• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି କାହାକୁ କରିବ ରାଷ୍ଟ୍ରପତି ପ୍ରାର୍ଥୀ ? ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ବିଜେପି ଯାହାକୁ ପ୍ରାର୍ଥୀ କରିବ ଆପାତତଃ ସିଏ ହିଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବେ । ତେବେ ଏହାରି ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଜୁଏଲ ଓରାମ ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ବିଭିନ୍ନ ଗଣମାଧ୍ୟରେ ଏହାକୁ ନେଇ ଖୁବ୍‌ ଆଲୋଚନା ମଧ୍ୟ ହେଲାଣି ।

ତେବେ  ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୁଏଲ । ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି, ହେଲେ ଏସମ୍ପର୍କରେ ସେ କିଛି କହିବେନି ବୋଲି କହିଛନ୍ତି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏହାପୂର୍ବରୁ ବିଜେପି ଓ ବିରୋଧୀଙ୍କ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

କିଏ ହେବେ ପରବର୍ତ୍ତି ରାଷ୍ଟ୍ରପତି ? କିଏ ସମ୍ଭାଳିବେ ଦେଶର ଏହି ଗୁରୁ ଦାୟିତ୍ୱ ? କାହାକୁ ପ୍ରାର୍ଥୀ କରିବ ବିଜେପି ? ବିରୋଧୀଙ୍କ ପକ୍ଷରୁ କିଏ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ? ଏସବୁ ଚର୍ଚ୍ଚା ଭିତରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଏଥିପାଇଁ ଜୁନ୍ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ ।  ଜୁନ୍ ୩୦ରେ ନାମାଙ୍କନ ଯାଞ୍ଚ ହେବା ସହ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୨୧ରେ ହେବ ଭୋଟ ଗଣତି ।

ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଅଧିସୂଚନା ଜାରି କରିଛନ୍ତି । ନିର୍ବାଚନରେ ଭୋଟ୍ ଦେବା ପାଇଁ ସ୍ୱତନ୍ତ୍ର ଇଙ୍କ ଯୁକ୍ତ ପେନ୍ ପ୍ରଦାନ କରାଯିବ । ଭୋଟ୍ ଦେବା ପାଇଁ ଆପଣଙ୍କୁ ୧,୨,୩ ପସନ୍ଦ ଦର୍ଶାଇବାକୁ ପଡିବ । ତେବେ ଏହି ସମୟ ମଧ୍ୟରେ ରାଜନୈତିକ ଦଳମାନେ କୌଣସି ହ୍ୱିଇପ୍‌ ଜାରି କରିପାରିବେ ନାହିଁ । ସଂସଦ ଏବଂ ବିଧାନସଭାରେ ମତଦାନ ହେବ । ରାଜ୍ୟସଭାର ମହାସଚିବ ନିର୍ବାଚନ ଦାୟିତ୍ୱରେ ରହିବେ ।

ଏହା ବ୍ୟତୀତ ନିର୍ବାଚନ ସମୟରେ କରୋନା ପ୍ରୋଟୋକଲ୍ ଅନୁସରଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଅବଧି ଜୁଲାଇ ୨୫ରେ ସରୁଛି । ଏହାପୂର୍ବରୁ ନୂଆ ରାଷ୍ଟ୍ରପତି ନିର୍ବାଚନ ସରିବ । ତେବେ ନୂଆ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ କିଏ ହେବେ ସେ ନେଇ ବଢ଼ୁଛି ଉତ୍କଣ୍ଠା ।