• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ମାତ୍ର ୫ ମାସ ମଧ୍ୟରେ, ମୋହନ ମାଝୀ ସରକାର ଦୀର୍ଘ ୫ ବର୍ଷ ଧରି ସ୍ଥଗିତ ଥିବା ପୁଲିସ ମହାସଂଘ ନିର୍ବାଚନ ହେବାକୁ ଯାଉଛି, ଯାହାକୁ ନେଇ ଅଧ ଲକ୍ଷରୁ ଅଧିକ ସଂଖ୍ୟାରେ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ମଧ୍ୟରେ ଉତ୍ସାହର ବାତାବରଣ ସୃଷ୍ଟି ହେବା ସ୍ୱାଭାବିକ। କିନ୍ତୁ ପ୍ରଶ୍ନ ଉଠୁଛି, ପୋଲିସ୍ ସଂଘର ଏହି ନିର୍ବାଚନ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଣ୍ଠା କାହିଁକି ସୃଷ୍ଟି ହୋଇଛି? ଏହି ନିବନ୍ଧରେ ଏହାର କାରଣ ଖୋଜିବା।

ନୂଆ ମୋହନ ମାଝୀ ସରକାର ଆସିବାରୁ ଦୀର୍ଘଦିନ ଧରି ଅଟକି ରହିଥିବା ପୁଲିସ ମହାସଙ୍ଘ ନିର୍ବାଚନ ଯଦି ହେଇପାରିଲା ତା’ହେଲେ ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମଧ୍ୟ ବାଟ ଖୋଲିଯାଇ ପାରେ ବୋଲି ଛାତ୍ରଛାତ୍ରୀମାନଙ୍କ ଭିତରେ ଆଶା ସଂଚାର ହୋଇଛି! କାରଣ, ପ୍ରାୟ ଦୀର୍ଘ ୬ ବର୍ଷ ହେଲା ୨୦୧୮ରୁ କ୍ୟାମ୍ପସ ନିର୍ବାଚନ ବନ୍ଦ ଥିବାରୁ ପୂର୍ବ ସରକାର ବିରୋଧରେ ବିଧାନସଭା ଭିତରେ ଓ ବାହାରେ ପ୍ରତିକ୍ରିୟା ବ୍ୟାପକ ହୋଇଥିଲା। ତେବେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବର୍ତ୍ତମାନ ସୁଦ୍ଧା ସଂଶୟ ଲାଗି ରହିଥିବା ବେଳେ, ପୋଲିସ୍ ମହାସଂଘ ନିର୍ବାଚନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: ବାତ୍ୟାକୁ ସିଢ଼ି କରି କ୍ଷମତାକୁ ଆସିଥିଲା BJD, ଏବେ ଏହାକୁ କରିଛି ଆଶାବାଡ଼ି

ପୁଲିସ ମହାସଂଘ ନିର୍ବାଚନକୁ ନେଇ ପରିବେଶ ସରଗରମ ରହିଛି। ଦୀର୍ଘ ୫ ବର୍ଷ ହେଲା ବନ୍ଦ ଥିବା ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘର ନିର୍ବାଚନ ୧୬ ନଭେମ୍ବରରେ ଅନୁଷ୍ଠିତ ହୋଇଛି। ଏନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗଲାମାସ (୨୨ ଅକ୍ଟୋବର) ଜରୁରୀ ବିଜ୍ଞପ୍ତି ଜାରି କରାଯାଇଥିଲା। ନିର୍ବାଚନ ପାଇଁ ଗତ ସପ୍ତାହରେ ଦୁଇଟି ପ୍ୟାନେଲ ପକ୍ଷରୁ ନାମାନଙ୍କନପତ୍ର ଦାଖଲ କରାଯାଇଥିଲା। ଆସନ୍ତା ୧୯ ତାରିଖରେ ଗଣତି ସହିତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ପାଠକଙ୍କ ଅବଗତି ନିମନ୍ତେ ସୂଚନା ଦେଉଛୁ କି, ପ୍ରତି ଦୁଇ ବର୍ଷରେ ଥରେ ହେବାକୁଥିବା ଏହି ନିର୍ବାଚନ ୨୦୧୯ ମସିହାରୁ ଆଉ ହୋଇନଥିଲା। ୨୦୧୭ ଏପ୍ରିଲ ମାସରେ ଶେଷଥର ପାଇଁ ମହାସଂଘ ନିର୍ବାଚନ ହୋଇଥିଲା। ଏହାପରେ ବିଭିନ୍ନ ଆଳ ଦେଖାଇ ପୂର୍ବର ବିଜେଡି ସରକାର ଏହାକୁ ଟାଳି ଆସୁଥିଲେ। ଫଳରେ ମହାସଙ୍ଘ ସଦସ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚାପା ଉତ୍ତେଜନା ଲାଗି ରହିଥିଲା। ଏହି ୫ ବର୍ଷ ମଧ୍ୟରେ ଯେତେବେଳେ ଯେଉଁ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱରେ ରହିଛନ୍ତି, ପ୍ରାୟ ସଭିଙ୍କୁ ନିର୍ବାଚନ କରିବାକୁ ମହାସଂଘ ତରଫରୁ ନିବେଦନ କରାଯାଇଛି। ବହୁବାର ଏ ବାବଦରେ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି।

ରୋଚକ କଥା ହେଲା, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବ ସରକାର ସମୟରେ ବିରୋଧୀଦଳ ମୁଖ୍ୟ ସଚେତକ ରହିଥିବା ବେଳେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେମିତି ଏକାଧିକ ବାର ବିଧାୟକ ତାରା ପ୍ରସାଦ ବାହିନୀପତି ମହାସଂଘ ନିର୍ବାଚନ ସପକ୍ଷରେ ଗୃହରେ ଯୁକ୍ତି ରଖିଥିଲେ। କିନ୍ତୁ ଦିନ ଗଡ଼େଇ ଚାଲିଥିଲେ ସେତେବେଳର ବିଜେଡି ସରକାର। ତା ପରେ କୋଭିଡ ଆସିଗଲା ଏବଂ ତା ପରେ ପଂଚାୟତ, ସହରାଂଚଳ ଏବଂ ସାଧାରଣ ନିର୍ବାଚନ ଆଳରେ ମହାସଂଘ ନିର୍ବାଚନ ଅଟକି ରହିଥିବା କୁହାଯାଇଥିଲା। ଏହାପରେ ଓଡିଶା ହାଇକୋର୍ଟରେ ଏହି ମାମଲା ପହଂଚିଲା। କିନ୍ତୁ ନିର୍ବାଚନ ସପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶନାମା ଆସିବା ବେଳକୁ ସରକାର ବଦଳି ଯାଇଥିଲା। କିନ୍ତୁ ନୂଆ ସରକାର ଆସିବାର ମାତ୍ର ୫ ମାସ ମଧ୍ୟରେ ମହାସଂଘ ନିର୍ବାଚନ ହେଉଛି।

ଠିକ୍ ସମାନ ସ୍ଥିତିରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅଟକି ରହିଛି। ଏହାକୁ ନେଇ ବିଭିନ୍ନ ଦଳ ଓ ସେମାନଙ୍କ ଛାତ୍ର ସଂଗଠନ ପକ୍ଷରୁ ବ୍ୟାପକ ଦାବି, ପ୍ରତିବାଦ ଓ ଆନ୍ଦୋଳନ ହୋଇ ଆସିଛି। ନିକଟରେ ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ସମୟରେ ପୁଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି, ଅଣାୟତ ପରିସ୍ଥିତି ସୃଷ୍ଟି କରିଥିଲା। କଲେଜ ନିର୍ବାଚନ କରିବା ଦାବିରେ ବିଧାନସଭା ଘେରାଉ ଉଦ୍ୟମ ବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ବହୁବାର ବ୍ୟାପକ ଆନ୍ଦୋଳନ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମଧ୍ୟ ନିର୍ବାଚନ କରିବା ଦାବିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନର ଚିତ୍ର ସାମ୍ନାକୁ ଆସିଛି। ଏଆଇଏସ୍ଏଫ୍ ତଥା ବାମପନ୍ଥୀ ଦଳର ଛାତ୍ର ସଂଗଠନ ଏ ବାବଦରେ ଜୋରଦାର ଆନ୍ଦୋଳନ କରିଛି। ଚଳିତ ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଂଗଠନ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡି ଦାବିପତ୍ର ପ୍ରଦାନ କରିଛି।

ଭାରତୀୟ ସଂସଦୀୟ ଗଣତନ୍ତ୍ର, ନେତୃତ୍ୱର ବିକାଶ, ସାମାଜିକ ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ୱର ମୂଳ ଭିତ୍ତି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଗଣତନ୍ତ୍ରକୁ ଦୁର୍ବଳ କରିବାର ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରାଯାଇଛି। ସମାଜର ନେତୃତ୍ୱର ବିକାଶର ଏନ୍ତୁଡ଼ିଶାଳ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ନେତୃତ୍ୱ ସୃଷ୍ଟିର ଭୃଣ ହତ୍ୟା କରା ଯାଉଛି। ଯଦ୍ୱାରା ରାଗିଂ ଭଳି କୁତ୍ସିତ ଅପରାଧ ଓ ଏକଛତ୍ରବାଦ ସ୍ଥିତି ଉପୁଜିଥିବା ସଙ୍ଗଠନ ଅଭିଯୋଗ କରିଥିଲା।

ସୂଚନାଯୋଗ୍ୟ ଯେ, ଏବେ ଓଡ଼ିଶାରେ ୪୮ଟି ସରକାରୀ ଡିଗ୍ରୀ କଲେଜ ଥିବାବେଳେ ୬୪୮ଟି ଅନୁଦାନପ୍ରାପ୍ତ କଲେଜ ରହିଛି। ଏହାଛଡା ୩୪୧ଟି ଅଣ ଅନୁଦାନପ୍ରାପ୍ତ କଲେଜ ଓ ଅନ୍ୟୁନ ୧୬ଟି ଶିକ୍ଷକ କଲେଜ ଅଛି। ପ୍ରାୟ ୬ ବର୍ଷ ହେଲା ଏଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ। କରୋନା ମହାମାରୀ ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ଆଳ ଦେଖାଇ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। କରୋନା ପରେ ସ୍ୱାଭାବିକ ସ୍ଥିତି ଆସିବା ସତ୍ୱେ ନିର୍ବାଚନ ନହେବା ନେଇ ସେତେବେଳେ ବିରୋଧୀଦଳରେ ଥିବା ବିଜେପି, କଂଗ୍ରେସ ଓ ବାମପନ୍ଥୀ ଦଳମାନେ ଏଥିପାଇଁ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ।

ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ସୂଚନା ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଆଇନ ମନ୍ତ୍ରୀ ଆସନ୍ତା ବର୍ଷକୁ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ମନ୍ତବ୍ୟ ଦେବା ପରେ ଉଚ୍ଚଶିକ୍ଷାମନ୍ତ୍ରୀ ପୁଣି ଏ ପ୍ରସଙ୍ଗରେ ସଫେଇ ଦେଲେ ଯେ, ଛାତ୍ର ସଂସଦ ନିର୍ବାଚନ ସରକାରଙ୍କ ବିଚାରାଧୀନ ରହିଛି। ଆଉ ଇତିମଧ୍ୟରେ ପ୍ରାୟ ୫ ବର୍ଷ ଧରି ଅପେକ୍ଷାରତ ଓଡିଶା ପୁଲିସ ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘର ନିର୍ବାଚନ ହେଉଥିବାରୁ, ଏହାକୁ ନେଇ ଛାତ୍ର ସଂସଦ ନିର୍ବାଚନ ହେବାର ଆଶା ସଂଚାର ହୋଇଛି। ଯଦିଓ ଏ ବାବଦରେ ଦ୍ୱନ୍ଦ୍ୱ ଲାଗିରହିଛି, ତେବେ କ୍ୟାମ୍ପସ ଇଲେକ୍ସନ କେବେ ହେବ ତାହା ଆଗାମୀ ଦିନରେ ଜଣାପଡିବ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ

OTV is now on Whatsapp

Join and get latest news update delivered to you via whatsapp

Join Now