• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ଏନେଇ ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟର ବି ଉତ୍ସବର ମାହୋଲ । ଗୋଟିଏ ପଟେ କାଉଣ୍ଟିଂ ପାଇଁ ପ୍ରସ୍ତୁତି ଆଉ ଅନ୍ୟପଟେ ୟୁପି ଓ ମଣିପୁରରେ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଥିବାରୁ ଭୋଟ୍ ଗଣନାର ଦିନକ ପୂର୍ବରୁ ସମ୍ଭାବ୍ୟ ବିଜୟ ଉତ୍ସବ ପାଇଁ ବିଜେପି ଶିବିର ଉତ୍ସବ ମୁଖର ।

ସେମିତି ପଞ୍ଜାବରେ ମଧ୍ୟ ଆମ୍ ଆଦ୍‌ମୀ ପାର୍ଟି ଐତିହାସିକ ବିଜୟ ହାସଲ କରୁଥିବା ନେଇ ସବୁ ଏକ୍‌ଜିଟ୍ ପୋଲ୍‌ର ଆକଳନକୁ ନେଇ ବେଶ୍ ଉତ୍ସାହିତ ଦଳ ।  ହେଲେ ୟୁପିରେ ଇଭିଏମ୍ ଗଡ଼ବଡ଼ି ନେଇ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଅଭିଯୋଗ ପରେ ତେଜିଛି ରାଜନୀତି । କାଉଣ୍ଟିଂ ସେଣ୍ଟର ଗୁଡ଼ିକ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।

ତେବେ ଏକ୍‌ଜିଟ୍ ପୋଲ୍ ଫଳାଫଳରୁ ଉତ୍ତରାଖଣ୍ଡ, ଗୋଆରେ ତ୍ରିଶଙ୍କୁ ସ୍ଥିତିର ଆଶଙ୍କା ଥିବାରୁ ସବୁ ଦଳର ଫୋକସ୍‌ରେ ଏହି ଦୁଇ ରାଜ୍ୟ । ଯେଏ ଯାହା ଗୋଠ ଜଗିବାରେ ବ୍ୟସ୍ତ ବିଜେପି-କଂଗ୍ରେସ । କାରଣ ପ୍ରଥମେ ଯଦି ଗୋଆ କଥା ଦେଖିବା, ଗତ ୨୦୧୭ ନିର୍ବାଚନରେ କଂଗ୍ରେସ ଏଠି ୪୦ରୁ ୧୭ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଥିଲେ ବି ଭୁଲ୍ ରଣନୀତି ପାଇଁ ସରକାର ଗଢ଼ିପାରି ନଥିଲା । ଆଉ ମାତ୍ର ୧୩ ଆସନ ଜିତି ବାଜି ମାରି ନେଇଥିଲା ବିଜେପି । ତେଣୁ ଏଥର ଯେଭଳି ସେ ଭୁଲ୍ ନ ହୁଏ ସେଥିପାଇଁ ଗଡ଼ ଜଗିଛିି ଏଆଇସିସି । ରେଜଲ୍ଟକୁ ନେଇ ତତ୍କାଳ ନିଷ୍ପତ୍ତି ନେବାକୁ କ୍ରାଇସିସ୍ ମ୍ୟାନେଜମେଣ୍ଟରେ ମାହିର ଦଳର ବରିଷ୍ଠ ନେତା ପି ଚିଦାମ୍ବରମ ଓ କର୍ଣ୍ଣାଟକ କ୍ରାଇସିସ୍ ମ୍ୟାନେଜର୍ ଡି.କେ. ଶିବକୁମାର ପାଣାଜିରେ ଡେରା ପକାଇଛନ୍ତି ।

ସେହିପରି ଏକ୍‌ଜିଟ୍ ପୋଲ୍ ଆକଳନରୁ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ମଧ୍ୟ ଏଥର ଅନୁରୂପ ସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ବିଜେପି ପୂରା ସଜାଗ । ଗୋଠ ଜଗିବା ସହ ସମ୍ଭାବ୍ୟ ସ୍ଥିତି ପାଇଁ ଷ୍ଟ୍ରାଟେଜି ବନେଇବାକୁ ଡେରାଡୁନ୍‌ରେ ଡେରା ପକାଇଛନ୍ତି ବରିଷ୍ଠ ନେତା କୈଳାଶ ବିଜୟ ଭର୍ଗିୟ । କଂଗ୍ରେସ ମଧ୍ୟ ଏଠି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍‌ଙ୍କୁ ଗଡ଼ ଜଗେଇଛି । କେବଳ ସେତିକି ନୁହେଁ, ଘୋଡ଼ା ବେପାରର ଆଶଙ୍କାକୁ ଦେଖି ଉଭୟ ଗୋଆ ଏବଂ ଉତ୍ତରାଖଣ୍ଡରେ ଦୁଇ ଦଳ ପକ୍ଷରୁ ରିସୋର୍ଟ ପଲିଟିକ୍ସ ବି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ଗୋଆରେ କଂଗ୍ରେସର ୩୭ ବିଧାୟକ ପ୍ରାର୍ଥୀଙ୍କୁ ନର୍ଥ ଗୋଆର ଏକ ତାରକା ରିସର୍ଟରେ ଏକାଠି ରଖାଯାଇଛି ।

ୟୁପି ସହ ସମସ୍ତ ୫ ରାଜ୍ୟରେ ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହୋଇଯିବ ଭୋଟ୍ ଗଣିତି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଓ ତା’ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ର ଭୋଟ ଗଣତି । ତେଣୁ କାହା ହାତରେ ରହୁଛି ୫ ରାଜ୍ୟର ଭାଗ୍ୟ ଡୋରି, ତାକୁ ହିଁ ସାରା ଦେଶର ଅପେକ୍ଷା ।