• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

୮ ମାସ ଧରି ଖାଲି ପଡିଥିବା ପିସିସି ସଭାପତି ପଦବୀରେ ଭକ୍ତ ଚରଣ ଦାସଙ୍କ ନିଯୁକ୍ତି କଂଗ୍ରେସ ପାଇଁ ଆଶ୍ୱସ୍ତି ଆଣିଛି । ଏଥିରେ ଦଳ ଉତ୍ସାହିତ ହେବା ସ୍ୱାଭାବିକ କଥା । ତେବେ ତାଙ୍କ ନିଯୁକ୍ତିର ମାତ୍ର କିଛି ସମୟ ମଧ୍ୟରେ ପୁରୁଖାନେତାଙ୍କ ଘରବାହୁଡା, ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ଆଦେଶ ପ୍ରତ୍ୟାହାର, ପୁରୀକୁ ପଦଯାତ୍ରା ଆଦି ନିଷ୍ପତ୍ତି ନେଇ ଶ୍ରୀ ଦାସ ରାଜ୍ୟ ରାଜନୀତିରେ ଏକ ଚହଳ ସୃଷ୍ଟି କରିଛନ୍ତି । ତାଙ୍କ ଠାରେ କଂଗ୍ରେସ କର୍ମୀ ଓ ସମର୍ଥକ ଏକ ନୂଆ ସମ୍ଭାବନାର ସକାଳକୁ ଦେଖିବା ଆରମ୍ଭ କରିଛନ୍ତି । ଚରମ ବିପର୍ଯ୍ୟୟର ସାମ୍ନା କରୁଥିବା ଦଳର ଭାଗ୍ୟ ଓ ଭରସା ଏବେ ଭକ୍ତ ଦାସଙ୍କ ହାତରେ । ତେବେ ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ନୂଆ ପିସିସି ସଭାପତିଙ୍କ ଆଗାମୀ ରଣକୌଶଳ କଣ ହେବ?

ଅଧିକ ପଢ଼ନ୍ତୁ: Odisha BJP: ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ଅନୁସନ୍ଧାନର ଅନ୍ତ: 

ଭାରତୀୟ ଜାତୀୟ କଂଗ୍ରେସ ଦୀର୍ଘ ୮ ମାସର ବ୍ୟବଧାନ ପରେ ଓଡିଶା ପାଇଁ ମୁଖିଆ ଚୟନର ଅନୁସନ୍ଧାନ ଅନ୍ତ କରିଛି! ଓଡିଶାର ନୂଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନାମ ଘୋଷଣା କରି ଦଳ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି । ଏହା ସହିତ ୟୁପିର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କୁ ଓଡିଶା ପ୍ରଭାରୀ ଭାବରେ ଦଳ ଦାୟିତ୍ୱ ଦେଇଛି । ୨୦୨୪ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ବିଭିନ୍ନ ଅବ୍ୟବସ୍ଥା, ଅନିୟମିତତା, ପରିଚାଳନାଗତ ତ୍ରୁଟି ଆଦି ଅଭିଯୋଗ ନେଇ ଦଳୀୟ କନ୍ଦଳ କନ୍ଦଳ ଘନିଭୂତ ହେବା ପରେ ରାଜ୍ୟ ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ନୂଆ ସଭାପତି ଓ କମିଟି ହୋଇପାରିନଥିଲା । ଏଆଇସିସି ଏକ ଷ୍ଟିଅରିଂ କମିଟି ଗଠନ କରି ୮ ମାସ ହେଲା କାମ ଚଳାଇ ଆସୁଥିଲା । ଏଭଳି କି ୩ମାସ ତଳେ ଏଆଇସିସି ଦ୍ୱାରା ନିଯୁକ୍ତ ଏକ ପର୍ଯ୍ୟବେକ୍ଷଣ କମିଟି ଓଡ଼ିଶା ଆସିଥିଲେ ମଧ୍ୟ ରାଜ୍ୟର ମଙ୍ଗ କିଏ ଧରିବ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁ ନଥିଲେ । 

ଓଡିଶା ପିସିସି ସଭାପତି ଭାବରେ ଭକ୍ତ ଚରଣ ଦାସଙ୍କ ନାମ ଘୋଷଣା ହେବା ପରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖିବାକୁ ମିଳିଛି । ୨୦୦୦ ପରଠାରୁ କ୍ଷମତାରୁ ବହୁ ଦୂରରେ ଥିବା ରାଜ୍ୟ କଂଗ୍ରେସ ଗତ ଦୁଇ ଦଶନ୍ଧି ମଧ୍ୟରେ କ୍ରମାଗତ ଭାବେ ଚରମ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି । ଏହାରି ଭିତରେ ଅନେକ ବରିଷ୍ଠ ନେତା ଦଳର ମଙ୍ଗ ଧରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ବିରୋଧରେ ଟିକେଟ ବଣ୍ଟନରେ ବ୍ୟାପକ ଅନୀୟମିତତା, କ୍ଷମତାରେ ଥିବା ଦଳ ସହିତ ଭିତିରିଆ ସଂପର୍କ ଆଦି ଅନେକ ଆପତ୍ତି ଅଭିଯୋଗ କାରଣରୁ ଅଧିକ ବିବାଦୀୟ ହୋଇ ସଭାପତି ପଦରୁ ଇସ୍ତଫା ଦେବାକୁ ପଡିଛି । ବାରମ୍ବାର ଦଳୀୟ କନ୍ଦଳ ଲାଗିରହିବା ଫଳରେ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଏକ ନିରାଶାପଣ ସୃଷ୍ଟି କରିଛି । ଯେତେବେଳେ ବି ଦଳ ପାଇଁ ରାଜ୍ୟରେ ରାଜନୈତିକ ସୁଯୋଗ ସୃଷ୍ଟି ହୋଇଛି, କଂଗ୍ରେସର ଆବଶ୍ୟକତାକୁ ଅନୁଭବ କରାଯାଇଛି, ସେତେବେଳେ ଏହି କାରଣ ପାଇଁ ଦଳର ସମର୍ଥକଙ୍କ ମଧ୍ୟରେ ଏକ ନିରାଶାପଣ ସୃଷ୍ଟି କରିଛି । ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି କରିଛି ଯେ, ଓଡିଶାରେ ଦଳ ଆଉ କଣ ଉଠି ପାରିବନି?

ଭକ୍ତ କାହିଁକି?

ଓଡିଶାରେ ପିସିସି ସଭାପତି ପାଇଁ ଭକ୍ତ ଚରଣ ଦାସଙ୍କ ବ୍ୟତୀତ କଟକର ପୂର୍ବତନ ବିଧାୟକ ମହମ୍ମଦ ମୁକିମ୍, ଶ୍ରୀକାନ୍ତ ଜେନା ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କ ନାମ ମୁଖ୍ୟତଃ ଚର୍ଚ୍ଚାରେ ଥିଲା । ଜାତୀୟ ସ୍ତରରେ ଏବେ ବିଭିନ୍ନ ରାଜ୍ୟରେ ଗାନ୍ଧୀ ଅନୁଗତ୍ ନେତାମାନଙ୍କୁ ମନୋନୀତ କରାଯାଉଥିବାରୁ ସେହି କ୍ରମରେ ଭକ୍ତ ଚରଣ ଦାସଙ୍କ ନାମ ମନୋନୀତ ହୋଇଥିବା ସ୍ପଷ୍ଟ ଜଣାପଡୁଛି । ଗୋଷ୍ଠୀବିବାଦ ଦଳରେ ବଡ଼ ବ୍ୟାଧି ହୋଇଥିବାବେଳେ ଭକ୍ତ ଚରଣ ଦାସ ଏଥିରେ ସଂପୃକ୍ତ ନଥିବା ବିଶ୍ୱାସ କରାଯାଏ । କାରଣ ବହୁ ବର୍ଷ ହେଲା ରାଜ୍ୟ ରାଜନୀତି ଠାରୁ ସେ ଦୂରରେ ବିଭିନ୍ନ ରାଜ୍ୟରେ ପ୍ରଭାରୀ ଦାୟିତ୍ୱରେ ଥିଲେ । ଏହା ବ୍ୟତୀତ ଅଭିଜ୍ଞତା ଦୃଷ୍ଟିରୁ ସେ ଦଳର ନେତା ଓ ସାଧାରଣ ଜନତାଙ୍କୁ ଆକର୍ଷିତ କରିବାର କ୍ଷମତା ରଖନ୍ତି ।

ପ୍ରଥମ ଥର ଦଳିତ ସମ୍ପ୍ରଦାୟରୁ ସଭାପତି 

ଏଆଇସିସି ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବରେ ନିଯୁକ୍ତି ଦେଇ ପ୍ରଥମ କରି ଦଳିତ କାର୍ଡ ଖେଳିଛି । ଓଡିଶାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରଥମ କରି ୧୯୨୦ରେ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ହୋଇ ଦୀର୍ଘ ୮ ବର୍ଷ ଧରି ନିରବଛିନ୍ନ ଭାବେ ଦଳର ଦାୟିତ୍ୱ ତୁଲାଇଥିଲେ । ଏହା ପରେ ୧୪ ଥର ସଭାପତି ପଦରେ ପରିବର୍ତ୍ତନ ଘଟିଛି । ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା ଭଳି ବରିଷ୍ଠ ନେତା ଦୁଇ ଦୁଇ ଥର ପିସିସି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଆଦିବାସୀ ସମ୍ପ୍ରଦାୟରୁ ସଭାପତି ହେବାରେ ପ୍ରଥମ ଓ ଏକମାତ୍ର ନେତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଉ ବର୍ତ୍ତମାନ ଜଣେ ଦଳିତ ସମ୍ପ୍ରଦାୟରୁ ଏଆଇସିସି ପ୍ରଥମ କରି ଭକ୍ତ ଚରଣ ଦାସଙ୍କୁ ସଭାପତି ଭାବରେ ନିଯୁକ୍ତ କରିଛି । 

ରାଜ୍ୟରୁ ଜାତୀୟସ୍ତରରେ ଭକ୍ତଙ୍କ ନେତୃତ୍ୱ

କଳାହାଣ୍ଡି ଲୋକସଭା ଆସନରୁ ତିନିଥର ସାଂସଦ ଥିବା ଶ୍ରୀ ଦାସ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଯୁବ ବ୍ୟାପାର ଏବଂ କ୍ରୀଡା ଉପମନ୍ତ୍ରୀ ଏବଂ ୧୯୯୦ ରୁ ୧୯୯୧ ପର୍ଯ୍ୟନ୍ତ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ୧୯୮୫ ରୁ ୧୯୮୯ ପର୍ଯ୍ୟନ୍ତ ଭବାନୀପାଟଣା ବିଧାନସଭା ଆସନରୁ ଜନତା ଦଳର ବିଧାୟକ ମଧ୍ୟ ଥିଲେ । ସେ ୨୦୨୪ ନିର୍ବାଚନରେ ନର୍ଲା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଫଳ ହୋଇଥିଲେ । ତଥାପି, ତାଙ୍କ ପୁଅ ସାଗର ଦାସ କଂଗ୍ରେସ ଟିକେଟରେ ଭବାନୀପାଟଣା ବିଧାନସଭା ଆସନରୁ ଜିତିଥିଲେ ।

ଅଧିକ ପଢ଼ନ୍ତୁ: ବିଜେପିର ମେଗା ପ୍ଲାନ୍ ; କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଏବଂ ବିଧାୟକ

କଣ ହେବ ଆହ୍ୱାନ ଓ ଆକ୍ସନ?

ଦଳୀୟ କନ୍ଦଳ, ଗୋଷ୍ଠୀ ବିବାଦକୁ ଦୂରେଇ ତୃଣମୂଳସ୍ତରରୁ ଦଳର ସାଂଗଠନ ମଜବୁତ କରିବା ନୂଆ ସଭାପତିଙ୍କ ପାଇଁ ପ୍ରଥମ ଓ ପ୍ରଧାନ ଆହ୍ୱାନ ହୋଇଥିବାରୁ ଏଥିପାଇଁ ସେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର ବା ସର୍ବକ୍ଷମା ଘୋଷଣା କରି ଭକ୍ତ ଦାସ ଦଳକୁ ଯୋଡିବାର ବଡ ଫର୍ମୁଲା ପ୍ରୟୋଗ କରିଛନ୍ତି । ଯାହାଫଳରେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସୁର ରାଉତରାୟ, ମାନସ ଚୌଧୁରୀ କଂଗ୍ରେସକୁ ଫେରିଛନ୍ତି । ଆଗାମୀ ଦିନରେ ଅନେକ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନେତାଙ୍କ ଘରବାହୁଡା ହେବାର ସମ୍ଭାବନା ସୃଷ୍ଟି ହୋଇଛିି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାର ସଠିକ ପରିଚାଳନା ନୂଆ ସଭାପତିଙ୍କ ପାଇଁ ଆହ୍ୱାନ ହେବ ।

ସଭାପତି ଘୋଷଣାରେ ବିଳମ୍ବ: ରଣକୌଶଳ?

ବିଜେପି ଓଡିଶାରେ ସରକାର ଗଠନ କରିବା ପରେ ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡିର ଦଳୀୟ କନ୍ଦଳ ବୃଦ୍ଧି ଚର୍ଚ୍ଚାରେ ରହିଛି । ଆଉ ଠିକ ଏତିକି ବେଳେ କଂଗ୍ରେସ ପଶ୍ଚିମ ଓଡିଶାରୁ ଭକ୍ତ ଦାସଙ୍କ ଭଳି ଜଣେ ବରିଷ୍ଠ ଅଭିଜ୍ଞ ନେତାକୁ ଦଳର ସଭାପତି କରାଯାଇଛି । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଓଡିଶା ପିସିସି ସଭାପତି ନିଯୁକ୍ତିରେ ୮ ମାସ ଧରି ବିଳମ୍ବ ହେବା ଏକ ରଣକୌଶଳ ବୋଲି ଅନୁମାନ କରାଯାଏ । ଏତକ ଦିନ ଏଆଇସିସି ରାଜ୍ୟ ରାଜନୀତିକୁ ବୋଧେ ଅନୁଧ୍ୟାନ କରୁଥିଲା ।

ଜାତୀୟସ୍ତରରେ ବିଜେପିକୁ ବିରୋଧୀ କଂଗ୍ରେସ କଡା ଟକ୍କର ଦେଉଥିବାବେଳେ ରାଜ୍ୟରେ ବିଜେପି ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇଛି ପଶ୍ଚିମ ଓଡିଶାରୁ । ଯେହେତୁ ବିଜେଡି ଦଳୀୟ କନ୍ଦଳ ଚର୍ଚ୍ଚାରେ ରହିଛି, କଂଗ୍ରେସ ଏହାର ଫାଇଦା ନେବାର ଉଦ୍ୟମ କରିପାରେ । କେବଳ ପଶ୍ଚିମ ଓଡିଶା କାହିଁକି, ସମଗ୍ର ରାଜ୍ୟରେ କଂଗ୍ରେସ ସମର୍ଥକ ବା ପକେଟ ଭୋଟକୁ ମଜବୁତ କରିବା ସହିତ ଅନ୍ୟ ଭୋଟକୁ ଦଳପ୍ରତି ପ୍ରଭାବିତ କରିବାର ଉଦ୍ୟମ କରିବ ! ଜଳ, ଜମି, ଜଙ୍ଗଲ, ଚାଷ, ଦରଦାମ ଆଦି ପ୍ରମୁଖ ପ୍ରସଙ୍ଗ ରହିଥିବାବେଳେ ନୂଆ ସଭାପତି ଭକ୍ତ ଦାସଙ୍କ ଏଥିପ୍ରତି ଆଭିମୂଖ୍ୟ ଓ ରଣକୌଶଳ କ’ଣ ହେବ ତା’ ଉପରେ ସଭିଙ୍କ ନଜର ।

OTV is now on Whatsapp

Join and get latest news update delivered to you via whatsapp

Join Now