• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଲ୍ଲିକୋଟ୍ ( ସିଲୁ ବିଶ୍ୱାଳ ) : ପାହାଡ଼ ଉପରେ ଥିବା ଶିବଲିଙ୍ଗ ବଢ଼ି ବଢ଼ି ଚାଲୁଛି । ଘଞ୍ଚ ଜଙ୍ଗଲ ଭିତରେ ଶିଖରେଶ୍ୱର ପାହାଡ଼ । ଆଉ ପାହାଡ଼ ପାଦ ଦେଶରୁ ପାଖାପାଖି ୧ କିଲୋମିଟର୍ ଉପରକୁ ଚଢ଼ିଲେ ପଡ଼େ ବିରାଟ ଶିବଲିଙ୍ଗ । ପଥୁରିଆ ରାସ୍ତା ତଥା ଦୁର୍ଗମ ଜଙ୍ଗଲ ଦେଇ ଏଠାକୁ ଦର୍ଶନ ପାଇଁ ଆସନ୍ତି ଲୋକେ । ପ୍ରାକୃତିକ ପରିବେଶ ଭିତରେ ଭଗବାନଙ୍କ ଅଲୌକିକ ମହିମା ଉପରେ ଶ୍ରଦ୍ଧାଳୁଙ୍କ ପ୍ରଗାଡ଼ ବିଶ୍ୱାସ ରହିଛି । ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ପାହାଡ଼ ଶୀର୍ଷରେ ଶିବ ଲିଙ୍ଗ ବର୍ଷକୁ ବର୍ଷ ବଢିବାରେ ଲାଗିଛି । କିନ୍ତୁ ଏହି ଶିବଲିଙ୍ଗ ପଛର ଇତିହାସ ଓ କିମ୍ବଦନ୍ତୀ ଖୁବ୍ ରୋମାଞ୍ଚକର । ତେବେ ଏହାର ହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।

ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଝାଟିପଦର ଓ ରଘୁନାଥପୁର ଗାଁ ମଝିରେ ଅବସ୍ଥିତ ଶିଖରେଶ୍ୱର ପାହାଡ଼ । ଲୋକଙ୍କ କହିବା ଅନୁସାରେ ପାହାଡ଼ ଶୀର୍ଷରେ ଥିବା ଏକ ଶିବ ଲିଙ୍ଗ ପ୍ରତ୍ୟେକ ବର୍ଷ ବଢି ବଢି ଚାଲିଛି । ଯାହା ସ୍ଥାନୀୟ ଲୋକକୁ ଆଚମ୍ବିତ କରୁଛି । ୨୦୧୯ ମସିହାରେ ସ୍ଥାନୀୟ ଲୋକେ ଏହି ପାହାଡ ଉପରେ ଶିବଲିଙ୍ଗ ଆକୃତିର ପଥର ଖଣ୍ଡ ଦେଖିବାକୁ ପାଇଥିଲେ । ଆଉ ଏ ସମ୍ପର୍କରେ ଅନନ୍ତ ବଳିଆ ଆଶ୍ରମର ସେବକ ବାବାଜୀ ଗୋବିନ୍ଦ ଦାସକୁ ସ୍ଥାନୀୟ ଲୋକେ ଅବଗତ କରିଥିଲେ । ଜଙ୍ଗଲ ଭିତରେ ଶିବ ଲିଙ୍ଗ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା କହିଥିଲେ ।

ପରେ ବାବାଜୀ ଆସିବା ପରେ ସ୍ଥାନୀୟ କମିଟି ଚୟନ କରି ସେହି ବର୍ଷ ଏକ ମହାଡ଼ମ୍ବରରେ ନାମଯଜ୍ଞ କରାଯାଇଥିଲା । ପାଖାପାଖି ୧୫୦୦୦ରୁ ଅଧିକ ଲୋକ ଯୋଗ ଦେଲେ । ଆଉ ସେବେ ଠାରୁ ଶିବଲିଙ୍ଗର ପୂଜାର୍ଚ୍ଚନା କରାଯାଉଛି । ପୂର୍ବରୁ ଲୋକଙ୍କ ଧାରଣା ଥିଲା ଯିଏ ଏଠାରେ ମହାଦେବଙ୍କ ପୂଜାର୍ଚ୍ଚନା କରିବ, ସେହି ବ୍ୟକ୍ତିଙ୍କ ଅକାଳ ବିୟୋଗ ହୋଇଯିବ । ହେଲେ ବାବାଜୀଙ୍କ ଅଭୟ ବାଣୀ ପରେ ଲୋକଙ୍କ ମନରେ ବିଶ୍ଵାସ ଜମିଲା । ସେବେ ଠାରୁ ବାବା ଶିଖରେଶ୍ୱର ଶିବଙ୍କ ପୂଜା ହେଉଛି । ତେବେ ବର୍ଷକୁ ବର୍ଷ ବଢ଼ୁଥିବା ଶିବଲିଙ୍ଗ ପଛରେ ରହସ୍ୟ କାହାକୁ ଜଣାନାହିଁ ।

ହେଲେ ଇତିହାସରେ ଭିନ୍ନ କଥା ଲେଖା ହୋଇଛି । ଇତିହାସ ଅନୁସାରେ ଶିଖରେଶ୍ୱର ମନ୍ଦିର ନିକଟଣେ ଥିଲା ପାଲୁରୁ ବନ୍ଦର । ଆଉ ପ୍ରାଚୀନ କାଳରେ ଓଡ଼ିଆ ବଣିକ ମାନେ ପାଲୁରୁ ବନ୍ଦରରୁ ଜାଭା, ସୁମାତ୍ରା, ବାଲି ପ୍ରଭୁତି ଦକ୍ଷିଣ-ପୁର୍ବ ଏସିୟ ଦ୍ୱୀପପୁଞ୍ଜକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଯାଉଥିଲେ। ପତ୍ତୁର୍ଗୀଜ ମାନଙ୍କ ବଙ୍ଗୋପସାଗରରେ ଆବିର୍ଭାବ ସମୟରେ ପାଲୁରୁ ଗଡର ଖ୍ୟାତି ଥିଲା । ତାହା ପରବର୍ତ୍ତୀ ସମୟରେ କମି କମି ଗଲା । ଆଉ ସେତେବେଳେ ଶିଖରେଶ୍ୱର ପାହାଡ଼ ଉପରେ ଏକ ବିଶାଳ ଦୀପଜାଳି ସମୁଦ୍ର ପୋତକ ଗୁଡ଼ିକୁ ପଥ ପ୍ରଦର୍ଶିତ କରାଯାଉଥିଲା । ଅବଶ୍ୟ ସମୟକ୍ରମେ ଏହାକୁ ସ୍ମୃତି ଭାବେ ରଖାଯାଇଥିଲା । ଆଉ ସେହ ପଥର ଖଣ୍ଡଟି ବର୍ତ୍ତମାନ ଶିବ ଲିଙ୍ଗ ଭାବେ ପୂଜା ପାଉଛି ।