ଘଡାଇ ଖୋଲିଲେ କୋରେଇ ଗୁମର । ପରୋକ୍ଷରେ ବିଜେଡିକୁ ନିଶାନା କଲେ, ପୁଅ ବିରୋଧରେ ହୋଇଥିବା ଚକ୍ରାନ୍ତକୁ ନେଇ ବିଷୋଦଗାର ବି କଲେ । ଗତକାଲି କୋରେଇରେ ଏକ ଉତ୍ସବ ମଞ୍ଚରୁ ପୁଅ ପ୍ରୀତିରଞ୍ଜନଙ୍କୁ କିଭଳି ଗତ ନିର୍ବାଚନବେଳେ ଚକ୍ରାନ୍ତ କରି ସୁକିନ୍ଦା ପଠାଗଲା ସେ ଗୁମର ଖୋଲି, ଅହଂକାରରେ ସରକାର ଭାଙ୍ଗିଯାଏ ବୋଲି ବି କହିବାକୁ ପଛାଇନଥିଲେ ସିନିୟର ଘଡ଼ାଇ । ଯାହାକୁ ବିଜେଡି କଡ଼ା କାଉଣ୍ଟର କରି କହିଛି- ଆମ ଦଳରେ କେହି ଷଡ଼ଯନ୍ତ୍ର କରନ୍ତିନି । ତେଣେ ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବି ଘଡ଼ାଇ ବାପ-ପୁଅଙ୍କୁ ମାରିଛନ୍ତି ତେରଛା ବାଣ ।
Also Read
ପୁଅ ପାଇଁ ମୁହଁ ଖୋଲିଲେ । ବିଜେଡି ଚକ୍ରାନ୍ତର ଗୁମର ପଦାକୁ ଆଣି ବିଷୋଦଗାର କଲେ । ବିଜୁ ଜନତା ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଏଭଳି ସାଙ୍ଘାତିକ ବୟାନ ଏବେ ବିଜେଡି ରାଜନୀତିରେ ସୃଷ୍ଟି କରିଛି କଂପନ । ପୁଅ ପ୍ରୀତିରଞ୍ଜନଙ୍କୁ କିପରି ଚକ୍ରାନ୍ତ କରି କୋରେଇ ଆସନରୁ ସୁକିନ୍ଦା ପଠା ଯାଇଥିଲା, ତାକୁ କୋରେଇ କରଦା ହରିହାଟ ମହୋତ୍ସବ ମଞ୍ଚରେ ଖୋଲାଖୋଲି ବଖାଣିଛନ୍ତି ସିନିୟର ଘଡାଇ । ପ୍ରଫୁଲ୍ଲ କହିଥିଲେ ମୋ ପୁଅ ଓ କୋରେଇବାସୀଙ୍କ ଇଛା ବିରୋଧରେ ପ୍ରୀତିରଞ୍ଜନଙ୍କୁ ସୁକିନ୍ଦା ଯିବାକୁ ପଡିଲା । ଦଳୀୟ ରାଜନୀତିର ଶିକାର ହୋଇ ସେଦିନଠୁ ମୁଁ ବି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛି । ଅହଂକାରରେ ରାଜନୈତିକ ଦଳ ଭାଙ୍ଗିଯାଏ । ଅହଂକାରରେ ବ୍ୟକ୍ତି ନଷ୍ଟ ହୋଇଯାଏ ଓ ଅହଂକାରରେ ସରକାର ବି ଭାଙ୍ଗିଯାଏ ବୋଲି କାହା ନାଁ ନନେଇ କହିବାକୁ ପଛାଇନଥିଲେ ପ୍ରଫୁଲ୍ଲ ଘଡ଼ାଇ ।
ଅଧିକ ପଢ଼ନ୍ତୁ: ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଖୁବଶୀଘ୍ର ସରିବ ନିଗମ-ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା
ତେବେ ପ୍ରଫୁଲ୍ଲ ଘଡାଇଙ୍କ ଭଳି ଜଣେ ଭେଟେରାନ୍ ନେତାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ପ୍ରଶ୍ନ- ସତରେ କଣ ବିଜେଡିରେ ଚାଲିଥିଲା ଚକ୍ରାନ୍ତ ଥିଓରୀ ? ଯଦି ଘଡାଇ ପରିବାର ଷଡଯନ୍ତ୍ରର ଶିକାର ହୋଇଛି, ତାହାଲେ ଏତେ ଦିନ ଯାଏଁ ଚୁପ୍ ବସିଥିଲେ କାହିଁକି ? ଯଦିଓ ଏନେଇ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପ୍ରତିକ୍ରିୟା ମିଳିନାହିଁ, ତେଣେ ବିଜେଡ଼ି କିନ୍ତୁ ପ୍ରଫୁଲ୍ଲଙ୍କ ବୟାନକୁ ଜୋରଦାର କାଉଣ୍ଟର କରିଛି । ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି- ଆମ ଦଳରେ କେହି ଷଡଯନ୍ତ୍ର କରନ୍ତିନି, ନବୀନ ବାବୁ ହିଁ ସବୁ ବୁଝନ୍ତି । ତେଣେ ସୁକିନ୍ଦା ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବି ସିନିୟର ଘଡାଇଙ୍କ ବୟାନ ଉପରେ ମାରିଛନ୍ତି ତେରଛା ବାଣ । କହିଛନ୍ତି ପ୍ରଫୁଲ୍ଲ ବାବୁ ସୁକିନ୍ଦା ଆସନକୁ ଫେରିବାକୁ ଚାହୁଁଛନ୍ତି। ପୁଅ ପ୍ରୀତିରଞ୍ଜନ ସୁକିନ୍ଦାରେ ଆଉ ଜିତି ପାରିବେନି ବୋଲି ଜାଣିଲେଣି, ତେଣୁ ବାପା ସୁକିନ୍ଦାରେ ଓ ପୁଅକୁ କୋରେଇରେ ଛିଡ଼ା କରାଇବାକୁ କୌଶଳ ଚଳାଇଛନ୍ତି ।
ଏମିତି ଦେଖିବାକୁ ଗଲେ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନକୁ ନେଇ ବିଜେଡ଼ି ରାଜନୀତିରେ ସବୁବେଳେ ଟଣାଓଟରା । ଏ ଆସନ ଉପରେ ଉଭୟ ଘଡ଼ାଇ ଓ ବବି ଦାସଙ୍କ ପରିବାର ଭିତରେ ଛକାପଞ୍ଛା ଲାଗି ରହିଛି । ଏମିତିକି ଗତ ନିର୍ବାଚନରେ ଏଠୁ ବବି ଦାସଙ୍କ ମାଆ ସନ୍ଧ୍ୟାରଣୀ ଦାସଙ୍କୁ ଟିକେଟ୍ ଦେଇଥିଲେ ବିଜେଡି । ହେଲେ ସେ ପରାଜିତ ହୋଇଥିଲେ । ତାସତ୍ତ୍ବେ ବବି ଦାସ ଏବେ ବି କୋରେଇରେ ତାଙ୍କ ସଂଗଠନ ଜାରି ରଖିଛନ୍ତି । ଘଡ଼ାଇ ଓ ବବି ଦାସଙ୍କ ପରିବାର ଭିତରେ କଳିରୁ ବିଜେପି ଫାଇଦା ନେଇଗଲା ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।
ଏବେ ଦେଖିବାର କଥା କୋରେଇ ନିର୍ବାଚନଣ୍ଡଳୀ ସହ ସମଗ୍ର ଯାଜପୁର ଜିଲ୍ଲାରେ ଦଳର ବିଗୁଡୁଥିବା ସ୍ଥିତିକୁ କେମିତି ମ୍ୟାନେଜ କରୁଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ।