• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସବୁ ସୀମା ପାର୍‌ କରିଗଲା ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ହିଂସାକାଣ୍ଡ । ବୁଥ୍‌ ରିଗିଂ, ଭୋଟ୍‌ ବାକ୍ସ ଲୁଟ୍‌, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼ ପରେ ପୋଲିସ୍‌କୁ ବି ଛାଡ଼ିଲେନି ଲୋକେ । ଆଉ ଏବେ ଖବର ଆସିଛି ଭୋଟ୍‌ ବାକ୍ସରେ ପାଣି ପୁରାଇଦେଲେ ଦୁର୍ବୃତ୍ତ ।

ଗଂଜାମ ପାତ୍ରପୁର ବ୍ଲକ ଅନ୍ତର୍ଗତ ପାତ୍ରପୁର ଗାଁରେ ଭୋଟ ବାକ୍ସରେ ପାଣି ପକାଇଦେଲେ ଦୁର୍ବତ୍ତ । ପାତ୍ରପୁର ଗାଁର ୧୪ ନମ୍ବର ଓ୍ୱାର୍ଡ ଗୋଲାସାହି କୋଠଘର ବୁଥ୍‌ରେ ଭୋଟ ଚାଲିଥିବା ବେଳେ କିଛି ଦୁର୍ବତ୍ତ ଭୋଟ ବାକ୍ସରେ ପାଣି ଭରି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ଭୋଟଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପରେ ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା । ବାଲାଟ ପେପର ଭିଜିଥିଲେ ପୁଣିଥରେ ଭୋଟ କରିବାକୁ ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା । ପରିସ୍ଥିତି ଶାନ୍ତ ହେବା ପରେ ପୁଣି ଧାଡ଼ିରେ ଆସି ଭୋଟ ଦେଇଥିଲେ ଲୋକେ ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ପ୍ରବଳ ହିଂସା । ବିଭିନ୍ନ ସ୍ଥାନରେ ବୁଥ୍ ରିଗିଂ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ସରକାରୀ ଅଧିକାରୀ ଏବଂ ସାମ୍ବାଦିକଙ୍କୁ ମାଡ଼ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଆଜି ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତ ୪ନମ୍ବର ବୁଥ୍‌ ଓ ୬ ନମ୍ବର ବୁଥ୍‌ରୁ ଭୋଟ୍ ବାକ୍ସ ଉଠାଇ ନେଇଛନ୍ତି ଦୁବୃର୍ତ୍ତ ।

୬ ନମ୍ବର ବୁଥ୍‌ର ଭୋଟ ବାକ୍ସ ଉଠାଇ ନେଇ ପୋଖରୀରେ ଫୋପାଡ଼ି ଦେଇଛନ୍ତି । ଉତ୍ତେଜନା ଯୋଗୁଁ ବୁଥରେ ବନ୍ଦ ରହିଛି ମତଦାନ । ସେହିପରି ଯାଜପୁର କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତରେ ମଧ୍ୟ ଭୋଟିଂ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥାନୀୟ ସୋତି ୟୁଜିଏମ୍ଇ ସ୍କୁଲରେ ଭୋଟ୍ ଚାଲୁଥିବା ବେଳେ କିଛି ଦୁବୃର୍ତ୍ତ ବୁଥ୍ ଭିତରକୁ ପଶି ଆସିଥିଲେ । ବୁଥ୍ ଜବରଦଖଲ କରିବା ପାଇଁ ଚେଷ୍ଟା କରିବା ସହ କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ । ପୋଲିସ୍ ବିଡିଓଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଘଟଣା ପରେ ବୁଥ୍‌ରେ ଭୋଟିଂ ବନ୍ଦ ରଖାଯିବା ସହ ୮, ୯, ୧୦, ୧୧ର ପୋଲିଂ ପାର୍ଟି ଫେରି ଯାଇଛନ୍ତି ।