• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ଶିଳାନ୍ୟାସ କରିବାର ବିତିଗଲା ୪ବର୍ଷ । ୟା ଭିତରେ ସ୍ମାରକୀ ସ୍ଥଳୀରେ ଶିଳା ଖଣ୍ଡେ ବି ପଡ଼ିଲାନି । ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଯାଇଥିବା ଜମି ଅଧିଗ୍ରହଣରେ ବି ସମସ୍ୟା ଯୋଗୁ ଆଗେଇ ପାରୁନି କାମ । ଏବେ ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ । ଏହି ବିଳମ୍ବକୁ ନେଇ ବୁଦ୍ଧିଜୀବୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ କହୁଥିବାବେଳେ ରାଜ୍ୟ ସରକାର କିନ୍ତୁ ଶୀଘ୍ର ଏଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ ।

ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ । ଅନେକ ଆନ୍ଦୋଳନ, ଦାବି ପରେ ଶେଷରେ ଶିଳାନ୍ୟାସ କରାଗଲା । କିନ୍ତୁ ଆରମ୍ଭ ହୋଇପାରିଲାନି ନିର୍ମାଣ କାମ । ଶିଳାନ୍ୟାସର ୪ ବର୍ଷ ପରେ ବି ଆଗେଇ ପାରିନି ଇଞ୍ଚେ କାମ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତୀ ଅବସରରେ ଖୋର୍ଦ୍ଧା ବରୁଣେଇଠାରେ ୨୦୧୯ ଡିସେମ୍ବର ୮ ତାରିଖରେ ତତକାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ଶିଳାନ୍ୟାସ କରିଥିଲେ । ହେଲେ ଏଭିତରେ କେବଳ ବିତିଛି ଦିନ, ମାସ, ବର୍ଷ । ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ । ଏନେଇ ବିଭିନ୍ନ ସଂଗଠନ ଆନ୍ଦୋଳନ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ କାମ ଆଗଉନଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

ଖୋର୍ଦ୍ଧା ପାଇକ ବିଦ୍ରୋହରେ ବହୁ ପାଇକ ବୀର ଶହିଦ୍ ହୋଇଥିଲେ । ଆଜି ମଧ୍ୟ ସେହି ପାଇକ ବଂଶଧରମାନଙ୍କ ଦାୟାଦମାନେ ଓଡ଼ିଆ ଜାତିର ପାଇକ ବିଦ୍ରୋହକୁ ଉପଯୁକ୍ତ ପ୍ରାଧାନ୍ୟ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରୁଛନ୍ତି । ଏହାରି ଭିତରେ ରାଜ୍ୟ ଓ କେନ୍ଦ୍ର ସରକାର ବରୁଣେଇଠାରେ ପାଇକ ସ୍ମାରକୀ ନିର୍ମାଣ ଦିଗରେ ଆନ୍ତରିକତା ଦେଖାଉନଥିବାରୁ ଅନେକ ଏହାକୁ ନାପସନ୍ଦ କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ମୁନା ଖାଁ ।