Advertisment

କାଳିଆ ଦର୍ଶନ ନେଇ ଅସମ୍ଭବ ଭିଡ

କରୋନାର ତୃତୀୟ ଲହରୀର ଭୟକୁ ଖାତିର ନ କରି କାଳିଆ ଦର୍ଶନ ଲାଗି ବ୍ୟାକୁଳ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଠାରୁ ଦର୍ଶନ କଟକଣାକୁ ଦେଖି ଦେଖାଯାଇଥିଲା ଏହି ଭିଡ।

author-image
Pramod Behera
ଅଦ୍ୟତନ ହୋଇଛି
Impossible crowds to see Lord Jagannath

Impossible crowds to see Lord Jagannath

ପୁରୀ (ମଧୁସୂଦନ ମିଶ୍ର): ପୁରୀ ବଡ଼ଦାଣ୍ଡରେ ଦେଖାଦେଇଛି ଆଖି ପାଉ ନ ଥିବା ଭିଡ଼। କାଳିଆ ଦର୍ଶନ ଲାଗି ବ୍ୟାକୁଳ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଛି। ରାଜ୍ୟରେ କରୋନା ତୃତୀୟ ଲହରର ଲମ୍ବା ଡିଆଁ ପରେ ଆସନ୍ତାକାଲିଠୁ ଶ୍ରୀମନ୍ଦିରକୁ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଦର୍ଶନ କଟକଣା ନିଷ୍ପତ୍ତି ପରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ରାତି ପାହିବା ବେଳକୁ ଲୋକାରଣ୍ୟ ହୋଇସାରିଥିଲା ସିଂହଦ୍ୱାର ସମ୍ମୁଖ ଅଞ୍ଚଳ। ପରେ ସମୟ ବଢ଼ିବା ସହ ତାଳ ଦେଇ ବଢ଼ି ଚାଲିଥିଲା ଭକ୍ତଙ୍କ ଉପସ୍ଥିତି। ପରିସ୍ଥିତି ଏମିତି ହୋଇଥିଲା ଯେ, ସିଂହଦ୍ୱାରଠୁ ପ୍ରାୟ ୫ ଶହ ମିଟର ଯାଏଁ ଲମ୍ବିଥିବା ବ୍ୟାରିକେଡ୍ ଭିତରେ ସୀମିତି ରହି ନ ଥିଲେ ଶ୍ରଦ୍ଧାଳୁ। ଯେଉଁଠୁ ବ୍ୟାରିକେଡ୍ ଆରମ୍ଭ ହୋଇଥିଲା, ସେଇଠୁ ଆହୁରି ପ୍ରାୟ ୫ ଶହ ମିଟର ମରିଚିକୋଟ୍ ଛକ ଯାଏଁ ଲମ୍ବିଯାଇଥିଲା ଧାଡ଼ି।

Advertisment

ତେବେ ଆଜିର ଶେଷ ଦର୍ଶନକୁ ହାତଛଡ଼ା କରିବାକୁ ଚାହୁଁ ନଥିଲେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ। ଏପରିକି କାଳିଆ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାର କଷ୍ଟ କି ଲମ୍ବା ସମୟର ଅପେକ୍ଷାକୁ ଖାତିର ନଥିଲା। ଏପଟେ ଆଜି ରାତି ସାଢେ ୮ଟା ଯାଏଁ ଦର୍ଶନ ସୁଯୋଗ ଥିବାରୁ ମଧ୍ୟ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି। ଏପରିକି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବାକୁ ଥିବାରୁ ପ୍ରାୟ ୬ଟା ପରେ ଅଣାୟତ ହୋଇଥିଲା ସ୍ଥିତି। ଅନେକ ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତି ଘଟିବାରୁ ଧାଡ଼ି ଭାଙ୍ଗି ସୁଅ ଭଳି ଶ୍ରୀମନ୍ଦିର ଭିତରକୁ ମାଡ଼ି ଚାଲିଥିଲେ। ଏ ଅସମ୍ଭବ ଭିଡ଼ ଓ ଅପେକ୍ଷା ଭିତରେ ଯିଏ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଥିଲା, ନିଜକୁ ଭାଗ୍ୟବାନ ମନେ କରୁଥିଲା।

ପ୍ରକାଶଥାଉ ଯେ ଗତକାଲି ଛତିଶାନିଯୋଗ କମିଟି ଓ ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ବଡ଼ଦେଉଳଙ୍କୁ ଭକ୍ତଙ୍କ ପାଇଁ ଜାନୁଆରୀ ୧୦ରୁ ୩୧ ତାରିଖ ଯାଏଁ ବନ୍ଦ ରହିଖିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ଏ ମାସରେ ଆଜି ଦର୍ଶନ ପାଇଁ ଶେଷ ସୁଯୋଗ ଥିବାରୁ ଶ୍ରୀମନ୍ଦିର ଧାଇଁ ଆସିଥିଲେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ।

Advertisment

ଏପଟେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଶବଦାହ ଉପରେ ପୁଣି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ସ୍ୱର୍ଗଦ୍ୱାରକୁ ଆସିବାକୁ ଥିବା ସମସ୍ତ ବ୍ୟକ୍ତି ନିଜ ପରିଚୟ ପତ୍ର ଦେଖାଇବା ସହ ପୁରୀ ଜିଲ୍ଲା ବାସିନ୍ଦା ବୋଲି କୌଣସି ଏକ ପ୍ରମାଣ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ପୁରୀ ସ୍ୱର୍ଗଦ୍ୱାରରେ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ସଂସ୍କାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

Odisha News Puri
Advertisment
Advertisment