• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଣ୍ଡଗୋଳ.. ହିଂସା... ଗୋଷ୍ଠୀ ସଂଘର୍ଷ.. ବୁଥ୍ ରିଗିଂ... ଟଙ୍କା ବଣ୍ଟାକୁ ନେଇ ଅସନ୍ତୋଷ.. ସାମ୍ବାଦିକଙ୍କୁ ଆକ୍ରମଣ । ସାରା ରାଜ୍ୟରେ ପଂଚାୟତ ନିର୍ବାଚନବେଳ ଦେଖିବାକୁ ମିଳିଛି ବିଶୃଙ୍ଖଳାର ଏଭଳି ମାଳମାଳ ଚିତ୍ର । ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୋଡା ବ୍ଲକରେ ହୋଇଥିବା ଭୋଟ ହିଂସାରେ ଟେକାପଥର ମାଡ ହୋଇଛି । ଆଉ ସେଥିରେ ଭାଙ୍ଗିଯାଇଛି ଅଟୋ ରିକ୍ସା, ଚାରି ଚକିଆ ଯାନ । ଛିନଛତ୍ର ହୋଇ ପଡିରହିଛି ମଟର ସାଇକେଲ୍ ।

ବଳଦା ପଂଚାୟତ ଗୁରୁଡ଼ା ନିକଟ ଠାକୁରାମୀ ଗାଁରେ ଦୁଇ ସରପଂଚ ପ୍ରାର୍ଥୀ ରଜିଂତା ନାୟକ ଓ ବରୁଣ କୁମାର ନାୟକଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ଗୋଟିଏ ଗୋଷ୍ଠୀକୁ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ସମର୍ଥନ କରୁଥିବା ବେଳେ ଆଉ ଏକ ଗୋଷ୍ଠୀକୁ ବିଧାୟୀକା ମିନାକ୍ଷୀ ମହାନ୍ତ ସମର୍ଥନ ଥିବା କୁହାଯାଉଛି ।

ସେପଟେ ବଡବିଲ ଥାନା ଭଦ୍ରାସାହି ପଂଚାୟତ ବୁରୁହଟିଂର ଭୋଟରମାନେ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେଇଥିବାରୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି । ସେପଟେ ଖୁଣ୍ଟୁଣୀ ଥାନା କଣ୍ଡରେଇ ପଂଚାୟତର ମାଣତ୍ରୀ ଗାଁରେ ରାତି ଅଧରେ ଟଙ୍କା ବାଣ୍ଟଯାଉଥିବାରୁ ଦୁଇ ଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସେପଟେ ଚୌଦ୍ୱାର ଥାନା ଅନ୍ତର୍ଗତ ବଡସାମନ୍ତପୁର ପଂଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିଲା । ୨ଜଣଙ୍କ ମୁଣ୍ଡ ଫାଠିଥିବାରୁ ସେମାନଙ୍କୁ କଟକରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି ।

ଅନ୍ୟପଟେ ଏଥର ପଂଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ସବୁଠୁ ଅଧିକ ହିଂସା ଘଟଣା ସାମ୍ନାକୁ ଆସିଛି । ବୁଥ୍ କ୍ୟାପଚରିଂ, ବୁଥ୍ ରିଗିଂ, ଭୋଟ ବାକ୍ସ ଲୁଟ, ହିଂସା, ସାମ୍ବାଦିକ ଓ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ଯାହାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇଛି । ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି ।