Advertisment

କାହାର ହେବ ଜୟପୁର ? ହାଟ୍ରିକ ମାରିବ କଂଗ୍ରେସ, ବିଜେଡି ଫେରିବ ନା ଇତିହାସ ରଚିବ ବିଜେପି..?

୧୯୫୧ ପରଠୁ ଏଠି ବିଧାନସଭା ନିର୍ବାଚନରେ ଅଧିକାଂଶ ଥର ଲୋକେ ସେଇ ନେତାଙ୍କୁ ନିର୍ବାଚିତ କରିଛନ୍ତି, ଯିଏ କ୍ଷମତାରେ ରହିଛନ୍ତି। ତେବେ ୨୦୨୪ରେ ପାଣିପାଗ କିଛି ଅଲଗା।

ଅଦ୍ୟତନ ହୋଇଛି
BJP Jeypore Politics

Jeypore Politics

Advertisment

ଦକ୍ଷିଣ ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ହେଉଛି କୋରାପୁଟ ଜିଲ୍ଲାର ଜୟପୁର ଆସନ । ଏକଦା କଂଗ୍ରେସର ଗଡ଼ ଥିବା ଏଇ ସିଟ୍ ବିଜେଡି କବଜାକୁ ଆସିବା ପରେ ପୁଣି ଦୁଇ ଥର କଂଗ୍ରେସ ହାତକୁ ଫେରିଛି । ତେବେ ୨୦୨୪ ନିର୍ବାଚନରେ ଜୟପୁର ଆସନରେ କଂଗ୍ରେସ ହାଟ୍ରିକ୍ ମାରିବ ନା ଏଠି ପୁଣି ବିଜୟ ବାନା ଉଡ଼ାଇବ ବିଜେଡି ? ସେ ଭିତରେ ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବିଜେପି ବି ଦୃଢ଼ ସଂଗଠନ ସହ ଉତ୍ତମ କ୍ଷେତ୍ର ପ୍ରସ୍ତୁତି କରୁଥିବାରୁ ମୋଦି ହାୱାରେ ପଦ୍ମ ଦଳ କିଛି ଚକମା ଦେଖାଇ ଇତିହାସ ରଚିବ କି ?

Advertisment

ଆଗରୁ କଂଗ୍ରେସର ଗଡ଼। ମଝିରେ ବିଜୁ ଜନତା ଦଳର ଦବଦବା। ଆଉ ଏବେ ପୁଣି କଂଗ୍ରେସ ସହ ସାଧାରଣ ଜନତା। ଦକ୍ଷିଣ ଓଡ଼ିଶାର ଅନ୍ୟତମ ସୀମାନ୍ତ ଜିଲ୍ଲା କୋରାପୁଟର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ଜୟପୁର। ୧୯୫୧ ପରଠୁ ଏଠି ବିଧାନସଭା ନିର୍ବାଚନରେ ଅଧିକାଂଶ ଥର ଲୋକେ ସେଇ ନେତାଙ୍କୁ ନିର୍ବାଚିତ କରିଛନ୍ତି, ଯିଏ କ୍ଷମତାରେ ରହିଛନ୍ତି। ତେବେ ୨୦୨୪ରେ ପାଣିପାଗ କିଛି ଅଲଗା।

ଅଧିକ ପଢ଼ନ୍ତୁ: ପାଣି-ଶିକ୍ଷା-ରୋଜଗାର-ରାସ୍ତାଘାଟ-ସ୍ୱାସ୍ଥ୍ୟସେବାରେ ବହୁତ ପଛରେ ଜୟପୁର

Advertisment

୨୦୦୦, ୨୦୦୪ ଏବଂ ୨୦୦୯ରେ ବିଜେଡିର ରବି ନାରାୟଣ ନନ୍ଦ ଏ ଆସନକୁ ନିଜର ଗଡ଼ କରିଥିଲେ ବି ୨୦୧୪ରେ ଶାସକ ଦଳଠୁ ମୁହଁ ଫେରାଇ ନେଇଛନ୍ତି ଜୟପୁରବାସୀ। ସେବେଠୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି କଂଗ୍ରେସର ତାରା ପ୍ରସାଦ ବାହିନୀପତି। ଉଭୟ ୨୦୧୪ ଏବଂ ୨୦୧୯ରେ ଓଡ଼ିଶାରେ ବ୍ରାଣ୍ଡ ନବୀନ ଓ ଶଙ୍ଖ ଦଳର ଲହର ଭିତରେ ବି ଜୟପୁରକୁ ଜିଣି ପାରିନଥିଲା ଦଳ। ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ତଥା ଚର୍ଚ୍ଚିତ ନେତା ତାରା ବାହିନୀପତିଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଶାସନ ଗାଦିରେ ବସାଇଥିଲେ ଲୋକେ। 

ଅନ୍ୟପକ୍ଷରେ ତିନି ତିନି ଥର ଆସ୍ଥା ଜିତି ବି ଚତୁର୍ଥ ଓ ପଞ୍ଚମ ଥରରେ ଜୟପୁରବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲେ ରବି ନନ୍ଦ। ତେବେ ଏଥର ନିର୍ବାଚନରେ ନିର୍ବାଚନ ମଣ୍ଡଳୀର ସମୀକରଣ କଣ। କାହା ଉପରେ ଭରସା କରିବେ ଲୋକେ। କଂଗ୍ରେସକୁ ଲଗାତର ତୃତୀୟ ଥର ସୁଯୋଗ ଦେବେ ନା ବିଜେଡିକୁ କ୍ଷମତା ଦେଇ ପରିବର୍ତ୍ତନ ଆଣିବେ।

Advertisment

ଜୟପୁରରେ ଏବେ ଯାଏଁ ନିର୍ବାଚନରେ ଦେଖିବାକୁ ମିଳିଛି କେବଳ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା। ତେବେ ଏଥର ଲଢେଇରେ କଂଗ୍ରେସ ଓ ବିଜେଡି ସହ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେପି। ଏ ତିନି ପ୍ରମୁଖ ଦଳରୁ ନିର୍ବାଚନୀ ମୈଦାନକୁ ଆସୁଥିବା ନେତାଙ୍କ ଭିତରେ ସମସ୍ତେ ପୁରୁଣା ମୁହଁ। କଂଗ୍ରେସରୁ ତାରା ବାହିନୀପତି ୩ ଥର, ବିଜେଡିରୁ ରବି ନନ୍ଦ ୫ ଥର ଏବଂ ବିଜେପିରୁ ଗୌତମ ସାମନ୍ତରାୟ ୨ ଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେଣି।

ତେବେ ଏଥର ନିର୍ବାଚନରେ ଯେ, ଜୟପୁରବାସୀ ତିନି ପ୍ରମୁଖ ଦଳରୁ ସେଇ ପୁରୁଣା ମୁହଁଙ୍କୁ ଦେଖିବେ, ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। କଂଗ୍ରେସର ତାରା ଏଠି ଅପ୍ରତିଦ୍ୱନ୍ଦୀ ଥିଲେ ବି ତାଙ୍କ ସହ ହାତ ଦଳରୁ ପ୍ରାର୍ଥୀ ହେବା ଧାଡ଼ିରେ ଅଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାଶଙ୍କର ସାହୁ।

ଏପଟେ ୨୪ ନିର୍ବାଚନରେ ବିଜେଡି କାହାକୁ ଟିକେଟ ଦେବ ଏବଂ ରବି ନନ୍ଦ ପୁଣି ପ୍ରାର୍ଥୀ ହେବେ କି ନାହିଁ ତାକୁ ନେଇ ଅନେକ ପ୍ରଶ୍ନ। କାରଣ ଲଗାତର ଦୁଇ ଦୁଇ ଥର ତାରାଙ୍କଠାରୁ ପରାଜୟ ବରଣ କରିବା ପରେ ରବିଙ୍କୁ ତୃତୀୟ ଥର ପାଇଁ ଟିକେଟ୍ ଦେଇ ରିସ୍କ ନେବାକୁ ଚାହିଁ ନପାରେ ବିଜେଡି। ତେବେ ଦଳୀୟ ସଂଗଠନରେ ତାଙ୍କର ପତିଆରା ଏବେ ବି ଜାହିର ଥିବା ଏବଂ ଶୃଙ୍ଖଳିତ କର୍ମୀ ଭାବେ ପରିଚୟ ଥିବାରୁ ରବିଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ନୂଆ 
ମୁହଁ ଭାବେ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଛି।

ସେପଟେ ବିଜେଡି ଯଦି ରବି କିମ୍ବା ତାଙ୍କ ପରିବାରରୁ କାହାକୁ ସୁଯୋଗ ନଦିଏ, ତେବେ ଶଙ୍ଖ ଦଳର ନୂଆ ଚେହେରା ଭାବେ ସାମ୍ନାକୁ ଆସିପାରନ୍ତି ଦଳର ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ। ସେହିଭଳି ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ ଏବଂ ପୂର୍ବତନ ରଣଜୀ ଖେଳାଳି ତଥା ବ୍ୟବସାୟୀ ସୁବାସ ରାଉତଙ୍କ ନାଁକୁ ନେଇ ବି ଅନେକ ଚର୍ଚ୍ଚା। ବିଧାୟକ ଟିକେଟ୍ ପାଇଁ ଲବିରେ ଥିବା ଏ ସମସ୍ତ ନେତା, ଅଞ୍ଚଳରେ ସାମାଜିକ କାର୍ଯ୍ୟକ୍ରମରେ ଆଗୁଆ ଥିବାରୁ ରବିଙ୍କ ପାଇଁ ବିକଳ୍ପ ଭାବେ କେହି ବି ସାମ୍ନାକୁ ଆସିବା ଅନୁମାନକୁ ଖଣ୍ଡନ କରାଯାଇନପାରେ। ଏଣେ ଯଦି ବିଜେଡି ଏଥର ନିର୍ବାଚନରେ ମହିଳା କାର୍ଡ ଖେଳେ ତେବେ ରବି ନନ୍ଦଙ୍କ ପତ୍ନୀଙ୍କ ନାଁ ଆଗକୁ ଆସୁଥିବା ବେଳେ ତାଙ୍କୁ ଚେକ୍ ଦେଇପାରନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ବିନ୍ଦୁରାଣୀ ମିଶ୍ର।

ଜୟପୁର ନିର୍ବାଚନମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ଖାତା ଖୋଲି ନଥିଲେ ବି ଏଥର ନିର୍ବାଚନରେ କିଛି ଚକମା ଅପେକ୍ଷାରେ ପଦ୍ମ ଦଳ। ମିଶନ ମୋଦି, ସରକାର ବିରୋଧୀ ହାୱାକୁ ପୁଂଜି କରି ଦଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରୁଛି। ହେଲେ ପଦ୍ମ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ଏଠି ଗୌତମ ସାମନ୍ତରାୟ ଗତଥର ପ୍ରାର୍ଥୀ ହୋଇଥିବା ବେଳେ ଏଥର ବି ନିଜକୁ ପ୍ରସ୍ତୁତ କରୁଛନ୍ତି। ସେପଟେ ବ୍ୟବସାୟୀ ହିଂମାଶୁ ମହାପାତ୍ର ଏବଂ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି।

ଏସବୁ ଭିତରେ ବଡ଼ ପ୍ରଶ୍ନ ଏଥର କାହାର ହେବ ଜୟପୁର। କଂଗ୍ରେସ ହ୍ୟାଟ୍ରିକ କରିବ, ବିଜେଡି ଫେରିବ ନା ଇତିହାସ ରଚିବ ବିଜେପି।

BJD BJP Congress Odisha Politics General Election 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ