍ପେଶ୍ ସେଣ୍ଟରର ଲଞ୍ଚପ୍ୟାଡରେ ବଳ ଗୋଟାଉଥିଲା ୪୩.୫ ମିଟର ଉଚ୍ଚ, ୬୪୨ ଟନ୍ ଓଜନର ବିଶାଳକାୟ LVM3-M4 । ଶେଷରେ ଆସିଲା ସେଇ ଘଡ଼ିସନ୍ଧି ମୁହୂର୍ତ୍ତ ।

ଦିନ ୨ଟା ୩୫ । ଭୀମଗର୍ଜନ କରି ଉଡ଼ାଣ ଆରମ୍ଭ କଲା ଭାରତର ସର୍ବବୃହତ ରକେଟ୍ । ଆକାଶର ଛାତିଚିରି ଆଗେଇଚାଲିଥିଲା ମହାକାଶରେ ସଫଳତା ଫର୍ଦ୍ଦ ଯୋଡ଼ିବାକୁ। ମନିଟର୍ ଉପରେ ଥିଲା ସମସ୍ତଙ୍କ ନଜର । ବିନା ପଲକରେ ଚାହିଁ ରହିଥିଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ, ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ, ବହୁ ପୂର୍ବତନ ଅଧ୍ୟକ୍ଷ, ବୈଜ୍ଞାନିକ ଏବଂ ଅଗଣିତ ଦର୍ଶକ । ଚୂଡ଼ାନ୍ତ ପର୍ଯ୍ୟାୟରେ ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ୍ ପରେ, ଚନ୍ଦ୍ରଯାନ-୩ ଯେତେବେଳେ ଭୂପୃଷ୍ଠରୁ ପ୍ରାୟ ୧୭୦ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ ହେଲା, କରତାଳିରେ ଗୁଞ୍ଜରିତ ହୋଇ ଉଠିଥିଲା ପୂରା ପରିବେଶ ।

ମୁନ୍ ମିଶନର ଇଏ ତ ଆରମ୍ଭ ମାତ୍ର । ଚନ୍ଦ୍ରୟାନ-୩ ପାଇଁ ଆଗକୁ ଆହୁରି ଅନେକ ଚାଲେଞ୍ଜ । ଏବେ ପ୍ରାୟ ୩ ସପ୍ତାହ ପୃଥିବୀ ଚାରିପଟେ ପରିକ୍ରମା କରିବା ସହିତ ଏହା ନିଜର ଗତିପଥକୁ ପ୍ରସାରିତ କରିବ। ଅଗଷ୍ଟ ୫ରେ ପ୍ରବେଶ କରିବ ଚନ୍ଦ୍ରର କକ୍ଷପଥରେ । ଏହାପରେ ଆହୁରି ୨ ସପ୍ତାହ ଚନ୍ଦ୍ର ଚାରିପଟେ ବୁଲିବୁଲି ଏହା ଗତିପଥକୁ ସଂକୁଚିତ କରିବ ଏବଂ ଚନ୍ଦ୍ରପୃଷ୍ଠର ନିକଟତର ହେବ ।

ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର। ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣ ରହିବ ଇସ୍ରୋ ପାଇଁ ସବୁଠୁ ବଡ଼ ପରୀକ୍ଷା। ଏହାପରେ ଲ୍ୟାଣ୍ଡର ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ୪ କିଲୋମିଟର ଲମ୍ବା ୨.୪ କିଲୋମିଟର ଓସାରର ଲଞ୍ଚିଂ ସାଇଟରେ ଯେପରି ସଫ୍ଟଲ୍ୟାଣ୍ଡିଂ ସଫଳ ହେବ, ସେଥିଲାଗି ଚନ୍ଦ୍ରୟାନ-୨ ତୁଳନାରେ ଚନ୍ଦ୍ରୟାନ-୩କୁ ଅଧିକ ଉନ୍ନତ ଓ ଆଧୁନିକ କରାଯାଇଛି। ଲ୍ୟାଣ୍ଡିଂରେ କିଛି ବି ତ୍ରୁଟି ଦେଖାଦେଲେ ଆପେଆପେ ୯୬ ମିଲି ସେକେଣ୍ଡରେ ସୁଧାରି ପାରିବ ଲ୍ୟାଣ୍ଡର । ଏହି ପୂରା ମିଶନ ପାଇଁ ଖର୍ଚ୍ଚ ହୋଇଛି ୬୧୫ କୋଟି ଟଙ୍କା ।...

ଚନ୍ଦ୍ରୟାନ-୩ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ । ମହାକାଶ ଅଭିଯାନରେ ଏହା ଆଉ ଏକ ମାଇଲଖୁଣ୍ଟ ବୋଲି ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଚନ୍ଦ୍ରୟାନ-୩ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଓ ଅଭିଳାଷକୁ ଆହୁରି ବଢ଼ାଇଛି । ଏଥିପାଇଁ ବୈଜ୍ଞାନିକଙ୍କ ଦୃଢ଼ ମନୋବଳକୁ ସାଲ୍ୟୁଟ୍ ।...