• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର ବିରୋଧ ଭିତରେ ଆଜି ଉଠିଛି ବଡ଼ ପ୍ରଶ୍ନ । ବଦଳୁଛି କି ଗଞ୍ଜାମ ରାଜନୀତି । ପରିବର୍ତ୍ତନ ମୁହାଁ ହେଉଛି କି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ସମୀକରଣ । ଜିଲ୍ଲାରେ ବଢୁଥିବା ଦଳୀୟ ଗୋଷ୍ଠୀ କନ୍ଦଳ, ନେତୃତ୍ୱର ଅଭାବ, ସୂର୍ଯ୍ୟ ପାତ୍ରଙ୍କ ଭଳି ନେତାଙ୍କ ଅସୁସ୍ଥତା ଏବଂ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର ଭଳି କାରଣରୁ ବିଜେଡି ପାଇଁ ଗଞ୍ଜାମ ଅଙ୍କ ଜଟିଳ ହେଉଥିବା ଚର୍ଚ୍ଚା ହେଉଛି । ଅପରପକ୍ଷେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ଶକ୍ତି ବୃଦ୍ଧି ଶାସକ ଦଳର ଟେନସନ ବଢାଇଛି । ଏମିତି ସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନକୁ ଜିଲ୍ଲାରେ କେମିତି ପାରି ହେବ ବିଜେଡି ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ପାଇଁ ବଢୁଛି ଅଡୁଆ । ଗୋଷ୍ଠୀ କନ୍ଦଳକୁ ନେଇ ଟେନସନରେ ଶଙ୍ଖ ଦଳ । ଗଞ୍ଜାମରେ ଦଳକୁ ଘାଟାରେ ପକାଇପାରେ ପାଣ୍ଡିଆନ ଓ ପ୍ରଦୀପଙ୍କ ବିବାଦ । ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡା ଗଞ୍ଜାମ ସଂଗଠନକୁ ନେଇ ଦଳର ଟେନସନ୍ ବଢୁଛି । ୧୩ ନିର୍ବାଚନମଣ୍ଡଳୀ ବିଶିଷ୍ଟ ଗଞ୍ଜାମ ଜିଲ୍ଲାର ସମୀକରଣ ରାଜ୍ୟ ରାଜନୀତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ହେଲେ ଜିଲ୍ଲାରେ ବିଜେଡି ରାଜନୀତି ଏବେ ଅଧିକ ଗୋଳିଆ ହେବାରେ ଲାଗିଛି । ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବି ତାର ଝଲକ ଦେଖିବାକୁ ମିଳିଥିଲା ।

ବିଜେପି ଶକ୍ତି ବୃଦ୍ଧି ହୋଇଥିବା ବେଳେ କିଛି ସ୍ଥାନରେ ବି ବାଜି ମାରି ନେଇଥିଲା କଂଗ୍ରେସ । ବିଜେଡିର ଗଞ୍ଜାମ ଦୁର୍ଗ ଭାଙ୍ଗି ବିଜେପି ୨, କଂଗ୍ରେସ ଗୋଟିଏ ଏନଏସି ଦଖଲ କରିଥିବା ବେଳେ ଆଉ ୨ ଏନଏସି ଦଖଲକୁ ନେଇଥିଲେ ୨ ସ୍ୱାଧୀନ ପ୍ରାର୍ଥୀ । ଏବେ ବି ଅନେକ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ଦଳର ଅଡୁଆକୁ ବଢାଇଛି । ଅନ୍ୟପଟେ ଜିଲ୍ଲାରେ ଦଳ ଏବେ ବସ୍ତୁତଃ ମୁରବୀ ଶୂନ୍ୟ । ପ୍ରଦୀପଙ୍କ ବହିଷ୍କାର ପରେ କେହି ନେତୃତ୍ୱ ନେବା ଭଳି ଜଣା ପଡୁନାହିଁ । କାହିଁକି ନା ବରିଷ୍ଠଙ୍କ ମଧ୍ୟରେ ସୂର୍ଯ୍ୟ ପାତ୍ର ଅସୁସ୍ଥ ଆଉ ବୟସାଧିକ୍ୟ କାରଣ ପାଇଁ ରମେଶ ଚାଉପଟ୍ଟନାୟକ ଓ ଉଷା ଦେବୀ ସେତେଟା ସକ୍ରିୟ ନାହାଁନ୍ତି । ପୁଣି କିଛି ଦିନ ଧରି ମନ୍ତ୍ରୀ ହୋଇଥିବା ଶ୍ରୀକାନ୍ତ ସାହୁ ମହିଳା ବିରୋଧୀ ଅପରାଧ ବିବାଦରେ ଫସିବାକୁ ନେଇ ବି ଅସୁବିଧାରେ ବିଜେଡି ।

କଂଗ୍ରେସରୁ ଆସି ନେତା ହୋଇଥିବା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡାଙ୍କୁ ଭରସା କରିପାରୁ ନାହାନ୍ତି ବିଜେଡି କର୍ମୀ । ତେଣୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବିକ୍ରମ ଆରୁଖକୁ ବାଚସ୍ପତି ପଦରୁ ଅବ୍ୟାହତି ଦେଇ ପୁଣି ମନ୍ତ୍ରୀ କରାଗଲା । ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ନେତୃତ୍ୱ ନେବେ ଏବଂ ସମନ୍ୱୟ ରକ୍ଷା କରି ସଂଗଠନ ସଜାଡିବେ ବିକ୍ରମ । ହେଲେ ଏବେ ଏ ଷ୍ଟ୍ରାଟେଜି ବି କାମ ଦେଉନଥିବା ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ପ୍ରଦୀପ-ପାଣ୍ଡିଆନ ବିବାଦ ଦଳକୁ ତଳକୁ ତଳ ନେଉଥିବା ଚର୍ଚ୍ଚା ହେଉଛି । ଦୁର୍ନୀତି ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡିଛି । କୁହାଯାଉଛି ଏହି ନିଷ୍ପତ୍ତି ଦ୍ୱାରା ଦଳ ବିରୋଧରେ ଏବଂ ପ୍ରଦୀପଙ୍କ ପାଇଁ ସମର୍ଥନ ବଢିଛି ।

ଏକଦା ବିଜେଡିର ଗଡ଼ ଥିବା ଗଞ୍ଜାମରେ କାହିଁକି ଏମିତି ସ୍ଥିତି ? ଏଥିପାଇଁ ଦାୟୀ କିଏ ? ସବୁବେଳେ ଦଳର କଥିତ ସୁଦୃଢ଼ ସଂଗଠନ ଏବେ କାହିଁକି ଓଲଟା ଦିଗରେ ଯାଉଛି ? ଫାଇଭ ଟି ସଚିବ ସବୁକିଛି ବୁଝାବୁଝି କରିବା ପରେ ନେତା ଓ କର୍ମୀ ଭରସା କରିପାରୁ ନାହାନ୍ତି କି ? ଜିଲ୍ଲାରେ ନେତାଙ୍କ ଅପେକ୍ଷା ଅଧିକାରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସଂଗଠନ ବିଗିଡି ଯାଉଛି କି ? ତେବେ ଦୁର୍ବଳ ହୋଇଥିବା ଗଞ୍ଜାମ ଗଡ ପାଇଁ କଣ ରଣନୀତି ତିଆରି କରୁଛି ଶାସକ ଦଳ ? ନିଜ ଜିଲ୍ଲାରେ ସଂଗଠନ ସଜାଡିବାକୁ ଆଗକୁ ଆସିବେ କି ନିଜେ ମୁଖ୍ୟମନ୍ତ୍ରୀ ? ଏସବୁ ପ୍ରଶ୍ନକୁ ନେଇ ବି ଜିଲ୍ଲା ରାଜନୀତିରେ ଜୋରଦାର ଚର୍ଚ୍ଚା ।