Advertisment

କିଏ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ ?

ପ୍ରଫେସର ଗଣେଶୀ ଲାଲ୍‌ଙ୍କ କାର୍ଯ୍ୟକାଳ ସରିଲା । ଏବେ ରାଷ୍ଟ୍ରପତି ଭବନ ଉପରେ ରାଜ୍ୟବାସୀଙ୍କ ନଜର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha New Governor

Governor Of Odisha

କିଏ ହେବେ ଓଡିଶାର ନୂଆ ରାଜ୍ୟପାଳ ? ରାଜ୍ୟର ପ୍ରଥମ ନାଗରିକ ଭାବେ କାହାକୁ ମିଳିବ ଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ? ତାକୁ ନେଇ ଏବେ ଚର୍ଚ୍ଚା । ଯେହେତୁ ଏବେକାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ମେ’ ୨୯ରେ ଅର୍ଥାତ୍ ଆଜି ସରୁଛି ଓ ରାଷ୍ଟ୍ରପତି ଭବନ ପକ୍ଷରୁ ଓଡ଼ିଶା ପାଇଁ ନୂଆ ରାଜ୍ୟପାଳଙ୍କ ନାଁ ଘୋଷଣା ହୋଇନି । ତେଣୁ ବର୍ତ୍ତମାନର ରାଜ୍ୟପାଳ ହିଁ ନୂଆ ରାଜ୍ୟପାଳ ନଆସିବା ଯାଏଁ ଦାୟିତ୍ୱରେ ରହିବେ ।

Advertisment

୨୦୧୮ ମେ’ ୨୯ରେ ପ୍ରଫେସର ଗଣେଶୀ ଲାଲ୍ ଓଡିଶା ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ନିଜ କାର୍ଯ୍ୟକାଳକୁ ଗଣେଣୀ ଲାଲ୍ ବେଶ ସୁଚାରୁରୂପେ ଓ ନିର୍ବିବାଦୀୟ ଭାବେ ତୁଲାଇଛନ୍ତି । ତାସହ ଜିଲ୍ଲା ଜିଲ୍ଲା ବୁଲି ସାଧାରଣ ଲୋକଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବି ଯୋଗ ଦେଇଛନ୍ତି । ଜଣେ ସରଳ ଅମାୟିକ ରାଜ୍ୟପାଳ ଭାବେ ଗଣେଣୀ ଲାଲ୍ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ହରିୟାଣାର ମୂଳବାସିନ୍ଦା ପ୍ରଫେସର ଗଣେଶୀ ଲାଲ୍ ସେଠାକାର ରାଜ୍ୟ ବିଜେପି ସଭାପତି ରହିବା ସହ ମନ୍ତ୍ରୀ ଭାବେ ବି ଦାୟିତ୍ୱ ତୁଲାଇଥିଲେ। ଓଡିଶା ରାଜ୍ୟପାଳ ହେବା ପରଠୁ ବିଜେଡି ସରକାରଙ୍କ ସହ ତାଙ୍କର କେବେ କୌଣସି ବିବାଦ ଦେଖାଯାଇନି । ସରକାରଙ୍କ ସହ ଉତ୍ତମ ସମନ୍ବୟ ରକ୍ଷା କରି ସେ ତାଙ୍କ ୫ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି। ତେଣୁ ଆଗକୁ ତାଙ୍କ ସ୍ଥାନ କିଏ ନେବ ? ତାକୁ ରାଜ୍ୟବାସୀଙ୍କ ଅପେକ୍ଷା ।

ଯଦିଓ ଅନେକ ରାଜ୍ୟରେ ସରକାର-ରାଜ୍ୟପାଳ ବିବାଦ ନଜରକୁ ଆସିଛି ହେଲେ ଓଡିଶାରେ ସେମିତି କିଛି ନାହିଁ। ଯେହେତୁ ଓଡ଼ିଶାରେ ବିଜେଡିକୁ ସ୍ପଷ୍ଟ ବହୁମତ ମିଳିଥିଲା, ତେଣୁ ସରକାର ପ୍ରତି କୌଣସି ସମୟରେ ବିପଦ ନଥିଲା। କିନ୍ତୁ ଏବେ ରାଜନୈତିକ ପାଣିପାଗ କିଛି ଅଲଗା କହୁଛି ଓ ଆଗକୁ ନିର୍ବାଚନ ଆସୁଛି। ତେଣୁ ଯିଏ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ, ତାଙ୍କ ପାଇଁ କାର୍ଯ୍ୟକାଳ ବେଶ୍ ଚ୍ୟାଲେଞ୍ଜିଂ ହେବ । ଯଦି ନିର୍ବାଚନରେ ସଂଖ୍ୟା ଗଣିତ ଏପଟ ସେପଟେ ହେଲା ତାହାଲେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ତେଣୁ ଯାହାଙ୍କୁ ଏହି ଗୁରୁ ଦାୟିତ୍ବ ମିଳିବ, ସେ ରାଜ୍ୟ ସରକାରଙ୍କ ସହ କେତେ ସମନ୍ୱୟ ରକ୍ଷା କରୁଛନ୍ତି ତାହା ବି ଦେଖିବାର କଥା। କେବେ ନୂଆ ରାଜ୍ୟପାଳ ଆସିବେ, ଏବେ ତାକୁ ଅପେକ୍ଷା।

Advertisment

BJD Odisha Politics Odisha Governor
Advertisment
Advertisment