• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି ।

  • ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା ।

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଥିଲା ବେଳେ, ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବାକୁ ରଣନୀତି ସହ ଆଗକୁ ବଢୁଛି ବିଜେଡି । ଆସନ୍ତାକାଲି ମାଲ୍‌କାନ୍‌ଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଭୋଟରଙ୍କୁ ମନେଇ ପଞ୍ଚାୟତ ଦଖଲ ରଣନୀତିରେ ଏମିତି ଆଗକୁ ବଢ଼ିଲେଣି ରାଜନୈତିକ ଦଳ । ଆଉ ଆଜିଠୁ ଆରମ୍ଭ ହୋଇଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା । ପ୍ରଥମ ଦିନର ଅଭିଯାନରେ ସାମିଲ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରେଳମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଅଶ୍ୱିନୀ ବୈଷ୍ଣବ । ଉଦ୍ଦେଶ୍ୟ କେନ୍ଦ୍ରର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନେଇ ଜନତାଙ୍କ ପାଖକୁ ଯିବେ, ଆଶୀର୍ବାଦ ନେଇ ଦଳ ପାଇଁ ତୟାର କରିବେ ପଞ୍ଚାୟତ ଭୋଟ୍ ଭିତ୍ତି ।

ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବାହାରିଥିଲେ ପୁରୀ । ବାଟରେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପର୍ବ ପରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ଦର୍ଶନ କରିଥିଲେ । ସେଠୁ ଆରମ୍ଭ ହୋଇଥିଲା ଅଭିଯାନ । କାର୍ଯ୍ୟସୂଚୀ ଅନୁଯାୟୀ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିବାକୁ ଥିବା ଏଇ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଆଜି ଟ୍ରେନ୍ ଯୋଗେ ପ୍ରଥମେ ରାୟଗଡ଼ା ଓ ସେଠାରୁ ନବରଙ୍ଗପୁର ଓ ବଲାଙ୍ଗିର ଯିବେ ।

ତେବେ ଜଗନ୍ନାଥ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ନେଇ ସୂଚନା ଦେଇଥିଲେ । ସେପଟେ ଧର୍ମେନ୍ଦ୍ର ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଗୋଟିଏ ସମୟରେ କରାଯିବା ଉପରେ ଜୋର୍ ଦେଇଥିଲେ ।

ଏପଟେ ପଞ୍ଚାୟତ ନିର୍ବାଚନକୁ ଯିବା ପୂର୍ବରୁ ସରକାରୀ ଯୋଜନାର ଅସ୍ତ୍ର ସହ ଲୋକଙ୍କ ପାଖକୁ ଯିବାକୁ ବିଜେଡି ବି ତୟାର । ଏଥର ପ୍ରମୁଖ ଅସ୍ତ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ । ଅଗଷ୍ଟ ୧୫ରେ ଏନେଇ ଘୋଷଣା ପରେ ଆସନ୍ତାକାଲି ମାଲ୍‌କାନ୍‌ଗିରିରୁ ହିଁ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ କଟକଣା ପରେ ପ୍ରଥମଥର ପାଇଁ ଜିଲ୍ଲା ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ଜିଲ୍ଲା ସଂସ୍କୃତି ଭବନରେ ୧୫୦ ଜଣ ହିତାଧିକାରୀଙ୍କୁ କାର୍ଡ ବାଣ୍ଟି ଯୋଜନାର ଆରମ୍ଭ କରିବେ ।

ତେଣୁ ତା ପୂର୍ବରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ୮ ମନ୍ତ୍ରୀଙ୍କ ସହ ଆଗଧାଡ଼ିର ବହୁ ଦଳୀୟ ବିଧାୟକ ଓ ନେତାଙ୍କ ଉପସ୍ଥିତିରେ ସରଗରମ ଜିଲ୍ଲା ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ପରେ ୨୩ ତାରିଖ ପର୍ଯ୍ୟନ୍ତ ଏହିସବୁ ନେତାମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବ୍ଲକ୍ଓ୍ୱାରି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ବି ବ୍ୟାପକ ପ୍ରସ୍ତୁତି ହୋଇଛି । ଅପରପକ୍ଷେ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି କଂଗ୍ରେସ ବି ରଣନୀତି ଚଳାଇଛି ।

ବିଜେଡି, ବିଜେପି ହେଉ କି କଂଗ୍ରେସ । ପଞ୍ଚାୟତ ଭୋଟ୍ ପାଖେଇବାର ଢେର୍ ଆଗରୁ ପ୍ରତିଶ୍ରୁତି, ପ୍ରସଙ୍ଗ ସହ ପାଗ ଭିଡ଼ିଲେଣି ସବୁ ଦଳ । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଅନେକ ପେଡ଼ି ଆଗକୁ ଖୋଲିବ ।