• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତର ପ୍ରଦଶ ବିଜେପିକୁ ଝଟ୍‌କା । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଶ୍ରମମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସ୍ୱାମୀ ପ୍ରସାଦ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଥିବା ବିଜେପି ସରକାର ପ୍ରକୃତ ଲକ୍ଷ୍ୟରୁ ହଟି କାମ କରୁଛି । ତେଣୁ ସେ ଏହି ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ।

ସେପଟେ ସ୍ୱାମୀ ପ୍ରସାଦଙ୍କ ଇସ୍ତଫାକୁ ନେଇ ବିଏସ୍‌ପି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି । ସ୍ୱାମୀ ପ୍ରସାଦ ଦଳ ଛାଡ଼ିବାରେ ଅଭ୍ୟସ୍ତ ବୋଲି ବିଏସ୍‌ପି କହିଛି । ସେପଟେ କଂଗ୍ରେସ କହିଛି ଯେ, ସ୍ୱାମୀ ପ୍ରସାଦ ବିଜେପି ଛାଡ଼ିବାର ଅର୍ଥ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବିପର୍ଯ୍ୟୟ ଆଡ଼କୁ ଗତି କରୁଛି । କାରଣ ସ୍ୱାମୀ ପ୍ରସାଦ ଜଣେ ଅଭିଜ୍ଞ ରାଜନୀତିଜ୍ଞ । ସେ ନିଶ୍ଚିତ ଭାବେ ଏବେଠାରୁ ଏହା ବାରି ପାରିଛନ୍ତି । ତେଣୁ ସେ ଦଳ ଛାଡ଼ିବା ନିଷ୍ପତି ନେଇଛନ୍ତି । ଏକଥା କହିଛନ୍ତି କଂଗ୍ରେସ ନେତା ପ୍ରମୋଦ ତିଓ୍ୱାରୀ ।

ତେବେ ୨୦୨୨ରେ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତାରଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ବିଜେପି ପକ୍ଷରୁ ଦାୟିତ୍ୱ ଦିଆଯାଇଛି । ଏହା ସହିତ ୭ ଜଣଙ୍କୁ ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସହ-ପ୍ରଭାରୀମାନେ ହେଲେ- ଅନୁରାଗ ଠାକୁର, ଅର୍ଜୁନରାମ ମେଘୱାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ୍ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର । 

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ୪୦୩ଟି ବିଧାନସଭା ଆସନ ରହିଛି । ୨୦୧୭ ନିର୍ବାଚନରେ ବିଜେପି ୩୧୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ୭ଟି, ସମାଜବାଦୀ ପାର୍ଟି ୪୭ଟି ଓ ବିଏସ୍‌ପି ୧୯ଟି ଆସନ ଜିତିଥିଲା।