• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କାଲି ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି ଗାଦି ମାଡ଼ି ବସିଥିବା ବାବୁ ଓ ସଚିବଙ୍କ ପରେ ଆଜି ଅବସରପ୍ରାପ୍ତ ଅଫିସରଙ୍କ ପୁନଃନିଯୁକ୍ତି ନେଇ ବିଧାନସଭାରେ ତମ୍ବିତୋଫାନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଅଫିସରଙ୍କ ନିଯୁକ୍ତି ପ୍ରସଙ୍ଗ ଉଠାଇ ଆଜି ରାଜ୍ୟ ସରକାରଙ୍କ ଉପରେ ହମଲା କରିଥିଲେ ଜୟନାରାୟଣ ।

ଏପରିକି ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା । ଯାହାକୁ ନେଇ ଗୃହରେ ପ୍ରବଳ ହୋହଲ୍ଲା ହେବା ସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରେ କଣ ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ଦେଇନାହାଁନ୍ତି କହି, ପାଲଟା ହମଲା କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ।

ଗତକାଲି ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି ରହିଥିବା ଅଫିସରଙ୍କୁ ଟାର୍ଗେଟ୍ କରିବା ପରେ ଆଜି ରିଟାୟାର୍ଡ ଅଫିସରଙ୍କ ପୁନଃ ନିଯୁକ୍ତି ପ୍ରସଙ୍ଗକୁ ନେଇ ଶୂନ୍ୟକାଳରେ ଗର୍ଜିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଅସିତ୍ ତ୍ରିପାଠୀ, ଆର୍. ବାଲକ୍ରିଷ୍ଣନ୍, ପି.କେ ମହାପାତ୍ର, ଗୋପବନ୍ଧୁ ଦାସ, ଉପେନ୍ଦ୍ର ତ୍ରିପାଠୀଙ୍କ ଭଳି ବହୁ ଅଫିସରଙ୍କ ନାଁ ନେଇ ଅବସର ପରେ ବି ଏମାନଙ୍କୁ ସିଏମ୍ଓରେ ପୁନଃନିଯୁକ୍ତି ମିଳୁଥିବାର ଅଭିଯୋଗ କରିଥିଲେ । ଏପରିକି ମନୋଜ ମିଶ୍ର ଇସ୍ତଫା ଦେବା ପରେ ମଧ୍ୟ ତାଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ରିଟାୟାଡ୍ ଅଫିସରଙ୍କ କ୍ଲବ୍ ପାଲଟିଟାଣି ।

ଏହା କ'ଣ ଫାଇଭ୍ ଟି ଓ ମୋ ସରକାର କି ବୋଲି ପ୍ରଶ୍ନ କରିଥିଲେ ଜୟ ନରାୟଣ । ଯାହାର ତୀବ୍ର ବିରୋଧ କରି ଜୟନାରାୟଣଙ୍କୁ ଘେରିଯାଇଥିଲା ବିଜେଡି । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରେ କଣ ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତି ପାଇ ନାହାଁନ୍ତି କି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ।

ଧର୍ମେନ୍ଦ୍ରଙ୍କ ସହ ଜୟନାରାୟଣଙ୍କର ବୋଧେ କଳି ଅଛି ତେଣୁ ତାଙ୍କୁ ଅକଳରେ ପକାଇବାକୁ ଜୟନାରାୟଣ ଚେଷ୍ଟା କରୁଥିବା କହି କଟାକ୍ଷ କରିଥିଲେ ଅରୁଣ । ତେବେ ଜୟନରାୟଣଙ୍କୁ ବିଜେଡିର ଏଭଳି ବ୍ୟକ୍ତିଗତ ଆକ୍ଷେପ ପରେ ତାତିଥିଲା ବିଜେପି । ଏହାର ସଦସ୍ୟମାନେ ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ବିଜେଡି ସଦସ୍ୟମାନେ ମଧ୍ୟ ନିଜ ସ୍ଥାନରେ ଛିଡ଼ା ହୋଇ ପାଟିତୁଣ୍ଡ କରିଥିଲେ । ଫଳରେ ଗୃହକୁ ମୁଲତବି କରିବାକୁ ପଡିଥିଲା ।

ଏଠି ପ୍ରଶ୍ନ ଅବସରପ୍ରାପ୍ତ ଅଫିସରଙ୍କୁ ପୁନଃ ନିଯୁକ୍ତି ପଛର କାରଣ କଣ ? ଆଉ କେହି ଦକ୍ଷ ଅଫିସର ନାହାନ୍ତି ନା ଏମାନଙ୍କ ଦ୍ୱାରା ସ୍ୱାର୍ଥ ହାସଲ ହୋଇ ପାରୁଥିବାରୁ ଏଭଳି ନିଯୁକ୍ତି । ରିଟାୟାର୍ଡ ଅଫିସଙ୍କ ନିଯୁକ୍ତି ସହ ଅନ୍ୟ ଅଫିସରଙ୍କ କ୍ଷମତାକୁ ଜାଣିଶୁଣି ସଙ୍କୁଚିତ କରାଯାଉନି ତ ? ଏଭଳି ନାନା ପ୍ରଶ୍ନକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି ।

ଗୃହରେ ପ୍ରତିଥର ନୂଆ ନୂଆ ପ୍ରସଙ୍ଗକୁ ସାମ୍ନାକୁ ଆଣି ସରକାରଙ୍କୁ ଘେରୁଛି ବିଜେପି । ଅଫିସର ନିଯୁକ୍ତି ପ୍ରସଙ୍ଗକୁ ନେଇ ଟାର୍ଗେଟ୍ ପରେ ଆଗକୁ ବିଜେପିର କେଉଁ ପ୍ରସଙ୍ଗ ସରକାରଙ୍କୁ ଅକଳରେ ପକାଉଛି ଏବେ ତା ଉପରେ ନଜର ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ପଙ୍କଜ ଓ ସନ୍ତୋଷଙ୍କ ସହ ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି

OTV is now on Whatsapp

Join and get latest news update delivered to you via whatsapp

Join Now