Advertisment

୨୦୨୪ରେ କିଏ ନେବେ ନୂଆପଡ଼ାର ନେତୃତ୍ୱ ? BJDରୁ ଢୋଲକିଆ.. BJPରୁ କିଏ !

ବିଜେପିରୁ ଏକାଧିକ ଆଶାୟୀଙ୍କ ଭିତରୁ ସୁଯୋଗ କାହାକୁ ? କଂଗ୍ରେସରୁ ଶରତ ପଟ୍ଟନାୟକ ଚନ ?

author-image
Satyendu Shekher Mishra
Sattara Satranj  - Kantamala

Sattara Satranj - Kantamala

ଛତିଶଗଡ ସୀମାକୁ ଲାଗି ଥିବା ଓଡିଶାର ଆଉ ଏକ ଉପାନ୍ତ, ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ନୂଆପଡା। ରାଜଧାନୀଠୁ ଦୂରତା ଯେତିକି ଅଧିକ, ଏଠି ରାଜନୀତିର ରାଜନୈତିକ ଉଷ୍ମତା ତାଠୁ ବେଶି । ୧୯୮୫ ପରଠୁ ଏ ଆସନ ଅଣକଂଗ୍ରେସ ଗଡ଼। ସେବେଠୁ ଏ ଆସନରେ କୌଣସି ଗୋଟିଏ ଦଳର ନେତାଙ୍କୁ ଲଗାତର ଦୁଇଥର ସୁଯୋଗ ମିଳିନି।

Advertisment

୨୦୧୯ରେ ଏଠି ବିଜେଡିରୁ ବାଜିମାତ୍ କରି ବିଧାୟକ ଅଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ। ଗତ ନିର୍ବାଚନରେ କଂଗ୍ରେସର ଘାସିରାମ ମାଝୀଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ହରାଇ ତୃତୀୟ ଥର ପାଇଁ ନୂଆପଡ଼ାବାସୀଙ୍କୁ ନେତୃତ୍ୱ ଦେଇଥିଲେ ରାଜେନ୍ଦ୍ର ଢୋଲକିଆ। ୨୦୦୪ରେ ପ୍ରଥମେ ସ୍ୱାଧୀନ ଭାବେ ବିଜୟୀ ହୋଇଥିଲେ ରାଜେନ୍ଦ୍ର। ହେଲେ ୨୦୦୯ରେ ରାଜେନ୍ଦ୍ର ବିଜେଡିରେ ଯୋଗଦେବା ପରେ ୨୦୦୯ ଏବଂ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି।

ତିନି ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ରହିଛି ନିର୍ବାଚନମଣ୍ଡଳୀରେ ଦବଦବା। ସେ ଦୃଷ୍ଟିରୁ ୨୦୨୪ରେ ତାଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି। ରାଜେନ୍ଦ୍ର ନୂଆପଡ଼ାରୁ ବିଜେଡିରୁ ତୃତୀୟ ଥର ପାଇଁ ପ୍ରାର୍ଥୀ ହେବା ପରେ ନିରାଶ ହୋଇଛନ୍ତି ବହୁ ଆଶାୟୀ। ପୂର୍ବରୁ ରାଜେନ୍ଦ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆନ୍ଦୋଳନ କରୁଥିବା ବିଜେଡି ନେତାଙ୍କ ମୁହଁ ଏବେ ଚୁପ୍।

Advertisment

ନୂଆପଡ଼ା ନିର୍ବାଚନମଣ୍ଡଳୀରେ ରାଜେନ୍ଦ୍ରଙ୍କ ପାରମ୍ପରିକ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବସନ୍ତ ପଣ୍ଡା। ୨୦୦୯ରେ ବସନ୍ତ ଏଇଠି ରାଜେନ୍ଦ୍ରଙ୍କଠୁ ପରାଜିତ ହେବା ପରେ ୨୦୧୪ରେ ଏଠି ରାଜେନ୍ଦ୍ରଙ୍କୁ ପ୍ରାୟ ୧୦ ହଜାର ଭୋଟରେ ହରାଇଥିଲେ ବସନ୍ତ।

ତେବେ ୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା କଳାହାଣ୍ଡି ଲୋକସଭା ଆସନ ଲଢ଼ିବାରୁ ନୂଆପଡ଼ା ବିଜେପିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହୋମ ସିଂ ମାଝୀ। ସେ ମାତ୍ର ୨୯, ୪୯୦ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ବିଜେପି ଏ ଆସନରେ ୩ ଥର ବିଜୟୀ ହୋଇଥିବାରୁ ଏଠୁ ଏଥର ବିଜେପି ଟିକେଟରେ ଲଢିବାକୁ ମାଳ ମାଳ ଆଶାୟୀ। ସାଂସଦ ବସନ୍ତ ପଣ୍ଡା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢୀ, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ ଓ ଖରିଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଆଶାୟୀ ଥିବା ଚର୍ଚ୍ଚା ହେଉଛି।

ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଶେଷ ଥର ପାଇଁ ୧୯୮୦ ମସିହାରେ ବିଜୟୀ ହୋଇଥିଲା । ତା ପରଠାରୁ କଂଗ୍ରେସ ଆଉ ଏ ଆସନକୁ ଦଖଲ କରିପାରିନି। ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ୪୫, ୩୧୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେଣୁ ଏଥର ବି କଂଗ୍ରେସ ଘାସିରାମ ମାଝିଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିପାରେ। କିନ୍ତୁ ଏଠି ପିସିସି ସଭାପତି ଶରତ ପଟ୍ଟନାୟକ ନିଜେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ହେଉଛି। ଯଦି ଶରତ ପଟ୍ଟନାୟକ ପ୍ରାର୍ଥୀ ହେବାକୁ ଚାହାଁନ୍ତି, ତେବେ ତାଙ୍କୁ ହିଁ ଟିକେଟ୍ ମିଳିବ। କଂଗ୍ରେସ ଛାଡିଥିବା ଯୁବ ନେତା ରବି ମଙ୍ଗରାଜ ମଧ୍ୟ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି।

BJD BJP Congress Odisha Politics General Election 2024 Sattara Satranj
Advertisment
Advertisment