/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744944845.jpg)
Good Friday
ଆଜି ଗୁଡ୍ ଫ୍ରାଇଡେ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏକ ପବିତ୍ର ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଏହି ପର୍ବକୁ ପାଳନ କରିଥାନ୍ତି । ଗୁଡ୍ ଫ୍ରାଇଡେ ନାଁ ଶୁଣିଲେ ଲାଗୁଛି ଯେମିତି ଏହା ଏକ ଉତ୍ସବ । କିନ୍ତୁ ବାସ୍ତବରେ ତାହା ନୁହେଁ । ଗୁଡ୍ ଫ୍ରାଇଡେ ହେଉଛି ଏକ ଶୋକ ଦିବସ । ଏହି ଦିନ ପ୍ରଭୁ ଯୀଶୁଙ୍କୁ କୃଶବିଦ୍ଧ କରାଯାଇଥିଲା । ମାନବ ଜାତି ଲାଗି ଯୀଶୁଙ୍କ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଗୁଡ୍ ଫ୍ରାଇଡେର କୌଣସି ନିର୍ଦ୍ଧିଷ୍ଟ ତାରିଖ ନଥାଏ । ଏଥର ଏହା ଏପ୍ରିଲ ୧୮ ତାରିଖରେ ପାଳନ କରାଯାଉଛି ।
କୁହାଯାଏ ଯେତେବେଳେ ୟିହୁଦି ଶାସକମାନେ ଇସା ମସିହା ବା ଯୀଶୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଶୁଳିରେ ଚଢ଼ାଇଥିଲେ, ସେହି ଦିନ ଶୁକ୍ରବାର ହିଁ ଥିଲା । ଆଉ ଇସା ମସିହା ଏହି ମାନବ ଜାତିର ମଙ୍ଗଳ ପାଇଁ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ତେଣୁ ଏହି ଶୁକ୍ରବାରକୁ ଇସାଇ ଧର୍ମର ଲୋକେ ଗୁଡ୍ ଫ୍ରାଇଡେ ଭାବେ ପାଳନ କରିଥାନ୍ତି । ଏହି ଦିନକୁ ଇସାଇ ଧର୍ମର ଲୋକେ ବଳିଦାନର ଦିବସ ଭାବେ ବିବେଚନା କରି ପାଳନ କରିଥାନ୍ତି ।
ଗୁଡ୍ ଫ୍ରାଇଡେ ଇତିହାସ:
ପ୍ରାୟ ୨୦୦୪ ବର୍ଷ ପୂର୍ବେ ଇସା ମସିହା ଜେରୁଜେଲମରେ ରହି ମାନବ ଜାତିର କଲ୍ୟାଣ ପାଇଁ ଭାଇଚାର, ଏକତା ଓ ଶାନ୍ତି ବାର୍ତ୍ତା ଦେଉଥିଲେ । ସେଠାରେ ଲୋକମାନେ ତାଙ୍କୁ ପରମପିତା ପରମେଶ୍ୱର ବୋଲି ମାନିବାକୁ ଆରମ୍ଭ କଲେ । ଏହି କାରଣରୁ ଇସା ମସିହାଙ୍କ ବିରୋଧରେ ସେତେବେଳେ କିଛି ଭଣ୍ଡ ବାବା ତଥା ଧର୍ମଗୁରୁମାନେ ଯିହୁଦିଙ୍କ କାନରେ କୁମନ୍ତ୍ରଣା କରିବା ଆରମ୍ଭ କଲେ । ଅଚାନକ ଦିନେ ତାଙ୍କ ବିରୋଧରେ ରାଜଦ୍ରୋହର ଅଭିଯୋଗ ଆଣି ତାଙ୍କୁ ଶୁଳିରେ ଚଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଗଲା । ଏହାପୂର୍ବରୁ ତାଙ୍କୁ କଣ୍ଟାର ମୁକୁଟ ପିନ୍ଧେଇ ଦିଆଗଲା । ଇସା ମସିହାଙ୍କୁ ଶୁଳିକୁ କାନ୍ଧରେ ବୋହି ନେବା ପାଇଁ ବାଧ୍ୟ କରାଗଲା । ଶେଷରେ ତାଙ୍କୁ ଅତି ନିର୍ମମ ଭାବେ ହାତରେ ଗୋଡ଼ରେ କଣ୍ଟା ଫୁଟାଇ ଶୁଳିରେ ଝୁଲାଇ ଦିଆଗଲା ।
ଶେଷ ସମୟରେ କ'ଣ କହିଥିଲେ ଯୀଶୁ:
ଶୁଳିରେ ଚଢ଼ିବା ପୂର୍ବରୁ ତାଙ୍କୁ କଣ୍ଟାର ମୁକୁଟ ପିନ୍ଧା ଯାଇଥିଲା । ତଥାପି ସେତେବେଳେ ଇସା ମସିହା କେବଳ ଏହି ମାନବ ଜାତିର କଲ୍ୟାଣ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଥିଲେ । ତେଣୁ ଏହାକୁ ତାଙ୍କ କ୍ଷମାର ଏକ ଅଦ୍ଭୁତ ଶକ୍ତି ବୋଲି କୁହାଯାଏ । ମୃତ୍ୟୁ ପୂର୍ବରୁ ପ୍ରଭୁ ଯୀଶୁଙ୍କ ମୁହଁରୁ କେବଳ ବାହାରିଥିଲା, ‘ହେ ଇଶ୍ୱର ଏମାନଙ୍କୁ କ୍ଷମା କରିଦେବ, କାରଣ ଏମାନେ ଜାଣିନାହାନ୍ତି କ’ଣ କରୁଛନ୍ତି ।’
ପ୍ରଭୁ ଯୀଶୁଙ୍କୁ ୬ ଘଣ୍ଟା ପର୍ଯ୍ୟନ୍ତ ଶୁଳିରେ ଲଟକା ଯାଇଥିଲା । କୁହାଯାଏ କି, ଶେଷ ତିନି ଘଣ୍ଟା ବେଳକୁ ଚାରିଆଡ଼ ଅନ୍ଧକାର ମୟ ହୋଇଯାଇଥିଲା । ଯେତେବେଳେ ଯୀଶୁଙ୍କ ପ୍ରାଣବାୟୁ ଉଡ଼ିଗଲା ସେତେବେଳେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲା । ଚାରିଆଡ଼ ଥରିବାକୁ ଲାଗିଥିଲା । କବର ଦିଆଯାଇଥିବା କଫିନ୍ ଗୁଡ଼ିକର ଢ଼ାଙ୍କୁଣି ଭାଙ୍ଗି ଆପେ ଖୋଲିଯାଇଥିଲା । ଦିନ ବେଳେ ଅନ୍ଧକାର ପରିସ୍ଥିତି ସୃଷ୍ଟି ହୋଇଥିଲା । କୁହାଯାଏ ଏହି କାରଣରୁ ଚର୍ଚ୍ଚରେ ଅପରାହ୍ନ ୩ଟା ବେଳେ ସମସ୍ତେ ଏକାଠି ହୋଇ ପ୍ରାର୍ଥନା କରିଥାନ୍ତି ।
ସାରା ବିଶ୍ୱରେ ଗୁଡ୍ ଫ୍ରାଇଡେ ପାଳନ କରାଯାଇଥାଏ । ଏହି ଦିନ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ସଭା ଆୟୋଜିତ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)