• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଓଡିଶାର ସରକାରୀ ସ୍କୁଲଗୁଡିକରେ ପିଲାମାନଙ୍କୁ ମଧ୍ୟାହ୍ନଭୋଜନରେ ପାଣିଆ ଡାଲି/ ଡାଲମା ବା ତରକାରୀ ଦିଆଯିବା ଏବଂ ଅଣ୍ଡା ନଦିଆଯିବା ଅଭିଯୋଗ ଅଧିକାଂଶ ସମୟ ଗଣମାଧ୍ୟମର ପୃଷ୍ଠାମଣ୍ଡନ କରେ । ଯାହାକୁ ନେଇ ମଧ୍ୟାହ୍ନ ଭୋଜନର ମାନ ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠେ । ଯାହାର ଉତ୍ତର ଆସେ, ଖାଦ୍ୟସାମଗ୍ରୀର ଦରଦାମ ଅହେତୁକ ଭାବେ ବଢୁଥିବାବେଳେ ସେହି ଅନୁପାତରେ ମୁଣ୍ଡପିଛା ଖର୍ଚ୍ଚ ବଢୁନଥିବାରୁ ଏହା ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିକୁ ପ୍ରଭାବିତ କରେ । ଥାଳି ପିଁଛା ଖର୍ଚ୍ଚ ବଢାଇବାକୁ ଅନେକ ସମୟରେ ବିଭିନ୍ନ ଫୋରମରେ ଦାବି ହୋଇଆସିଛି । ସରକାର ମଧ୍ୟ ନାଁକୁ ମାତ୍ର ଦୁଇ ଚାରି ବର୍ଷରେ ଥରେ ପଇସା ଆକାରରେ ଖର୍ଚ୍ଚ ବଢାଇ ଦିଅନ୍ତି । ହେଲେ ମଧ୍ୟାହ୍ନ ଭୋଜନ ଥାଳି ‘ପାଣିଚିଆ’ ଅପବାଦରୁ ମୁକୁଳିପାରି ନାହିଁ ।

ଅଧିକ ପଢ଼ନ୍ତୁ: ପୁଲିସ ମହାସଂଘ ନିର୍ବାଚନ ପରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍କଣ୍ଠା !

ବର୍ତ୍ତମାନ ନୂଆ ସରକାର ଏ ବାବଦରେ ନିଷ୍ପତ୍ତି ନେଇଛନ୍ତି । ଆଉ ପଇସା ନୁହେଁ ଏଥର ଥାଳି ଖର୍ଚ୍ଚ ଟଙ୍କାରେ ବଢିବ ! ପିଲାଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ୧ ଟଙ୍କା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ରାଜ୍ୟସ୍ତରୀୟ ଶିଶୁ ମହୋସôବ ‘ସୁରଭି’ କାର୍ଯ୍ୟକ୍ରମର ଶେଷ ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟାହ୍ନ ଭୋଜନ ଖର୍ଚ୍ଚକୁ ଆଉ ଟଙ୍କାଏ ବଢାଇବେ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପିଛା ୫.୯୦ ଟଙ୍କା ଏବଂ ଉଚ୍ଚପ୍ରାଥମିକ ପିଲାଙ୍କ ପିଛା ୮.୮୨ ଟଙ୍କା ଲେଖାଏଁ ଖର୍ଚ୍ଚ ହେଉଥିବାବେଳେ ଏଥିରେ ୧ ଟଙ୍କା ବୃଦ୍ଧି ହେବ । ଯାହାଦ୍ୱାରା ମଧ୍ୟାହ୍ନ ଭୋଜନର ମାନ ବଢିବ ଏବଂ ପିଲାଙ୍କୁ ଅଧିକ ପୁଷ୍ଟିକର ଖାଦ୍ୟ ଦିଆଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୨୧ରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ପିଲାଙ୍କ ପିଛା ଟଙ୍କାଏ ବୃଦ୍ଧି କରିବାକୁ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଥିଲେ ।

ରାଜ୍ୟର ପାଖାପାଖି ୫୦ ହଜାରରୁ ଅଧିକ ସ୍କୁଲରେ ପ୍ରାୟ ୪୩ ଲକ୍ଷ ପିଲା ମଧ୍ୟାହ୍ନ ଭୋଜନ ଦ୍ୱାରା ଉପକୃତ ହେଉଛନ୍ତି । ସେମାନଙ୍କୁ ସପ୍ତାହରେ ଦୁଇ ଦିନ ଭାତ-ଡାଲମା, ଭାତ-ସୋୟାବଡି ତରକାରୀ ଓ ଭାତ-ଅଣ୍ଡା ତରକାରୀ ଦିଆଯାଉଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯଦି ଥାଳି ପିଛା ଖର୍ଚ୍ଚ ୧ ଟଙ୍କା ବୃଦ୍ଧି କରାଯାଏ ତାହେଲେ ଏହାର ଦାମ ୬ଟଙ୍କା ୯୦ ପଇସା(ପ୍ରାଥମିକ ବିଦ୍ୟାଳୟ) ଏବଂ ୯ଟଙ୍କା ୮୨ ପଇସା( ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ହେବ । ଗତ କିଛି ଦିନ ହେବ ଡାଲି, ତେଲ ଆଦି ଖାଦ୍ୟ ସାମଗ୍ରୀ ଓ ପନିପରିବାଗୁଡିକର ଦରଦାମ ବୃଦ୍ଧିକୁ ନେଇ ସାଧାରଣରେ ଚିନ୍ତା ଲାଗିରହିଥିବା ବେଳେ ଗୋଟିଏ ଅଣ୍ଡାର ଦାମ ୭ରୁ ୮ ଟଙ୍କା ରହିଛି । ଏଭଳି ସ୍ଥିତିରେ ମଧ୍ୟାହ୍ନ ଭୋଜନ ଥାଳି ପିଛା ୬ଟଙ୍କା ୯୦ ପଇସା ମୂଲ୍ୟରେ ସ୍କୁଲ ପିଲାଙ୍କୁ କେଉଁ ମାନର ଖାଦ୍ୟ ଦିଆଯାଇ ପାରିବ ଯାହାଦ୍ୱାରା ସେମାନଙ୍କ ଶାରିରୀକ, ମାନସିକ ଓ ବୌଦ୍ଧିକ ଶକ୍ତିର ବିକାଶ ଘଟିପାରିବ ତାହା ତର୍ଜମା କରିକା ଆବଶ୍ୟକ ।

ସବୁଠାରୁ ଗୁରୁତ୍ୱ ଓ ଗମ୍ଭୀର କଥା ହେଉଛି ରାଜ୍ୟ ସରକାର ଅନ୍ୟକ୍ଷେତ୍ରରେ ‘ଆହାର’ ଯୋଜନାରେ ଥାଳି ପିଛା ୨୦ରୁ ଅଧିକ ଟଙ୍କା ଖର୍ଚ୍ଚ କରି ପଥୀକମାନଙ୍କ ପାଇଁ ମାତ୍ର ୫ ଟଙ୍କା ମୂଲ୍ୟରେ ଭରପୂର ଭାତ ଡାଲମା ଖାଇବାକୁ ଦେଉଛନ୍ତି । ଯାହାର ମାନକୁ ନେଇ କେବେ କୌଣସି ଆପତ୍ତି ଅଭିଯୋଗ ଉଠିବା ଶୁଣାଯାଇ ନାହିଁ ! ଦୈନିକ ପ୍ରାୟ ଲକ୍ଷାଧିକ ଲୋକ ଏହି ‘ଆହାର’ ଭୋଜନ ପାଇଁ ବିଭିନ୍ନ କେନ୍ଦ୍ରରେ ଧାଡି ବାନ୍ଧି ଶୃଙ୍ଖଳାର ସହିତ ଖାଇଥାନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଖାଇବା ଥାଳିକୁ ନେଇ ସରକାରଙ୍କ ଦୁଇଟି ଯୋଜନାରେ ଏଭଳି ଭିନ୍ନ ଭିନ୍ନ ଆଭିମୂଖ୍ୟ କାହିଁକି? ଯଦିଓ ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି?

ଭାରତର ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନର ଏକ ପୁରାତନ ଇତିହାସ ରହିଥିବାବେଳେ ୧୯୨୫ ମସିହାରେ ମାଡ୍ରାସ ମ୍ୟୁନିସିପାଲ କର୍ପୋରେସନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସାମ୍ନାକୁ ଆସିଲା । ପରବର୍ତ୍ତୀ ସମୟରେ ଗୁଜୁରାଟ, କେରଳ, ତାମିଲନାଡୁ ଏବଂ ପଣ୍ଡିଚେରୀ ଆଦି ଅଂଚଳରେ ପ୍ରାଥମିକ ସ୍ତରରେ ଅଧ୍ୟୟନ କରୁଥିବା ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ସର୍ବଭାରତୀୟ ସ୍ତରରେ ପରିଣତ କରାଗଲା । ଦେଶର ପୁଷ୍ଟିହୀନତା ଦୂର କରିବା ସହିତ ପିଲାମାନଙ୍କର ପୁଷ୍ଟିକର ସ୍ଥିତିକୁ ସୁଦୃଢ଼ କରିବା ଏବଂ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସରକାର ମଧ୍ୟାହ୍ନ ଭୋଜନର ନିଷ୍ପତ୍ତି ନେଲେ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଜାତୀୟ ପୁଷ୍ଟିକର ସହାୟତା କାର୍ଯ୍ୟକ୍ରମ (ଏନ୍ପି-ଏନ୍ଏସ୍ପିଇ)୧୫ ଅଗଷ୍ଟ ୧୯୯୫ରେ ଏକ କେନ୍ଦ୍ରୀୟ ଯୋଜନା ଭାବରେ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏଥିରେ ଉଚ୍ଚ ପ୍ରାଥମିକ ସ୍କୁଲର ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଗଲା । ବର୍ତ୍ତମାନ ଏଥି ନିମନ୍ତେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧିନରେ ବ୍ୟୟ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୨,୪୬୭.୩୯ କୋଟି ବ୍ୟୟ ଅଟକଳ କରାଯାଇଛି । ଦେଶର ପ୍ରାୟ ୧୧.୨୦ ଲକ୍ଷ ସ୍କୁଲର ୧୧କୋଟି ୮୦ ଲକ୍ଷ ପିଲା ଏହି ଯୋଜନାରେ ସାମିଲ ଅଛନ୍ତି (୨୦୨୧-୨୨ ତଥ୍ୟ) ।

ଓଡିଶାରେ ଏହି ଯୋଜନାରେ ରାଜ୍ୟ ସରକାର ୪୦ ଭାଗ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନର ମାନ, ଗୁଣବତ୍ତା ଓ ବିଭିନ୍ନ ସମସ୍ୟାକୁ ନେଇ ଅନେକ ସମୟରେ ପ୍ରଶ୍ନ ପ୍ରତିବାଦ ଓ ଅଭିଯୋଗ ଆଦି ସାମ୍ନାକୁ ଆସୁଛି । ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ’ ଏନେଇ ଦାବୀ କରି ଆସିଛି । ସ୍ଥିତିକୁ ଦୃଷ୍ଟିରେ ରଖି ୨୭ ଅକ୍ଟୋବର ୨୦୨୨ରେ ତତ୍କାଳୀନ ବିଜେଡି ସରକାର ପ୍ରାଥମିକ ସ୍କୁଲ ପିଲାଙ୍କ ପିଛା ୫ଟଙ୍କା ୪୨ପଇସା ରୁ ୫ଟଙ୍କା ୯୦ ପଇସାକୁ ବୃଦ୍ଧି କରିଥିଲେ ଏବଂ ୟୁପି ସ୍କୁଲ ପିଲାଙ୍କ ପାଇଁ ୮ଟଙ୍କା ୧୦ ପଇସାରୁ ୮ଟଙ୍କା ୮୨ ପଇସାକୁ ବୃଦ୍ଧି କରିଥିଲେ । ଅର୍ଥାତ୍ ଅନେକ ଦାବୀ ପରେ ସରକାର ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ଯେଉଁ ୪୦ କି ୭୦ ପଇସା ବଢାଇଲେ, ଯାହା ସମୁଦ୍ରକୁ ଶଙ୍ଖେ ! ବଜାର ଦରଦାମ ଆକାଶ ଛୁଆଁ ଥିବାବେଳେ ଯେକୌଣସି ମତେ ଗତ ୨ ବର୍ଷ ଧରି ସ୍କୁଲରେ ୫.୯୦ଟଙ୍କାରେ ପିଲାଙ୍କୁ ଭୋଜନ ଥାଳି ପରସା ଯାଇ ଆସିଛି ।

ଓଡିଶାରେ ନୂଆ ବିଜେପି ସରକାର ଆସିବା ପରେ ଅନେକଙ୍କ ଧାରଣା ଥିଲା ଯେ, ସ୍କୁଲ ପିଲାମାନଙ୍କୁ ଗୁଣାତ୍ମକ ମାନର ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଉଚିତ ପଦକ୍ଷେପ ନେବେ । ଆଉ ବଜାର ଦରକୁ ଦେଖି ଥାଳି ପିଛା ଦାମ୍ ବୃଦ୍ଧି କରିବେ । ତେବେ ସରକାର ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ମାତ୍ର ୧ ଟଙ୍କା ବୃଦ୍ଧି କରିଛନ୍ତି । ୧ ଟଙ୍କା ବୃଦ୍ଧି ହେଲେ ମଧ୍ୟାହ୍ନ ଭୋଜନର ମାନ ବଢିବ କି? ପୂର୍ବରୁ ପାଣିଆ ଡାଲିର ଯେଉଁ ‘ଦୁର୍ନାମ’ ରହିଛି ଏଥିରେ କେତେ ବହଳିଆ ପୁଷ୍ଟି ବଢିବ? ପୋଷଣ ନାଁରେ ଏହାକୁ ପ୍ରହସନ ନକରି ସରକାର ବିଭିନ୍ନ କମିଟି ସହିତ ଆଲୋଚନା ମାଧ୍ୟମରେ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ କଲେ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କୁହାଯାଉଛି ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ବାତ୍ୟାକୁ ସିଢ଼ି କରି କ୍ଷମତାକୁ ଆସିଥିଲା BJD, ଏବେ ଏହାକୁ କରିଛି ଆଶାବାଡ଼ି

OTV is now on Whatsapp

Join and get latest news update delivered to you via whatsapp

Join Now