Advertisment

ବିନା ମୁରବିରେ ଓଡ଼ିଶା କଂଗ୍ରେସକୁ ୩ ମାସ, ଏଯାଏଁ ନୂଆ ପିସିସି ସଭାପତି ବାଛି ପାରୁନି AICC

ମାସ ମାସ ଧରି ବିନା ମୁରବିରେ ଚାଲିଛି ଓଡ଼ିଶା କଂଗ୍ରେସ। ପିସିସି ସମେତ ଦଳର ସବୁ କମିଟି ଭାଙ୍ଗିବାକୁ ୩ ମାସ ବିତିବାକୁ ଯାଉଛି। ହେଲେ ନୂଆ ମଙ୍ଗୁଆଳ ଏଯାଏଁ ନିଯୁକ୍ତ କରିପାରିନାହିଁ AICC ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
PCC President

PCC President

କେବେ ନିଯୁକ୍ତ ହେବେ ପିସିସିର ନୂଆ ସଭାପତି ? କିଏ ଧରିବେ ରାଜ୍ୟ କଂଗ୍ରେସ୍ ମଙ୍ଗ ? ହାଇକମାଣ୍ଡଙ୍କ ନିଷ୍ପତ୍ତିରେ କାହିଁକି ହେଉଛି ବିଳମ୍ବ ? ୨୪ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜୁଲାଇ ୨୧ରେ ପିସିସି ସମେତ ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ AICC । ଯାହାକୁ ଏବେ ୩ ମାସ ପୂରିବାକୁ ଯାଉଛି। ଆଉ ଦିଶାହୀନ ଅବସ୍ଥାରେ ଚାଲିଛି ପ୍ରଦେଶ କଂଗ୍ରେସ୍ କମିଟି । ଯେଉଁଠି ବିଜେପି ଓ ବିଜେଡି ଫୁଲଦମରେ ସଦସ୍ୟତା ଅଭିଯାନରେ ମାତିଛନ୍ତି ସେଠି କଂଗ୍ରେସରେ ନା କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହେଉଛି, ନା ପରାଜୟର କାରଣ ଖୋଜାଯାଉଛି । ଏଭଳି ସ୍ଥିତିରେ ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି ସେ ଏହି ରେସରେ ନାହାନ୍ତି । ପାର୍ଟିରେ କିଏ କେଉଁ ଦାୟିତ୍ବରେ ରହିବେ ସେ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ବ ନେବେ ।

Advertisment

୨୪ ନିର୍ବାଚନରେ କଂଗ୍ରେସର ୯ରୁ ୯୦ ନାରା ଫେଲ୍ ମାରିବା ପରେ ଚର୍ଚ୍ଚା ହେଉଛି କେନ୍ଦ୍ରୀୟ ନେତୃତ୍ବ ତରବରିଆ ଭାବେ ନୂଆ ମଙ୍ଗୁଆଳ ନିଷ୍ପତ୍ତି ନନେଇ ଏଥିପାଇଁ ଗଭୀର ବିଚାର ବିମର୍ଶ ଚଳାଇଛନ୍ତି । ପିସିସି ରେସରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଭକ୍ତଚରଣ ଦାସ, ମହମ୍ମଦ ମୋକିମ୍ ଏବଂ ଜୟଦେବ ଜେନାଙ୍କ ଭଳି ଅଭିଜ୍ଞ ନେତାଙ୍କ ନାଁ ଥିବା କୁହାଯାଉଛି ।

ସେପଟେ ପିସିସି ଭାଙ୍ଗି ଦିଆଯିବା ପରେ ଗତ ଅଗଷ୍ଟ ୧୨ରେ AICC ସଭାପତି ମଲିକାର୍ଜୁନ ଖଡଗେଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିଲା ଏକ ୧୪ ଜଣିଆ ଷ୍ଟିୟରିଂ କମିଟି । ପରେ ସେଥିରେ ଆଉ ୭ ଜଣଙ୍କ ନାଁ ଯୋଡ଼ା ଯାଇଥିଲେ ବି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁ କିନ୍ତୁ ସେଥିରେ ନାହିଁ । ଯେଉଁଥି ପାଇଁ ତାରା ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏଣେ କିଛିଦିନ ତଳେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କହିଥିଲେ ତାଙ୍କ ବାପା ମହମ୍ମଦ ମୋକିମ PCC ସଭାପତି ପାଇଁ ଫିଟ୍ । ହେଲେ ମୋକିମ୍ କହିଛନ୍ତି ସବୁ ନିଷ୍ପତି କେନ୍ଦ୍ରୀୟ ନେତୃତ୍ବ ଉପରେ ।

Advertisment

ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟ କଂଗ୍ରେସରେ ଏଭଳି ବିଚିତ୍ର ସ୍ଥିତି ପୂର୍ବରୁ କେବେ ବି ହୋଇନଥିଲା । କଂଗ୍ରେସ ହାଇକମାଣ୍ଡ ହୁଏତ ଓଡ଼ିଶା ନେତୃତ୍ବକୁ ଭରସାରେ ନେଇପାରୁ ନାହାନ୍ତି । ଅନ୍ୟପକ୍ଷରେ AICC ଯେଉଁଭଳି ଭାବେ ଓଡ଼ିଶାକୁ ଫୋକସ କରିବା କଥା ତାହା କରୁନାହାନ୍ତି ବୋଲି ମତ ଦେଇଛନ୍ତି ।

ପିସିସି ଭାଙ୍ଗିବା ପରେ ଷ୍ଟିୟରିଂ କମିଟିର କେବଳ ଗୋଟିଏ ବୈଠକ ଗତ ଅଗଷ୍ଟ ୨୧ ତାରିଖରେ ଅଜୟ କୁମାରଙ୍କ ନେତୃତ୍ବରେ ହୋଇଥିଲା। ଏହାପରେ ସବୁ ଯେମିତି ଠପ୍ ହୋଇଯାଇଛି। ଦେଖିବାର କଥା ନୂଆ ମଙ୍ଗୁଆଳ ନେଇ ଲାଗିରହିଥିବା ଅନିଶ୍ଚିତତାରେ କେବେ ପୂର୍ଣ୍ଣଛେଦ ପଡୁଛି ।

OPCC AICC Congress President
Advertisment
Advertisment