• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଅଣଗାନ୍ଧି ପରିବାରର ନେତା ଧରିଛନ୍ତି ଜାତୀୟ କଂଗ୍ରେସ ର ମଙ୍ଗ । ଏଥିପାଇଁ ଏକ ହାଇପ୍ରୋଫାଇଲ୍ ନିର୍ବାଚନ ହୋଇଥିଲା । ଯେଉଁଥିରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଓ ମଲ୍ଲିକାର୍ଜୁନ୍‌ ଖଡ଼ଗେଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା । ଶେଷରେ ଏହି ନିର୍ବାଚନରେ ବାଜି ମାରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ଏବେ ଜାତୀୟ କଂଗ୍ରେସର ଭାର ଖଡ଼ଗେଙ୍କ କାନ୍ଧରେ ।

ଏହି ନିର୍ବାଚନରେ ମୋଟ ୯୩୮୫ ଭୋଟ ଗ୍ରହଣ ହୋଇଥିବା ବେଳେ ଖଡଗେଙ୍କୁ ମିଳିଛି ୭୮୯୭ ଭୋଟ୍ । ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶଶି ଥରୁରଙ୍କୁ ୧୦୭୨ ଭୋଟ ମିଳିଛି । ଏହି ନିର୍ବାଚନରେ ୪୧୪ ଭୋଟ୍ ଅବୈଧ ହୋଇଛି । ଶଶି ଥରୁରଙ୍କ ତୁଳନାରେ ଖଡଗେଙ୍କୁ ଆଠ ପ୍ରତିଶତ ଅଧିକ ଭୋଟ୍‌ ମିଳିଛି । ଏହାପୂର୍ବରୁ ସୀତାରାମ କେଶରୀ ଅଣଗାନ୍ଧି କଂଗ୍ରେସ ସଭାପତି ଥିଲେ ।

ଅଧିକ ପଢ଼ନ୍ତୁ: ୨୪ ବର୍ଷ ପରେ ଅଣଗାନ୍ଧି କଂଗ୍ରେସ ମୁଖିଆ ! ମଲ୍ଲିକାର୍ଜୁନ ଖଡ଼ଗେ ନୂଆ ସଭାପତି

ତେବେ ସୀତାରାମ କେଶରୀ ୧୯୯୮ରେ ୫ ବଷ ପାଇଁ ଦାୟିତ୍ୱ ମୁଣ୍ଡାଇଥିଲେ ମଧ୍ୟ ମାତ୍ର ଦୁଇ ବର୍ଷରେ ସେ ସୋନିଆ ଗାନ୍ଧିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହାପରେ ଲଗାତର ଭାବେ ୨୦୧୭ ପର୍ଯ୍ୟନ୍ତ ସୋନିଆ ଦଳର ମଙ୍ଗ ସମ୍ଭାଳିଥିଲେ । ଏହାପରେ ରାହୁଲ ଗାନ୍ଧି ଅପ୍ରତିଦ୍ୱନ୍ଦ୍ୱି ଭାବେ ଦଳର ସଭାପତି ନିର୍ବାଚିତ ହୋଇଥିଲା । ରାହୁଲ ଦଳରେ ମଙ୍ଗ ଧରିବା ପରେ ଦଳରେ ଅସନ୍ତୋଷ ତେଜିଥିଲା । ଦଳ କୌଣସି ନିର୍ବାଚନରେ ଆଖିଦୃଶିଆ ସଫଳତା ହାସଲ କରିପାରିଲା ନାହିଁ । ଏହାପରେ ୨୦୧୯ରେ ରାହୁଲଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା । ସେବେଠାରୁ ପୁଣି ସୋନିଆ ଗାନ୍ଧି ଅନ୍ତରୀଣ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । କିନ୍ତୁ ଆଜିର ନିର୍ବାଚନରେ ଶ୍ରୀ ଖଡ଼ଗେ ବିଜୟୀ ହେବା ପରେ ଏବେ ଦଳର ପୁରା ଦାୟିତ୍ୱ ତାଙ୍କ କାନ୍ଧରେ ରହିଛି ।

ଏହି ମଲ୍ଲିକାର୍ଜୁନ ଖଡ଼ଗେ କିଏ ? ଜାଣନ୍ତୁ..

ମଲ୍ଲିକାର୍ଜୁନ ଖଡ଼ଗେ । କୌଣସି ଏକ ସାଧାରଣ ନାଁ ନୁହେଁ । କର୍ଣ୍ଣାଟକ୍‌ରେ ଏହି ନାଁ ଏକ ବହୁତ ବଡ଼ ନାଁ । ଏହି ନାଁ କର୍ଣ୍ଣାଟକରେ ଖୁବ୍‌ ଚର୍ଚ୍ଚିତ । ୮୦ ବର୍ଷିୟ ଖଡ଼ଗେଙ୍କ ପାଖରେ ପ୍ରାୟ ପାଞ୍ଚ ଦଶନ୍ଧିର ରାଜନୈତିକ ଅଭିଜ୍ଞତା ରହିଛି । ସେ ଲଗାତର ଭାବେ ୯ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ରାଜନୈତିକ କ୍ୟାରିଅର ଖୁବ୍ ଶାଳିନତାର ସହ ଆଗକୁ ବଢ଼ିଛି । ସେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଗୁଲବାର୍ଗରୁ ତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିବା ବେଳେ ଏବେ କାଲବୁରାଗିରୁ ଏବେ ସେ ପ୍ରତିନିଧିତ୍ୱ କରୁଛନ୍ତି ।

ଏବେ ଆସନ୍ତୁ ଜାଣିବା ରାଧାବାଈ ଖଡ଼ଗେ କିଏ ?

ରାଧାବାଈ ଖଡ଼ଗେ ହେଉଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପତ୍ନୀ । ୧୯୬୮ ମସିହା ମେ ୧୩ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ତିନୋଟି ପୁଅ ହେଲେ ପ୍ରିୟାଙ୍କ, ରାହୁଲ ଓ ମିଲିନ୍ଦ ଏବଂ ଦୁଇଟି ଝିଅ ହେଲେ ପ୍ରିୟଦର୍ଶିନୀ ଏବଂ ଜୟଶ୍ରୀ । ରାଧାବାଈ ହେଉଛନ୍ତି ଜଣେ ଗୃହିଣୀ । ତାଙ୍କର କେବଳ ଗୋଟିଏ ପୁଅ ପ୍ରିୟାଙ୍କ ଯିଏ କି ବିଧାୟକ ରହିଛନ୍ତି ଏବଂ ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ । ପ୍ରିୟାଙ୍କଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସନ୍ତାନ ସାଧାରଣ ଭାବେ ଜୀବନ ଯାପନ କରୁଛନ୍ତି । ଏମିତିକି ଅନ୍ୟ ଦୁଇ ପୁଅ ସାଧାରଣ ବ୍ୟବସାୟୀ ।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖଡ଼ଗେଙ୍କ ସବୁ ସନ୍ତାନଙ୍କ ନାଁ, ନେହେରୁ ବା ଗାନ୍ଧି ପରିବାର ଦ୍ୱାରା ପ୍ରଦତ୍ତ ।

ତେବେ ସବୁଠାରୁ ବଡ଼ କଥା ହେଲା, ଆଜି ଭୋଟିଂ ପରେ ଦଳ ପକ୍ଷରୁ ବିଜେତା ଘୋଷଣା ହେବା ପୂର୍ବରୁ ରାହୁଲ ଗାନ୍ଧି ଖଡ଼ଗେଙ୍କୁ ପାର୍ଟି ପ୍ରେସିଡେଣ୍ଟ ବୋଲି ସମ୍ବୋଧନ କରିଥିଲେ ।