/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704118353.jpg)
New Challenge For Poltical Party
୨୩ ସରିଲା, ଚାଲିଲା ନିର୍ବାଚନୀ ବର୍ଷ ୨୪'। ଓଡ଼ିଶା ରାଜନୀତିରେ ଆଗକୁ ଆସୁଛି ସବୁଠୁ ବଡ଼ ପରୀକ୍ଷା। ଆଉ ମାତ୍ର ୩-୪ ମାସ ପରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ରାଜନୈତିକ ଦଳ ପାଖରେ ସମୟ କମ୍, ଆଉ ଚ୍ୟାଲେଞ୍ଜ ଅଧିକ। ଲମ୍ବା ସମୟ ଧରି ଶାସନରେ ଥିବା ବିଜେଡି ପାଇଁ ସବୁଠାରୁ ଅଧିକ ଆହ୍ୱାନ। ଆଉ ବିରୋଧୀଙ୍କ ଆଗରେ ସଂଗଠନ ସଜାଡି, କର୍ମୀଙ୍କୁ ଏ ଲଢ଼େଇ ପାଇଁ ଏକଜୁଟ୍ କରିବା ଜଟିଳ ଅଙ୍କ।
ଏପ୍ରିଲ୍ ବେଳକୁ ସାଧାରଣ ନିର୍ବାଚନ । କ’ଣ ରହିବ ରହିବ ରାଜନୈତିକ ସମୀକରଣ ? ଚବିଶ ଚ୍ୟାଲେଞ୍ଜକୁ ନେଇ ୩ ଦଳର ଅଙ୍କକଷା। ନୂଆବର୍ଷ ଆରମ୍ଭରୁ ଷ୍ଟ୍ରାଟେଜି କରାଯାଇ ଆରମ୍ଭ ହେବ ନିର୍ବାଚନ ପ୍ରଚାର। ହେଲେ ସବୁଠୁ ଅଧିକ ଆହ୍ୱାନ ରହିଛି ଶାସକ ବିଜେଡି ପାଇଁ। ୨୩ ବର୍ଷ କ୍ଷମତାରେ ରହିବା ପରେ ଦଳ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ, ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏକାଧୀକ ଆଶାୟୀ ପ୍ରାର୍ଥୀ ଓ ବିଦ୍ରୋହୀଙ୍କୁ ମ୍ୟାନେଜ କରିବା । ତା ଛଡ଼ା ସରକାର ବିରୋଧୀ ହାୱା, ସରକାର ଓ ଦଳୀୟ ନେତାଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ଅଭିଯୋଗ, ମହିଳା ବିରୋଧୀ ଅପରାଧ ବୃଦ୍ଧି, ଭଷ୍ଟ୍ରାଚାର, ଦାଗୀ ନେତା ଓ ସେଥିପାଇଁ ନବୀନଙ୍କ ଭାବମୂର୍ତ୍ତି ମଳିନ ହେବା, ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି, ଦଳ ପାଇଁ ବଡ ଆହ୍ୱାନ ହେବାକୁ ଯାଉଛି। ସବୁଠୁ ବଡ଼ ଚିନ୍ତା ବିଦ୍ରୋହୀ ନେତାଙ୍କୁ ମନାଇବା। ତା ସହ ଲୋକଙ୍କ ମନରେ ଥିବା ଅଫିସର ଶାସନ ବାର୍ତ୍ତାକୁ ଦୂରେଇବା।
ସେପଟେ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସଫଳତା ମିଳିବାପରେ ଓଡ଼ିଶାକୁ ଫୋକସ୍ କରିଛନ୍ତି ବିଜେପି ଶୀର୍ଷ ନେତୃତ୍ୱ । ନିକଟରେ ୩ ଦିନିଆ ମାନସ ମନ୍ଥନରେ ସ୍ଥିର ହୋଇଛି ରୋଡ୍ ମ୍ୟାପ୍ । ହେଲେ ତୃଣମୂଳ ସ୍ତରରେ ତାକୁ କାର୍ଯ୍ୟକାରୀ କରିବା ଦଳ ପାଇଁ ଚାଲେଞ୍ଜ ହେବ। ଏଥର ଓଡ଼ିଶାରେ ଲୋକସଭା ନୁହେଁ ବିଧାନସଭାକୁ ବି ଫୋକସ କରି ନିର୍ବାଚନ ଲଢ଼ିବେ ବୋଲି କହୁଛନ୍ତି ବିଜେପି ନେତା। ଏହା ସହ କେନ୍ଦ୍ରୀୟ ନେତୃତ୍ୱ ଦେଇଥିବା ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ୍ ଟାର୍ଗେଟ ହାସଲ ରାଜ୍ୟ ବିଜେପି ପାଇଁ ସବୁଠୁ ବଡ଼ ଟାସ୍କ। ବିଜେଡି ସରକାର ବ୍ୟବହାର କରୁଥିବା ସରକାରୀ କଳ, ବାହୁ ବଳ ଏବଂ ଅର୍ଥ ବଳକୁ ପ୍ରତିହତ କରିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।
ଏପଟେ ରାଜ୍ୟରେ ୩ ନମ୍ୱରରେ ଥିବା କଂଗ୍ରେସ ୯ ରୁ ୯୦ ମିଶନ ଲାଗି ଆରମ୍ଭ କରିଛି ପ୍ରସ୍ତୁତି । ହେଲେ ୨୪ ପାଇଁ ଚାଲେଞ୍ଜ ଭରପୁର। ଖୋଲାଖୋଲି ଗୋଷ୍ଠୀକନ୍ଦଳ ଦଳ ପାଇଁ ଘାତକ ହେଉଛି। ତେଣୁ ଘର ସଜାଡିବା, ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା, ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ପ୍ରାର୍ଥୀ ଚୟନ, ଦଳ ଡିଆଁକୁ ରୋକିବା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଚିଂବା ହିଁ, ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।
ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ସବୁ ଦଳ ପାଇଁ ସାଧାରଣ ନିର୍ବାଚନ ବଡ଼ ଚ୍ୟାଲେଞ୍ଜ ହେବ। ୨୪ ଫାଇନାଲ୍ ମ୍ୟାଚ୍ ପାଇଁ ସବୁ ଦଳର ଜୋରଦାର କସରତ। ନୂଆବର୍ଷରେ ନୂଆ ଚ୍ୟାଲେଂଜକୁ କିଏ କେତେ ସଫଳତାର ସହ ଅତିକ୍ରମ କରୁଛି ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)