• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୧୪ରୁ ହେଲାଣି ପୌରାଞ୍ଚଳ । ହେଲେ ଏଯାଏଁ ପାନୀୟ ଜଳର ସବୁଧା ମଧ୍ୟ ନାହିଁ । ଏଥିପାଇଁ ଲୋକଙ୍କ ମନରେ ନାନା ଅସନ୍ତୋଷ । ଗୋଟିଏ ନଳକୂପ ହିଁ ସାହା ଭରସା । ଏଭଳି ଏକ ପାନୀୟ ଜଳ ସମସ୍ୟା ଦେଖାଦେଇଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାରେ । ୨୦୧୪ରୁ ବାସୁଦେବପୁର ପୌରପାଳିକାର ମାନ୍ୟତା ପାଇଥିଲେ ବି ଆଜି ସୁଦ୍ଧା ଅଧିକାଂଶ ୱାର୍ଡରେ ପାନୀୟଜଳ ସମସ୍ୟା ରହିଛି । ଯେତେ ଯାହାକୁ ଗୁହାରୀ କଲେ ବି କେହି ଶୁଣୁ ନାହାନ୍ତି । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୱାର୍ଡବାସୀ । ତଥାପି ଦୂର ହୋଇପାରିନି ପାନୀୟ ଜଳ ସମସ୍ୟା ।

ତେବେ ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବାକୁ ଥିବାରୁ ଏବେ ଏହାକୁ ଆରମ୍ଭ ହୋଇଛି ରାଜନୀତି । ଗୋଟିଏ ନଳକୂଅ ଉପରେ ୨ଶହରୁ ଅଧିକ ଲୋକେ ନିର୍ଭର କରୁଛନ୍ତି । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆହୋଇ ମହିଳାମାନେ ପାଣି ଭରୁଛନ୍ତି । ପାଣି ଏତେ କମ୍ ବାହାରୁଛି ଯେ, ଗାଁର ଆବଶ୍ୟକତା ମେଣ୍ଟାଇପାରୁନି । ବାସୁଦେବପୁର ଏକ ନମ୍ବର ୱାର୍ଡ ରାଧାନାଥପୁରରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଯାହାର ଫାଇଦା ନେବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ । ସରକାରୀ କଳ ଓ ବର୍ତ୍ତମାନର ସରକାରୀ ଦଳ ପାନୀୟ ଜଳ ସମସ୍ୟା ଦୂର କରିବାରେ ଅକ୍ଷମ ଥିବା କହି ଭୋଟ ହାତେଇବାକୁ ରାଜନୈତିକ ଦଳ ଗୁଡ଼ିକ ପ୍ରୟାସ କରିଛନ୍ତି ।

ସେପଟେ ବାଲେଶ୍ୱର ଜଳେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଖରାଦିନ ଆସୁ ଆସୁ ପାଣି ପାଇଁ ହଇରାଣ ଲୋକେ । ଶେଖବାଡ଼ ଅଂଚଳର ୩ ନମ୍ବର ୱାର୍ଡରେ ପାନୀୟ ଜଳ ଓ ଜଳ ନିଷ୍କାସନ ସମସ୍ୟାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ପାଣି ନିଷ୍କାସନ ହେଉ ନଥିବାରୁ ଟିକେ ବର୍ଷା ହେଲେ ଘରେ ପାଣି ପଶୁଛି । ଏହାସହ ସ୍ଥାନୀୟ ଅଂଚଳରେ ଥିବା ସବୁ ନଳକୂଅରେ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଲୋକେ । ଦିନେ ଆସିଲେ ୨ ଦିନ ଆସୁନି । ଫଳରେ ବିଶୁଦ୍ଧ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ଅଂଚଳବାସୀ । ତେବେ ସ୍ଥାନୀୟ ନିର୍ବାହୀ ଅଧିକାରୀ କହିଛନ୍ତି, ତାଙ୍କ ପାଖରେ ଏନେଇ କୌଣସି ଅଭିଯୋଗ ନାହିଁ । ଅଭିଯୋଗ ଆସିଲେ, ତୁରନ୍ତ କାମ ପଦକ୍ଷେପ ନିଆଯିବ ।

ତେବେ ମୁଣ୍ଡ ଉପରେ ପୌର ନିର୍ବାଚନ ଥିବା ବେଳେ ଲୋକଙ୍କ ଏଭଳି ସମସ୍ୟା, ସରକାରୀ ଦଳକୁ ଅଡ଼ୁଆର ପକାଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଯେଉଁ ସବୁ ପୌରପାଳିକାରେ ସମସ୍ୟା ରହିଛି, ସେହି ସବୁ ଅଞ୍ଚଳରେ ସରକାରୀ ଦଳକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।