• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨ ହଜାର ମସିହାରେ କଂଗ୍ରେସକୁ କ୍ଷମତାରୁ ହଟାଇଥିଲୁ, ଏବେ ବିଜେଡିକୁ ହଟାଇବାକୁ ଶପଥ ନେଇଛୁ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆଜି ସମ୍ବର୍ଦ୍ଧନା ଅବସରରେ ଏଭଳି ରଣହୁଙ୍କାର ଦେଇଛନ୍ତି ନୂଆ ସଭାପତି ମନମୋହନ ସାମଲ । ଆସନ୍ତା ନିର୍ବାଚନ ଐତିହାସିକ ହେବ । ସାଧାରଣ ଲୋକେ ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଥିବା ବିଜେଡି ସରକାର ବିରୋଧରେ ଭୋଟ୍ ଦେବେ ଓ ବିକଳ୍ପ ସରକାର ଗଢ଼ିବେ ବୋଲି ସେ କହିଛନ୍ତି । ଦଳର ଅନ୍ୟ ନେତାମାନେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ବେଳେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ବିଜେଡି ସରକାରକୁ ବରଖାସ୍ତ କରିବା ପାଇଁ ଆଜିଠୁ ଆରମ୍ଭ ହୋଇଗଲା ନୋଟିସ୍ ପିରିୟଡ୍ ।

ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା । ଆଉ ସମ୍ବର୍ଦ୍ଧନା ମଂଚରୁ ସିଧାସଳଖ ନବୀନ ସରକାରଙ୍କୁ ନିଶାନା କରିଛନ୍ତି ନୂଆ ସଭାପତି ମନମୋହନ ସାମଲ । କହିଛନ୍ତି, ଆଗାମୀ ନିର୍ବାଚନ ଐତିହାସିକ ହେବ। ସାଧାରଣ ଲୋକେ ତାତି କି ଅଛନ୍ତି ।

ଆଉ ଲୋକେ ଯେତେବେଳେ ତାତିବେ, ସେମାନଙ୍କୁ କେହି ରୋକି ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ୨ ହଜାର ମସିହାରେ ଆମେ କଂଗ୍ରେସକୁ ହଟାଇଥିଲୁ, ଏବେ ବିଜେଡିକୁ କ୍ଷମତାରୁ ହଟାବାକୁ ଶପଥ ନେଇଛୁ । ନବୀନ କେବଳ ପ୍ରସଙ୍ଗ ଏଡ଼ାଇବାର ଶିଖିଛନ୍ତି ବୋଲି ସମାଲୋଚନା କରିବା ସହିତ ରାଜ୍ୟରେ ପଲିଟିକାଲ୍ ସିଷ୍ଟମ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ, ମନ୍ତ୍ରୀମାନଙ୍କ ପାଖକୁ ଆଉ ଫାଇଲ୍ ଯାଉନାହିଁ ବୋଲି କହିଥିଲେ ।

ରାଜ୍ୟରେ ଯେତେବେଳେ ବି ନିର୍ବାଚନ ହେବ ଆମେ ପ୍ରସ୍ତୁତ ଅଛୁ । ଆଜିଠାରୁ ଆମେ ଶୋଇବୁ ନାହିଁ, କି କାହାକୁ ଶୋଇବାକୁ ଦେବୁନାହିଁ ବୋଲି କହିଛନ୍ତି ମନମୋହନ । କେବଳ ମନମୋହନ ନୁହନ୍ତି, ସଭାମଂଚରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ତମାମ ତୁଙ୍ଗନେତା । ବିଜେଡି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଆଜିଠୁ ଶାସକ ଦଳକୁ ନୋଟିସ୍ ଦିଆଗଲା ।

ମନମୋହନ ସାମଲଙ୍କ ନେତୃତ୍ୱରେ ସରକାରକୁ ବରଖାସ୍ତ କରିବା ପାଇଁ ବାଟ ତିଆରି ହେଲା । ଏଥରେ ରାଜ୍ୟରେ ବିଜେପି ସରକାର କରିବା ସୁନିଶ୍ଚିତ । ସେହିଭଳି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବି ବିଜେଡି ସରକାରକୁ ବିଦା କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ସାଂସଦ ଜୁଏଲ୍ ଓରାମ୍ କହିଛନ୍ତି କଂଗ୍ରେସର ଅତ୍ୟାଚାର ପାଇଁ ବିଜେଡିକୁ ଆଣିଥିଲୁ । ହେଲେ ଏବେ ବିଜେଡି କଂଗ୍ରେସକୁ ବଳି ଗଲାଣି । ତେଣୁ ବିଜେପି ଏଠି ବିକଳ୍ପ ସରକାର ଗଢିବ ।

କୁହାଯାଉଛି କ୍ଷେତ୍ରୀୟ ପ୍ରଭାରୀ ଭାବେ ସୁନିଲ ବଂଶଲ ଦାୟିତ୍ୱ ନେବା ପରେ ଦୁଇ ଆଗ୍ରେସିଭ ନେତା ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯାଇଥିବାବେଳେ ମନମୋହନ ସାମଲଙ୍କୁ ଧରାଯାଇଛି ଦଳର ମଙ୍ଗ । ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ବିଜେଡିକୁ କେତେଦୂର ଚ୍ୟାଲେଞ୍ଜ ଦେଇପାରୁଛି ତା ଉପରେ ନଜର ରହିବ ।