• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାରାଦୀପ ପୋର୍ଟକୁ ୧ ନଂ କରିବାରେ ବାଧକ ସାଜିଛନ୍ତି ବିଜେଡି ସରକାର । ପୋର୍ଟର ବିକାଶ ପାଇଁ ମିଳୁନି ରାଜ୍ୟ ସରକାରଙ୍କ ସହାୟତା ।  ଏଭଳି ଅସନ୍ତୋଷ ଝାଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶା ଗସ୍ତରେ ଥିବା କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ତଥା ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଆଜି ରାଜ୍ୟ ସରକାରଙ୍କ ବିରୋଧରେ ଆଣିଛନ୍ତି ଏମିତି ଅଭିଯୋଗ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗୋଟିଏ ବର୍ଷରେ ପାରାଦୀପ ପୋର୍ଟ ଦେଶର ଏକ ନମ୍ବର ବନ୍ଦର ହେବ । ଆଗରୁ ହୋଇସାରନ୍ତାଣି ହେଲେ ବାଧକ ସାଜିଛି ମୁଖ୍ୟ ରାସ୍ତା । ଅଣଓସାରିଆ ରାସ୍ତା ଯୋଗୁଁ ବେପାର ଆସୁନାହିଁ। ପୋର୍ଟକୁ ରାସ୍ତା ନିର୍ମାଣ କରିବା ରାଜ୍ୟ ସରକାରଙ୍କ କାମ । ଏନେଇ ବାରମ୍ବାର ନିବେଦନ ପରେ ବି ଶୁଣିନାହାନ୍ତି ରାଜ୍ୟ ସରକାର । ତେଣୁ ରାସ୍ତା ଚଉଡ଼ା କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଯଦି ଭଲ ରାସ୍ତା ହୋଇଯାଏ ତାହେଲେ ଆସନ୍ତାବର୍ଷ ପାରାଦୀପ ପୋର୍ଟ ୧ ନମ୍ବର ହୋଇପାରିବ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ। କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ସହ ଲାଗିଲେ ପ୍ରତିବାଦ କରି ପୋର୍ଟ ଅଚଳ କରିଦେବୁ ବୋଲି ଧମକ ବି ଦେଇଛନ୍ତି ବିଧାୟକ । 

ବଡ଼ କଥା ହେଉଛି ଖାଲି କେନ୍ଦ୍ରମନ୍ତ୍ରୀ ନୁହଁନ୍ତି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମଧ୍ୟ ସମାନ। କଟକ-ପାରାଦୀପ ରାଜ୍ୟ ରାଜପଥର ପ୍ରାୟ ୯୦ କିଲୋମିଟର ରାସ୍ତାରେ ନିୟମିତ ଦୁର୍ଘଟଣା ଘଟୁଛି । ଯେଉଁଥିପାଇଁ ଭାରି ଯାନ ଚଳାଚଳ ଉପରେ କଟକଣା ଲାଗି ରହୁଛି । ତେଣୁ ମାଲ୍ ପରିବହନରେ ସମସ୍ୟା ସୃଷ୍ଟି ହେଉଛି ।

ଏବେ ପାରାଦୀର ବନ୍ଦରର କ୍ଷମତା ୨୯୦ ନିୟୁତ ଟନ୍ ଥିବା ବେଳେ ଆସନ୍ତା ୬ବର୍ଷରେ ଏହାକୁ ୪ଶହ ନିୟୁତ ଟନ୍ ପହଞ୍ଚାଇବାକୁ ଲକ୍ଷ ରଖାଯାଇଛି। ଚଣ୍ଡିଖୋଲ –ପାରାଦୀପ ଜାତୀୟ ରାଜପଥକୁ ୪ ଲେନ୍‌ରୁ ୮ ଲେନ କରିବାକୁ ଘୋଷଣା ହୋଇଛି। ଏହା ସହ ଆଇରନ ଟ୍ରକ ଚଳାଚଳ ଯୋଗୁଁ ଅନେକ ସମୟରେ ରାସ୍ତା ଜାମ୍ ରହୁଛି। ତେଣୁ ବିକଳ୍ପ ରାସ୍ତା କଟକ-ପାରାଦୀପ। ହେଲେ ଏହା ଉପରେ ରାଜ୍ୟ ସରକାରଙ୍କ ଆଖି କେବେ ପଡୁଛି ତା ଉପରେ ନଜର।
 

  • Reported by:
  • RAMAKANTA NAYAK , JAGDISH DAS , SOUMYA RANJAN SAHOO