ଇଏ ବାସ୍ତବରେ ରୂପାନ୍ତରଣ, ନା ରୂପାନ୍ତରଣ ନାଁରେ ଭୂଆଁ ବୁଲାଣ ? କେଉଁଠି ବିନା ପିଲାର୍ରେ ଛାତ ପଡ଼ୁଛି, ତ ଆଉ କେଉଁଠି ଫଟା କାନ୍ଥରେ ରଙ୍ଗ ବୋଳା ହୋଇଛି । ବାହାର ଚିକ୍କଣ, ଭିତର ଫମ୍ପା । ଏକଥା ଆମେ କହୁନୁ, ଏଭଳି ଅଭିଯୋଗ କରୁଛନ୍ତି ଖୋଦ୍ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ଼ ଗାଁ ଲୋକେ। ।
ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଫାଇଭ-ଟି ଅଧୀନରେ କଣ୍ଟାବାଡ଼ ବିଦ୍ୟାଳୟର ଉନ୍ନତୀକରଣ ଚାଲିଛି । ହେଲେ ନିମ୍ନମାନର କାମକୁ ନେଇ ଗାଁରେ କୁହୁଳୁଛି ଅସନ୍ତୋଷ । ଅଭିଯୋଗ ହୋଇଛି, କମ୍ ସିମେଣ୍ଟରେ ଟାଇଲ୍ ପଡ଼ୁଛି, କୌଣସି ନୂଆ ପିଲାର୍ ନଉଠାଇ ବହୁ ବର୍ଷ ପୁରୁଣା ସ୍କୁଲ କାନ୍ଥ ଉପରେ ଛାତ ପଡ଼ୁଛି। ମୁହଁ ବନ୍ଦ ରଖିବାକୁ କଣ୍ଟ୍ରାକ୍ଟର କାଳେ ଟଙ୍କା ଯାଚୁଛି । ତେଣୁ ଏହାର ପ୍ରତିବାଦ କରି ସ୍କୁଲ ନିର୍ମାଣ କାମ ଅଧାରୁ ବନ୍ଦ ରଖିଛନ୍ତି ଗାଁଲୋକେ ।
Also Read
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବ୍ଲକ୍ ଡିଆଁଡେଇଁ ଗାଁରେ ଥିବା ବାମଦେବ ହାଇସ୍କୁଲର ଅବସ୍ଥା ବି ସମାନ । ଦୁଇ ମହଲା କୋଠା ରେଡ୍ଡି । ହେଲେ ବିପଦସଂକୁଳ ସ୍ଥିତିରେ ଏହାର ମୂଳଦୂଆ । ଫାଇଭ୍-ଟିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି,ନିମ୍ନମାନର କାମ ଯୋଗୁଁ ଫାଉଣ୍ଡେସନ ଫାଟି ଆଁ କଲାଣି । ବହୁ କାମ ଅଧପନ୍ତରିଆ ପଡ଼ିଛି ।
ସେପଟେ ଖଲ୍ଲିକୋଟ ବ୍ଲକ୍ କେଶପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଫାଇଭ-ଟିରେ ୨ ବର୍ଷ ହେଲା ରୂପାନ୍ତରିତ ହେଲାଣି । ହେଲେ ଏବେବି ଶ୍ରେଣୀଗୃହ ଅଭାବରୁ ବହୁ ପିଲାଙ୍କୁ ବାରଣ୍ଡାରେ ପଢ଼ିବାକୁ ପଡ଼ୁଛି ।
ସାରା ରାଜ୍ୟ ଅଣ୍ଡାଳିଲେ ଏମିତି କେତେ କେତେ ଉଦାହରଣ ସାମ୍ନାକୁ ଆସିପାରେ,ଯେଉଁଠି ଫାଇଭ୍-ଟିରେ ସ୍କୁଲ ରୂପାନ୍ତରଣ ଏକଦମ୍ ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି । ତେବେ ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁରର ସୁନ୍ଦରେଶ୍ୱର ସଭାମଞ୍ଚରେ ଏହିସବୁ ରୂପାନ୍ତରଣର ଭୂୟସୀ ପ୍ରଶଂସା କରିବା ସହ, ବିରୋଧୀଙ୍କୁ କଟାକ୍ଷ କରିଥିଲେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ଆଉ ଆଜି ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।
- Reported by:
- JAGDISH DAS , SOUMYA RANJAN SAHOO , Niranjan Behera , Silu Biswal