• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କର୍ଲାମୁଣ୍ଡା: ପୁଣି ହଟହଟା ହେଲେ ଟୁକୁନି ସାହୁ । ବିରୋଧୀଙ୍କଠାରୁ ଖାଇଲେ ଆଣ୍ଡା ମାଡ଼ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯୋଗୁଁ ପୁଣିଥର ତାଙ୍କୁ ହଟହଟା ହେବାକୁ ପଡ଼ିଛି । ବିରୋଧୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ରାସ୍ତାରେ ଯାଉଥିବା ବେଳେ ବିରୋଧୀ ତାଙ୍କ ଗାଡ଼ିକୁ ଅଟକାଇ କଳାପତାକା ପ୍ରଦର୍ଶନ କରିବା ସହ ଆଣ୍ଡା ମାଡ଼ କରିଛନ୍ତି । ତେବେ ଖାଲି ମନ୍ତ୍ରୀ ଟୁକୁନି ସାହୁ ନୁହଁନ୍ତି, ବିଜେଡିର ଏଭଳି ଅନେକ ନେତାମନ୍ତ୍ରୀଙ୍କୁ ଏବେ ବିରୋଧୀଙ୍କ ଆଣ୍ଡା ମାଡ଼ର ଶିକାର ହେବାକୁ ପଡ଼ୁଛି ।

ଭବାନୀପାଟଣାର ନର୍ଲାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଆଜି ଅଣ୍ଡାମାଡ଼ ହୋଇଛି । ମମିତା ହତ୍ୟା ଘଟଣା ପ୍ରତିବାଦରେ ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏହି ସମୟରେ କଳାହାଣ୍ଡିରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ ।

ସୂଚନାଯୋଗ୍ୟ, ରାଜ୍ୟରେ ମମିତା ମେହେର ହତ୍ୟା ଘଟଣାକୁ ନେଇ ବିରୋଧୀଙ୍କ ହଲ୍ଲାବୋଲ ଡାକରା ଏବେ ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତାଫା ଦିଅନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏବେ ମନ୍ତ୍ରୀଙ୍କ ବିରୋଧରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଖାଲି ସେତିକି ନୁହେଁ ସ୍ଥାନୀୟ ବିଜେଡି ବିଧାୟକମାନେ ମଧ୍ୟ ବିରୋଧୀଙ୍କ ଅସନ୍ତୋଷର ଶିକାର ହେଉଛନ୍ତି ।

ଏମିତିକି ଆଜି ପାୱାର କରିଡରର ସବୁଠୁ ଚର୍ଚ୍ଚିତ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ବିରୋଧୀଙ୍କ ବିରୋଧର ଶିକାର ହୋଇଛନ୍ତି । ଆଜି କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା । ଏଥିରେ ଅନେକ ବିଜେଡି ନେତା ଓ ମନ୍ତ୍ରୀ ଯୋଗଦେବା ପାଇଁ ଯାଇଥିଲେ । ଏହି କ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଆରୁଣ କୁମାର ସାହୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଅରୁଣଙ୍କ ସହ ଆଉ ଜଣେ ମନ୍ତ୍ରୀ ପ୍ରମାନନ୍ଦ ନାୟକ ମଧ୍ୟ ଥିଲେ । ତେବେ ଉଭୟଙ୍କୁ ବିଜେପି ଓ କଂଗ୍ରେସ ପକ୍ଷରୁ କର୍ଲାମୁଣ୍ଡାରେ ବିରୋଧ କରାଯାଇଛି ।

ମନ୍ତ୍ରୀ ପ୍ରେମାନନ୍ଦ ନାୟକ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ କାର୍ଡ ବାଣ୍ଟୁଥିବା ବେଳେ ତାଲା ପକାଇ ଦେଇଥିଲେ ବିରୋଧି କଂଗ୍ରେସ ଓ ବିଜେପି କର୍ମୀ । ଏହା ସହିତ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ । ବିରୋଧ ସତ୍ତ୍ୱେ ବ୍ଲକ କାର୍ଯ୍ୟାଳୟ ଭିତରେ କାର୍ଡ ବଣ୍ଟିଥିଲେ ମନ୍ତ୍ରୀ । ସେହିପରି କେସିଙ୍ଗାରେ ଉଚ୍ଚଶିକ୍ଷା ତଥା କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏହାକୁ ନେଇ ସଭାସ୍ଥଳ ନିକଟରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ତେବେ ପୋଲିସ ବିଜେପି କର୍ମୀଙ୍କୁ ସଭାସ୍ଥଳରୁ ଉଠାଇ ନେଇଛି । ବିରୋଧୀଙ୍କ ଭୟରେ ମନ୍ତ୍ରୀ ଅରୁଣ ସାହୁ ଏସକର୍ଟ ଗାଡ଼ି ଛାଡ଼ି ବିଡିଓଙ୍କ ଗାଡ଼ିରେ ସଭାସ୍ଥଳକୁ ଆସିଥିଲେ ।

ତେବେ ଏହା ପୂର୍ବରୁ କୁଚିଣ୍ଡାରେ ମଧ୍ୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ କରାଯାଇଥିଲା । ମନ୍ତ୍ରୀ ଟୁକୁନି ସାହୁ ରହିଥିବା ଡାକ ବଙ୍ଗଳା ଆଗରେ ବିରୋଧୀ ହୋହାଲ୍ଲା ଓ ନାରାବାଜି କରିଥିଲେ । ଫଳରେ ମନ୍ତ୍ରୀ ଆଉ ବାହାରି ପାରିନଥିଲେ । ପରେ ମନ୍ତ୍ରୀଙ୍କୁ ଛାଡ଼ିବା ଦାବିରେ ଡାକବଙ୍ଗଳା ନିକଟରେ ପହଞ୍ଚିଥିଲେ ବିଜେଡି କର୍ମୀ । ପରିସ୍ଥିତି ଅଧିକ ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ତେବେ ବିରୋଧ ଯୋଗୁଁ ମନ୍ତ୍ରୀ ଟୁକୁନି ସାହୁ ପ୍ରାୟ ୩ ଘଣ୍ଟା ଧରି ସେହି ଡାକବଙ୍ଗଳରେ ଅଟକି ରହିଥିଲେ ।