• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବାଣ୍ଟିବାରେ ବିଳମ୍ବକୁ ନେଇ ବିବାଦ । କେନ୍ଦ୍ର ସରକାର ପ୍ରଦାନ କରିଥିବା ପ୍ରାୟ ସାଢ଼େ ୯ ଲକ୍ଷ ଘର ବାଣ୍ଟିବାରେ ବିଳମ୍ବ କରୁଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏପରିକି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ବିଜେଡି ନେତାମାନେ ଟଙ୍କା ନେଇଛନ୍ତି, ସେମାନଙ୍କୁ ତାଲିକାରୁ ବାଦ୍ ଦେଇପାରୁନଥିବାରୁ ପ୍ରକ୍ରିୟା ବିଳମ୍ବ ହେଉଥିବା ଅଭିଯୋଗ କରିଛି ଦଳ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଆବାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଏହାର ଜବାବ ରଖିଛି ବିଜେଡି ।

ପୁଣି ଉଠିଲା ପିଏମ୍ ଆବାସ ବଣ୍ଟନରେ ଗଡ଼ବଡ଼ ପ୍ରସଙ୍ଗ । ଟଙ୍କା ନେଇ ବିଜେଡି ହିତାଧିକାରୀ ଚିହ୍ନଟ କରୁଥିବା ଅଭିଯୋଗ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ବି ଝାଡ଼ିଲେ ଅସନ୍ତୋଷ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାକୁ ଦେଲେ ୯ଲକ୍ଷ ୬୦ ହଜାର ଘର । ଘର ବାଣ୍ଟିବା ପାଇଁ ଜାନୁୟାରୀରେ ଆରମ୍ଭ ହେଲା ପ୍ରକ୍ରିୟା । ଚିଠା ହିତାଧିକାରୀ ତାଲିକା ପ୍ରତି ପଂଚାୟତ ଅଫିସରେ ଲାଗିଲା । ଗ୍ରାମସଭାରେ ତାଲିକା ନେଇ ଆପତ୍ତି ଅଭିଯୋଗ ବି ହେଲା ।

ଏତେ ସବୁ ସତ୍ତ୍ୱେ ଅଢେଇ ମାସ ପରେ ବି ହିତାଧିକାରୀଙ୍କୁ ମିଳିନି ଘର। ଘର ବଣ୍ଟାରେ ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପ୍ରସ୍ତୁତ ହୋଇଥିବା ତାଲିକାରେ ବହୁ ଅଯୋଗ୍ୟ ଲୋକଙ୍କ ନାଁ ଅଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେପି । ଦଳ ଏୟା ବି ଅଭିଯୋଗ କରିଛି ଯେ, ବିଜେଡି ନେତାମାନେ ଅଯୋଗ୍ୟହିତାଧିକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲେଖାଏଁ ନେଇଥିବାରୁ ତାଲିକାରୁ ସେମାନଙ୍କ ନା କାଟିପାରୁନାହାନ୍ତି ।

ବର୍ଷା ଦିନ ପୂର୍ବରୁ କାର୍ଯ୍ୟାଦେଶ ନବାଣ୍ଟିଲେ ଦଳ ରାଜରାସ୍ତାକୁ ଓହ୍ଲାବାଇକୁ ଚେତାବନୀ ଦେଇଛି । ସେପଟେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ରାଜ୍ୟ ସରକାରକାହିଁକି ଘର ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ଏହାର ଜବାବ ରଖିଛି ।

ସେପଟେ ହିତାଧିକାରୀ ତାଲିକାରେ ନାଁ ଥିବା ସତ୍ତ୍ୱେ କାର୍ଯ୍ୟାଦେଶ ମିଳୁନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି । ଏ ଯେମିତି ମୟୂରଭଂଜ କପ୍ତିପଦା ବ୍ଲକ ତାଳସାହି ଗାଁର ପାଲୁ ମୁର୍ମୁ । ଆବାସ ଲିଷ୍ଟରେ ତାଙ୍କ ନାଁ ଅଛି, ହେଲେ ଏପର୍ଯ୍ୟନ୍ତ ୱାର୍କଅର୍ଡର ମିଳିନି । ଠିକ୍ ସେଭଳି ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଳକ୍ ପଡଲାଗୁଡା ଗାଁର ସୁନୀଲ ନାଗ ।

ତାଙ୍କ ସ୍ତ୍ରୀ ରିବିକା ନାଗଙ୍କ ସମେତ ଗାଁର ୫୦୭ ଜଣ ହିତାଧିକାରୀଙ୍କ ନାଁ ତାଲିକାରେ ଅଛି । ହେଲେ ଜଣକୁ ବି କାର୍ଯ୍ୟାଦେଶ ମିଳିନି । ଗୋଟିଏ ପଟେ କେନ୍ଦ୍ର ସାଢେ ୯ ଲକ୍ଷ ଘର ଦେବା ସତ୍ତ୍ୱେ ରାଜ୍ୟ ସରକାର ସେସବୁର ଆବଣ୍ଟନ କରିନାହାଁନ୍ତି । ଅନ୍ୟପଟେ ବିଜେଡି କିନ୍ତୁ କହୁଛି କେନ୍ଦ୍ରରୁ ଆହୁରି ୬-୭ ଲକ୍ଷ ଘର ମିଳିବା ବାକି ଅଛି । ବିଜେପି-ବିଜେଡି ଦୋଷ ଲଦାଲଦି ଭିତରେ ପ୍ରକୃତ ହିତାଧିକାରୀ କିନ୍ତୁ ଘର ପାଇପାରୁନାହାନ୍ତି ।

ଉଦଳାରୁ ମାନସ ପାଣି, ନବରଙ୍ଗପୁର ନବଘନ ବିଶୋୟୀ ଓ ଭୁବନେଶ୍ୱରରୁ କ୍ୟାମେରାମେନ୍ ପ୍ରଭାତଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ ଓଟିଭି

  • Reported by:
  • HARIHARA CHAND , Naba Ghana Bishoi , Manas Pani