• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଡ଼ୁଆରେ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ! ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସାରା ରାଜ୍ୟରେ ବୁଲିବା ପରେ ବିରୋଧୀଙ୍କ ଟାର୍ଗେଟ୍‌ରେ ଥିଲେ ସଚିବ । ଆଉ ଏବେ ଏହା ଉଗ୍ର ରୂପ ନେବାରେ ଲାଗିଛି । ଅପରାଜିତାଙ୍କ ପ୍ରେସ୍‌ମିଟ୍‌ ପରେ ସାରା ରାଜ୍ୟରେ ସଚିବଙ୍କ ବିରୋଧରେ ଗୁଞ୍ଜରଣ ଆରମ୍ଭ ହୋଇଥିଲା । ଧିରେ ଧିରେ ସମସ୍ତେ ମୁହଁ ଖୋଲିଥିଲେ । କଂଗ୍ରେସ ବି ବ୍ୟାକ୍‌ ଟୁ ବ୍ୟାକ୍ ଆଟାକ୍‌ କରିଥିଲା ବିଜେଡି ଓ 5T ସଚିବଙ୍କୁ । ଅପରାଜିତାଙ୍କ ପରେ ବିଜେପିର ଅନ୍ୟ ବରିଷ୍ଠ ନେତା ବି ଆଟାକିଂ ମୋଡ୍‌କୁ ଆସିଥିଲେ । ଆଉ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ତାଙ୍କର ବ୍ୟକ୍ତିଗତ ସଚିବ ସାରା ରାଜ୍ୟରେ କାହିଁକି ବୁଲୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । କ’ଣ ସତରେ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଏହାର ଜବାବରେ ଗତକାଲି ବରଗଡ଼ ଗସ୍ତରେ ଥିବା ସଚିବ, ମୁଖ୍ୟମନ୍ତ୍ରୀଙ୍କ ଏକ ଅଡିଓ ବାର୍ତ୍ତା ଶୁଣାଇଥିଲେ । ସେହି ଅଡିଓ ବାର୍ତ୍ତା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଛି । ବିରୋଧୀ ଆହୁରି ତାତିଛନ୍ତି । ଗୋଟିଏ ପଟେ ବିଜେପି ବାରମ୍ବାର ସରକାର ଓ ସଚିବଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ କଂଗ୍ରେସ ବି ଫୁଲ୍‌ ଦମ୍‌ରେ ଆଗକୁ ଆସିଛି ।

ଓପିସିସି ସଭାପତି ଶରତ ପଟ୍ଟନାୟକ ସନ୍ଦେହ କରିଛନ୍ତି ଯେ, ଯେଉଁ ଅଡିଓ ବାର୍ତ୍ତା ସାମ୍ନାକୁ ଆସିଛି ତାହା ମୁଖ୍ୟମନ୍ତ୍ରୀଙ୍କ ନା ଆଉ କାହାର । ଏହି ଅଡିଓ ବାର୍ତ୍ତାକୁ ଆର୍ଟିଫିସିଆଲ ଭାବେ ପ୍ରସ୍ତୁତ କରାଯାଇନି ତ ? ବୋଲି ପ୍ରଶ୍ନ କରିଛନ୍ତି ରତ । ଖାଲି ସେତିକି ନୁହେଁ, ତାଙ୍କର ସିଧା ପ୍ରଶ୍ନ ରହିଛି, ଅଡିଓ ବାର୍ତ୍ତାର ସ୍ୱର ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରମାଣ କ’ଣ ? ଅଡିଓ ବାର୍ତ୍ତା ଗ୍ରହଣୀୟ ନୁହେଁ, ଶ୍ୱେତପତ୍ର ଦେଖାଅ କହିଛନ୍ତି ଶରତ ।

ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଉଛନ୍ତି ତେବେ ଲିଖିତ ଭାବେ ରାଜ୍ୟବାସୀଙ୍କୁ ଅବଗତ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଲାଗି ଯେଉଁ ରାଜସ୍ୱ ଖର୍ଚ୍ଚ ହେଉଛି, ଅନ୍ୟ ସଚିବଙ୍କ ପାଇଁ ସେତେ ଖର୍ଚ୍ଚ କରିବେ କି ମୁଖ୍ୟମନ୍ତ୍ରୀ ? ବୋଲି ପ୍ରଶ୍ନ କରିଛନ୍ତି ଶରତ । ଓଡ଼ିଶାବାସୀଙ୍କ ଅର୍ଥକୁ କଣ ଏମିତି ଆତ୍ମସାତ୍ କରିଦେବେ କି ନବୀନ ବାବୁ ବୋଲି ପ୍ରଶ୍ନ ବି ଉଠାଇଛନ୍ତି । ଶରତ ଆହୁରି କହିଛନ୍ତି ଯେ ଆମେ ବିକାଶକୁ ମନା କରୁନୁ, କିନ୍ତୁ ବିକାଶ ନାଁରେ ଲୁଟ୍‌କୁ କେବେ ଦଳ ବରଦାସ୍ତ କରିବନି । ଲୋକେ ଭୋଟ ନେତାଙ୍କୁ ଦେଉଛନ୍ତି ସଚିବଙ୍କୁ ନୁହେଁ ।

 

ସେପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍‌ ବାର୍ତ୍ତାକୁ ନେଇ କଂଗ୍ରେସ ନେତା ଜୟଦେବ ଜେନା ବି କରିଛନ୍ତି କଟାକ୍ଷ । ମୁଖ୍ୟମନ୍ତ୍ରୀ କେଉଁଠିକୁ ଯିବା ପରିସ୍ଥିତିରେ ନାହାନ୍ତି ବୋଲି କହିଛନ୍ତି ଜୟଦେବ ଜେନା । କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଅଡିଓ ପ୍ରମାଣିତ କରୁଛି ସେ ଆଉ କେଉଁଠିକୁ ଯିବା ସ୍ଥିତିରେ ନାହାନ୍ତି । ବିଜେଡିରେ ଏବେ ଅଚଳାବସ୍ଥା ଦେଖା ଦେଇଛି’। ମୁଖ୍ୟମନ୍ତ୍ରୀ ଯେକୌଣସି ସଚିବଙ୍କୁ ପଠାଇ ପାରିବେ, ହେଲେ ଜଣଙ୍କୁ କାହିଁକି ବାରମ୍ବାର ପଠାଉଛନ୍ତି । ଏମିତିକି ମନ୍ତ୍ରୀ କି ମୁଖ୍ୟ ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଭରସା ନାହିଁ ।’

ସେହିଭଳି ସଚିବଙ୍କ ବିରୋଧରରେ କେନ୍ଦ୍ର ନିକଟରେ ଫେରାଦ ହୋଇଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖି ପୂରା ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ବିଜୟ । ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ବି ସେ ଦେଇଛନ୍ତି । ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା କଥା କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି ବିଜୟ । ଏହାଛଡ଼ା ସଭାରେ ଯୋଗଦେଇ ଅନୁଦାନ ଘୋଷଣା କରିବା କଥା ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି , ‘ଏହା ସର୍ବଭାରତୀୟ ସେବା କଣ୍ଡକ୍ଟ ରୁଲ୍‌ର ଖୋଲା ଉଲ୍ଲଂଘନ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବାରୁ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ଆଶା କ୍ଷୀଣ  ତେଣୁ ଏନେଇ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜୟ ।