• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ସରକାର କହୁଛନ୍ତି ଆମେ କିଛି ଜାଣିନୁ । କୋରାପୁଟ କୋଟିଆରେ ଆନ୍ଧ୍ର ପ୍ରଦେଶର ଯୋଜନା ବଣ୍ଟା ସମ୍ପର୍କରେ କିଛି ଜାଣିନାହାନ୍ତି ରାଜ୍ୟ ସରକାର । ଏହା ଆମେ ନୁହେଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାରେ କହିଛନ୍ତି ।

କୋଟିଆରେ ଓଡ଼ିଶା ସରକାରଙ୍କ ଯୋଜନାର ସମାନ୍ତରାଳ ସହାୟତା, ଆନ୍ଧ୍ର ପ୍ରଦେଶ ଦେଉଥିବା କହିଥିଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଭୋଟର ପରିଚୟ ପତ୍ରଠୁ ଜଙ୍ଗଲ ଜମି ପଟ୍ଟା ଆନ୍ଧ୍ର ବାଣ୍ଟୁଛି । ଖାଲି କୋଟିଆ ନୁହେଁ ସୀମାନ୍ତବର୍ତ୍ତି ଗାଁରେ ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ରୋକିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଁଥିଲେ ଗୃହରେ ।

ଏହାର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଗୋଚର ହୋଇନାହିଁ । ସେଭଳି କିଛି କାର୍ଯ୍ୟକାଳପ ଦୃଷ୍ଟିଗୋଚର ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ଏଠି ପ୍ରଶ୍ନ ଉଠୁଛି, ଆନ୍ଧ୍ର ବାରମ୍ବାର କୋଟିଆରେ ଅନୁପ୍ରବେଶ କରୁଛି । ଲୋକଙ୍କୁ ରାସନ୍ କାର୍ଡ, ଜନ୍ମ ପ୍ରମାଣ ପତ୍ର, ଭତ୍ତା, ଜଙ୍ଗଲ ଜମି ପଟ୍ଟା ଦେଇ ତ ପୁଣି କେତେବେଳେ ହେଲଥ୍ କ୍ୟାମ୍ପ କରି ଲୋକଙ୍କୁ ସେବା ଦେଉଛି ଆନ୍ଧ୍ର ପଶାସନ । ଏନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଆନ୍ଧ୍ର ଅଧିକାରୀ ଅନେକ ଥର ମୁହାଁମୁହିଁ ବି ହୋଇଛନ୍ତି । ତଥାପି ରାଜସ୍ୱ ବିଭାଗ ପାଖରେ ଏସଂକ୍ରାନ୍ତରେ ଖବର ନାହିଁ ବୋଲି କହିବା, ଅନେକାଂଶରେ ପ୍ରଶ୍ନ ସୃଷ୍ଟି କରୁଛି ।

ଅନେକ ଥର ଖବରକାଗଜରେ ଆନ୍ଧ୍ରର ଦାଦାଗିରି, କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଏମିତି କେତେ କ’ଣ ଖବର ପ୍ରକାଶ ପାଉଛି । ଖାଲି ସେତିକି ନୁହେଁ ଜୟପୁର ବିଧାୟକ ତାରା ବାହିନୀପତି ମଧ୍ୟ ଅନେକ ଥର ଅନ୍ଧ୍ର ପ୍ରଶାସନ ସହ ମୁହାଁମୁହିଁ ହୋଇଥିବା ଖବର ରହିଛି । ଏମିତିକି ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ତେବେ ଏତେ ସବୁ ସତ୍ତ୍ୱେ ସରକାରଙ୍କ ପାଖରେ ଖବର ନଥିବା କହିବା ଅତ୍ୟନ୍ତ ହସ୍ୟସ୍ପଦ ଓ ଚିନ୍ତାଜନକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ।

ଅନ୍ୟପଟେ ପୁଣି ଆନ୍ଧ୍ରର ଅନୁପ୍ରବେଶ ଦେଖିବାକୁ ମିଳିଛି । ଯେତେ କହିଲେ ବି ଅମାନିଆ ହେଉଛି ଆନ୍ଧ୍ର । ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜରେ ପଶି ଟେଲି ସେବା ଯୋଗାଇବାକୁ ବେଶ୍ ପ୍ରୟାସ କରୁଛନ୍ତି ଆନ୍ଧ୍ର ସରକାର । ଗତକାଲି ଏକ ଘରୋଇ ଟେଲି ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ବିଭିନ୍ନ ଗାଁରେ ପଶି ଜିଓ ଟ୍ୟାଗିଂ କରିଥିବା ଜଣାପଡ଼ିଛି । ସେସବୁ ଗାଁ ହେଉଛି, ଫାଟୁ ସିନେରୀ, ଫଗୁଣ ସିନେରୀ, ହରମାଣ୍ଡିଙ୍ଗି, ସଲପଗୁଡା, କଣାଦୋରା, ଡୋଲିଆମ୍ଭ ଓ ମାଡକାର ।

ଏହି ଗାଁ ଗୁଡ଼ିକରେ ଅନଧିକାର ପ୍ରବେଶ କରି ଜିଓ ଟ୍ୟାଗିଂ କରି ଫେରିଥିବା ଜଣାପଡିଛି । ଫାଟୁସିନେରୀ ପଟୁ ଦେଇ ଏକ ୪ଜଣିଆ ଟିମ୍ ଇନୋଭାରେ ଆସି ଫେରିଥିବା ଜଣାପଡିଛି । ତେବେ ସବୁ ଗାଁରୁ ଗାଁକୁ ଦୂରତା ଅଧିକ ରହିଥିବାରୁ ଏହି ଗାଁ ଗୁଡିକରେ ଟେଲିସେବା ପ୍ରଦାନ କରି ଲୋକଙ୍କୁ ନିଜ ଆଡକୁ ଟାଣିବାକୁ ପ୍ରୟାସ କରିଛନ୍ତି ଆନ୍ଧ୍ର ସରକାର ।