• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

କେରଳର ୱାୟନାଡ ଲୋକସଭା ଆସନରେ ଜିତିବେ କି ପ୍ରିୟଙ୍କା ଗାନ୍ଧୀ ? ଭାଇ ରାହୁଲ ଗାନ୍ଧୀ ଏହି ଆସନ ଛାଡିବା ପରେ ଏହାକୁ ନିରାପଦ ଆସନ ଭାବି ଉପନିର୍ବାଚନ ଲଢିଛନ୍ତି କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ। ଏଠି ଗତ ବୁଧବାର ମତଦାନ ଶେଷ ହୋଇଛି । ଇଭିଏମରେ ସିଲ୍ ହୋଇ ରହିଛି ପ୍ରିୟଙ୍କା ଗାନ୍ଧୀଙ୍କ ଭାଗ୍ୟ । କିନ୍ତୁ କ’ଣ ହେବ ଏଥରର ଫଳାଫଳ, ତା ଉପରେ ରହିଛି ସାରା ଦେଶର ନଜର । ଯଦି ପ୍ରିୟଙ୍କା ଏହି ଆସନରୁ ନିର୍ବାଚନ ଜିତନ୍ତି, ତେବେ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ ସଂସଦରେ ବସିବାର ସୁଯୋଗ ପାଇବେ । ବର୍ତ୍ତମାନ ପ୍ରିୟଙ୍କାଙ୍କ ମାଆ ସୋନିଆ ଗାନ୍ଧୀ ଓ ଭାଇ ରାହୁଲ ଗାନ୍ଧୀ ସାଂସଦ ଅଛନ୍ତି । କିନ୍ତୁ କଥା ହେଉଛି, ୱାୟନାଡରେ ଏଥର ମତଦାନ ହାର ସବୁଠୁ କମ୍ ରହିଛି । ୬୪.୭୨ ପ୍ରତିଶତ ଭୋଟର ଭୋଟ ଦେଇଛନ୍ତି । ୨୦୦୯ରେ ଏହି ଆସନ ଗଠନ ହେବା ପରଠୁ ଲୋକସଭା ନିର୍ବାଚନରେ ଏହା ହେଉଛି ସବୁଠୁ କମ୍ ମତଦାନ ହାର । ମତଦାନ ହାର କମିଥିବାରୁ ଫଳାଫଳ କ’ଣ ହେବ, ସେ ନେଇ ରାଜନୈତିକ ସମୀକ୍ଷକମାନେ ସନ୍ଦିହାନ ଅଛନ୍ତି।

ଅଧିକ ପଢନ୍ତୁ: ବାଜିରେ ପରିବାର ଲିଗାସୀ, ଅଜୟ କୁମାରଙ୍କ ପାଇଁ ଅଗ୍ନିପରୀକ୍ଷା 

ଭାଇ ଛାଡିବା ପରେ ଭଉଣୀ ପ୍ରାର୍ଥୀ

ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲି ଓ କେରଳର ୱାୟନାଡ ଆସନରୁ ଲୋକସଭା ନିର୍ବାଚନ ଲଢିଥିଲେ । ଦୁଇଟିଯାକ ଆସନରୁ ବିଜୟୀ ହେବା ପରେ ରାହୁଲ ରାଏବରେଲି ଆସନକୁ ରଖି ୱାୟନାଡ ଆସନରୁ ଇସ୍ତଫା ଦେଇଥିଲେ । ଉପନିର୍ବାଚନରେ ଏଠି ପ୍ରଥମଥର ପାଇଁ ଲଢିଛନ୍ତି ପ୍ରିୟଙ୍କା । ଏହି ଲୋକସଭା ଆସନ ସହିତ କେରଳର ଚେଲାକାରା ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହୋଇଛି । ଚେଲାକାରାରେ ମତଦାନ ହାର ହୋଇଛି ୭୨.୫୪ ପ୍ରତିଶତ । ୱାୟନାଡ ତୁଳନାରେ ଏହା ଅଧିକ ।

ୱାୟନାଡ ଆସନରେ ପ୍ରିୟଙ୍କା ବରିଷ୍ଠ ସିପିଆଇ ନେତା ସତ୍ୟନ ମୋକେରି ଓ ବିଜେପି ନେତା ନବ୍ୟା ହରିଦାସଙ୍କ ବିରୋଧରେ ଲଢୁଛନ୍ତି । ଏହି ଆସନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ‘୫ ଲକ୍ଷରୁ ଅଧିକ ଭୋଟ’ ପ୍ରଚାର କରିବା ପରେ ବୁଥକୁ ଭୋଟର ଯିବା କମିଥିବା ଚର୍ଚ୍ଚା ହେଉଛି । ତେବେ ପ୍ରିୟଙ୍କାଙ୍କ ବିଜୟରେ ଏହା ପ୍ରଭାବ ପକାଇବ ନାହିଁ ବୋଲି କଂଗ୍ରେସ ନେତୃତ୍ୱାଧୀନ ମିଳିତ ଗଣତାନ୍ତ୍ରିକ ସାମ୍ମୁଖ୍ୟର ଜଣେ ନେତା କହିଛନ୍ତି ।

ଲୋକଙ୍କ ମଧ୍ୟରେ ନଥିଲା କି ଭୋଟ ଦେବାକୁ ଆଗ୍ରହ ?

କେରଳ ବିଧାନସଭାର ବିରୋଧୀ ଦଳ ନେତା ଭିଡି ସତୀଶାନ କହିଛନ୍ତି, ସିପିଆଇଏମ୍ ପ୍ରଭାବ ଥିବା ଅଞ୍ଚଳ ଗୁଡିକରେ ଲୋକଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଆଗ୍ରହ ନଥିବାରୁ ଭୋଟହାର କମିଛି । ଏହି ଉପନିର୍ବାଚନରେ ପ୍ରିୟଙ୍କାଙ୍କ ପାଇଁ ଏଆଇସିସି ସାଧାରଣ ସଂପାଦକ କେସି ବେନୁଗୋପାଳ, ଦୀପା ଦାସମୁନ୍ସୀ ଘନଘନ ପ୍ରଚାର କରିଛନ୍ତି । ଏପରିକି କଂଗ୍ରେସ ବିଧାୟକମାନେ ମଧ୍ୟ ଜୋରଦାର୍ ପ୍ରଚାର କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରମୁଖ ପ୍ରଚାରରେ ସାମିଲ୍ ହୋଇଥିଲେ । କେରଳ ପିସିସିର କର୍ମକର୍ତ୍ତାମାନେ ମଧ୍ୟ ପ୍ରିୟଙ୍କାଙ୍କୁ ଜିତାଇବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି ।

ଭୂସ୍ଖଳନ ପରେ ହୋଇଛି ଉପନିର୍ବାଚନ

ୱାୟନାଡରେ ଏକ ବଡଧରଣର ଭୂସ୍ଖଳନ ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ଭୂସ୍ଖଳନରେ ୨୩୧ ଜଣଙ୍କ ପ୍ରାଣହାନି ଘଟିଥିଲା ବେଳେ ୪୭ ଜଣଙ୍କ ପତ୍ତା ମିଳିନାହିଁ । ଭୂସ୍ଖଳନରେ କ୍ଷତିଗ୍ରସ୍ତ ମୁଣ୍ଡାକାଇ, ଚୁରାଲମାଲା ଓ ଆଟ୍ଟାମାଲା ଗାଁର ବୁଥ୍ ମେପାଡିରେ କରାଯାଇଥିଲା । ଏବେ ବି ଅଣ୍ଟା ସଳଖି ପାରିନାହାନ୍ତି ଏହି ଅଞ୍ଚଳର ଲୋକ। ଏଭଳି ଏକ ସମୟରେ ହୋଇଛି ଉପନିର୍ବାଚନ । ଲୋକଙ୍କ ଆଖିରେ ତାଜା ରହିଛି ଭୂସ୍ଖଳନର ବିଭୀଷିକା । ମରି ହଜି ଯାଇଥିବା ଲୋକଙ୍କୁ ଝୁରୁଛନ୍ତି ଆତ୍ମୀୟସ୍ୱଜନ । ଏସବୁ ଦୃଷ୍ଟିରେ ଏଠାରେ ଫଳାଫଳ କାହା ସପକ୍ଷରେ ଯିବ, ଦେଖିବାକୁ ବାକି ରହିଲା।

ଅଧିକ ପଢନ୍ତୁ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ: କିଏ ମାରିବ ବାଜି ? 

OTV is now on Whatsapp

Join and get latest news update delivered to you via whatsapp

Join Now