• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡି ବିଧାୟକଙ୍କ ଘରେ ଲାଗିଛି କି ଟଙ୍କା ଗଛ ? ନଚେତ୍‌ ହଠାତ୍‌ କେମିତି ବଢ଼ିଗଲା ବିଜେଡି ବିଧାୟକଙ୍କ ସମ୍ପତ୍ତି ? କୋଉଠୁ ଆସିଲା ଏତେ ଟଙ୍କା ? କିଏ ଦେଲା ତାଙ୍କୁ ଟଙ୍କା ? ଅନ୍ୟ କିଛି ବଡ଼ ବ୍ୟବସାୟ କରୁଛନ୍ତି ବିଜେଡି ବିଧାୟକ ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ । ଯାହାଙ୍କର ଆଗରୁ ଗୋଟିଏ ଚାରି ଚକିଆ ଗାଡ଼ି ଥିଲା ହଠାତ ତାଙ୍କର ଆଉ ଗୋଟିଏ ଦାମୀ ଗାଡ଼ି ସହ ଘର ଦ୍ୱାର ବ୍ୟାଙ୍କ ବାଲାନ୍ସ ସବୁ ବଢ଼ିଯାଇଛି । ହେଲେ କେମିତି ? ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଅନନ୍ତ ଦାସଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏମିତିକି ଲୋକାୟୁକ୍ତରେ ବି ହୋଇଛି ତାଙ୍କ ନାଁରେ ଅଭିଯୋଗ ।

ଅଭିଯୋଗ ଅନୁଯାୟୀ ଗତ ୯ ମାସ ଭିତରେ ବିଧାୟକ ଅନନ୍ତ ଦାସଙ୍କ ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ବୃଦ୍ଧି ପାଇଛି । ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି ଅନନ୍ତଦାସ ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁଶୁଡ଼ା ଗ୍ରାମର ବାସିନ୍ଦା ଶିବଶଙ୍କର ଦାସମହାପାତ୍ର ତାଙ୍କ ବିରୋଧରେ ରାଜ୍ୟ ଲୋକାୟୁକ୍ତରେ ମାମଲା ଦାୟର କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୧୮ ଜୁଲାଇ ୩ ତାରିଖ ସୁଦ୍ଧା ଭୋଗରାଇ ବିଧାୟକ ତଥା ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ସ୍ଥାବର ସମ୍ପତ୍ତି ୬୮ ଲକ୍ଷ ୩୫ ହଜାର ୨୩୦ ଟଙ୍କା ୯୯ ପଇସା ଥିଲା । ଏହାସହ ୫ ଲକ୍ଷ ୮୯ ହଜାର ଟଙ୍କାର ଚାରିଚକିଆ ଯାନ ରହିଥିଲା । ସେହିଭଳି ତାଙ୍କର ଅସ୍ଥାବର ସମ୍ପତ୍ତି ଭାବେ ୨ଟି ଘର ସମେତ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ତାଙ୍କ ପତ୍ନୀଙ୍କ ନାଁରେ ସମୁଦାୟ ୬୪ ଡେସିମିଲ ଜମି ରହିଥିଲା । ସେହି ଜମିର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଏହି ସବୁ ତଥ୍ୟ ଖୋଦ୍‌ ବିଧାୟକ ଅନନ୍ତ ଦାସ ଦେଇଛନ୍ତି । ତାଙ୍କ ସମ୍ପତ୍ତି ତାଲିକାର ତଥ୍ୟ ଅନୁଯାୟୀ ପତ୍ନୀଙ୍କର କୌଣସି ବ୍ୟକ୍ତିଗତ ରୋଜଗାର ନାହିଁ । ଏହାବାଦ ୨୦୧୮-୧୯ ଆର୍ଥିକ ବର୍ଷରେ ଶ୍ରୀ ଦାସ ୧୩ ଲକ୍ଷ ୩୬ ହଜାର ୬୦ ଟଙ୍କାର ରିଟର୍ଣ୍ଣ ଫାଇଲ କରିଥିଲେ ବୋଲି ମଧ୍ୟ ଜଣାଇଛନ୍ତି ।

ତେବେ ଏହାର ଠିକ ୯ ମାସ ପରେ ହଠାତ୍‌ ବଢ଼ିଗଲା ବିଧାୟକଙ୍କ ସମ୍ପତ୍ତି । ପାଖାପାଖି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ବୃଦ୍ଧି ହୋଇଥିବା ନେଇ ମଧ୍ୟ ନିଜେ ବିଧାୟକ ଦେଇଥିବା ତଥ୍ୟରୁ ସ୍ପଷ୍ଟ ଜଣାପଡ଼ିଛି । ୨୦୧୯ ଏପ୍ରିଲ ୨ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ ଅନନ୍ତ ଦାସ । ଆଉ ସେହି ସମୟରେ ଦେଇଥିଲେ ସମ୍ପତ୍ତି ତାଲିକା । ଯାହାକୁ ଦେଖି ଆଖି ତରାଟି ଡୋଇଯାଉଛି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ବୃଦ୍ଧି ପାଇଥିବା ତାଙ୍କ ତଥ୍ୟରୁ ଜଣାପଡ଼ିଛି ।

ଏଥିରେ ସେ ନିଜର ସ୍ଥାବର ସମ୍ପତ୍ତି ୬୨ ଲକ୍ଷ ୯୭ ହଜାର ୭୩ ଟଙ୍କା ସହିତ ୧୬ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଗୋଟିଏ ମହିନ୍ଦ୍ରା ମାରାଜା-୭ ଏସ୍‌ଟିଆର ଏ୮ ଚାରିଚକିଆ ଯାନ ରହିଥିବା ଉଲ୍ଲେଖ କରିଥିଲେ । ଏହାସହିତ ଅସ୍ଥାବର ସମ୍ପତ୍ତି ଭାବେ ଜୟଦେବ ବିହାରରେ ଗୁହ ନିର୍ମାଣ ପାଇଁ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବାଲେଶ୍ୱର ମୁଖ୍ୟ ଶାଖାରେ ୬ ଲକ୍ଷ ୫୦ ହଜାର ଟଙ୍କା ଋଣ ରହିଥିବା ସେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ପେନସନ ଓ ଚାଷ ବ୍ୟତୀତ ତାଙ୍କର ଅନ୍ୟ କୌଣସି ରୋଜଗାର ନଥିବା ମଧ୍ୟ ସେ ସ୍ପଷ୍ଟ ଭାବେ ଏଥିରେ ଉଲ୍ଲେଖ କରିଛନ୍ତି ।

ତେବେ ପ୍ରଥମ ଏବଂ ଦ୍ୱିତୀୟ ତାଲିକାକୁ ଯଦି ଆମେ ଦେଖିବା ତେବେ ମାତ୍ର ୯ ମାସ ମଧ୍ୟରେ ତ।ଙ୍କ ସମ୍ପତ୍ତିରେ ୪୦ ଲକ୍ଷ ୬୧ ହଜାର ୮୪୩ ଟଙ୍କା ବୃଦ୍ଧି ପାଇଛି । ହେଲେ ଏଠି ପ୍ରଶ୍ନ ଯଦି ତାଙ୍କର କୌଣସି ପ୍ରକାର ବାହ୍ୟ ରୋଜଗାର ନାହିଁ । କିମ୍ବା କୌଣସି ବ୍ୟବସାୟ ବି ନାହିଁ । ତେବେ ଏତେ ପରିମାଣର ସମ୍ପତ୍ତି ମାତ୍ର ୯ ମାସ ମଧ୍ୟରେ କେମିତି ବୃଦ୍ଧି ପାଇଲା ?

ଦୁଇଟି ଯାକ ତାଲିକାକୁ ଦେଖିଲେ, ଏଥିରୁ ସ୍ପଷ୍ଟ ଯେ, ବିଧାୟକ ଅନନ୍ତ ଦାସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଛନ୍ତି । ତେଣୁ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରି ପ୍ରକୃତ ସତ୍ୟ ଉନ୍ମୋଚନ କରିବା ସହ କ୍ଷମତାଶାଳୀ ବ୍ୟକ୍ତିଙ୍କ ପ୍ରକୃତ ଚରିତ୍ର ଲୋକଲୋଚନକୁ ଆଣିବା ପାଇଁ ସମାଜସେବୀ ଶିବଶଙ୍କର ଦାସ ମହାପାତ୍ର ଲୋକାୟୁକ୍ତଙ୍କୁ ନିବେଦନ କରିଛନ୍ତି । ଅନ୍ୟପଟେ ଏନେଇ ବିଧାୟକ ଅନନ୍ତ ଦାସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ସେ କହିଛନ୍ତି ତାଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି ତାହା ସ୍ପଷ୍ଟ ଭାବେ ପଢ଼ିଲା ପରେ ବା ଜାଣିବା ପରେ ଏନେଇ ସେ କିଛି କହିପାରିବେ ।