• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରଯାଇଛି ପଂଚାୟତ ନିର୍ବାଚନ । ଫଳାଫଳ ବି ବାହାରି ସାରିଛି । ଗଣତି ପରେ ଫେଲ ମାରିଛି ଅନେକ ପ୍ରାର୍ଥୀଙ୍କ ଗଣିତ । ଜିତିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ପ୍ରାର୍ଥୀ । କାହାକୁ ମଦ ମାଂସ ତ ପୁଣି କାହାକୁ ଦିଆଯାଇଥିଲା ଟଙ୍କା । ଏପରିକି ବିଭିନ୍ନ ସଂଗଠନ ଓ କ୍ରିକେଟ ଟିମକୁ ବି ଟଙ୍କା ଦେଇ ଭୋଟ ହାତେଇବାର ଆଶା ବାନ୍ଧିଥିଲେ ପ୍ରାର୍ଥୀ । ଏହି ପନ୍ଥା ଅନେକ ପ୍ରାର୍ଥୀ ଆପଣାଇଥିଲେ ।

ହେଲେ ସବୁ ପ୍ରାର୍ଥୀଙ୍କଠାରୁ ଲୋକେ ଟଙ୍କା ନେଇଥିଲେ ବି ଜଣଙ୍କୁ ହିଁ ଦେଇପାରିବେ ଭୋଟ । ଆଉ ନିର୍ବାଚନରେ ମଇଦାନରେ ଜଣେ ହିଁ ପିନ୍ଧିବ ରାଜମୁକୁଟ । ଅନ୍ୟ ସବୁ ପ୍ରାର୍ଥୀ ପରାଜୟକୁ ବରଣ କରିବେ । ଏହାସହ ଯାହା ସବୁ ଟଙ୍କା ଖର୍ଚ୍ଚ କରିଥିବେ, ସେସବୁ ପାଣିରେ ପଡ଼ିଲା ବୋଲି ଭାବି ନେବେ । ଏମିତି ହିଁ ସାଧାରଣତଃ ହୋଇଥାଏ ବୋଲି ସମସ୍ତଙ୍କର ଧାରଣା ଥାଏ । 

କିନ୍ତୁ ଆମେ ଆପଣଙ୍କୁ ଏବେ ଯେଉଁ ଖବର ଦେବୁ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ପ୍ରାର୍ଥୀ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ଗାଁ କୋଠରୁ ଆରମ୍ଭ କରି ଘର ଘର ବୁଲି ଟଙ୍କା ବି ବାଣ୍ଟିଥିଲେ । କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ, କ୍ଲବ୍‌ ଘରକୁ ବି ଟଙ୍କା ଦେଇଥିଲେ । ହେଲେ ଶେଷରେ ତାଙ୍କୁ ନିର୍ବାଚନରେ ମିଳିଥିଲା ଧୋକା । ନିର୍ବାଚନ ରଣାଙ୍ଗନରେ ସେ ପରାଜୟ ବରଣ କରିଥିଲେ ।

ଏହାପରେ ସତେ ଯେମିତି ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପରାଜୟକୁ ସହଜରେ ସ୍ୱୀକାର କରିପାରିନଥିଲେ ପ୍ରାର୍ଥୀ ଜଣକ । ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ବିଚଳିତ ହୋଇପଡ଼ିଥିଲେ । ଆଉ ତାପରେ ସେ ଆରମ୍ଭ କରିଛନ୍ତି ଅସୁଲି ରାଜନୀତି । ଯେଉଁମାନେ ଭୋଟ ଦେବେ କହି ଟଙ୍କା ନେଇଥିଲେ ସେମାନଙ୍କୁ ଏବେ ଟଙ୍କା ଫେରସ୍ତ ମାଗୁଛନ୍ତି ପ୍ରାର୍ଥୀଙ୍କ ସ୍ୱାମୀ । ଘର ଘର ବୁଲି ଯେମିତି ଟଙ୍କା ବାଣ୍ଟିଥିଲେ ଠିକ୍‌ ସେମିତି ନିର୍ବାଚନ ହାରିବା ପରେ କ୍ଲବ୍‌, କୋଠ ଘର, କ୍ରିକେଟ୍‌ ଟିମ୍‌ଠାରୁ ବି ଟଙ୍କା ଫେରସ୍ତ ଆଣୁଛନ୍ତି । ଏଭଳି ଟଙ୍କା ଆଦାୟ ପାଇଁ ଯାଇଥିବା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ହଟହଟା ହେବାକୁ ପଡ଼ିଛି । ଟଙ୍କା ଫେରସ୍ତ ମାଗୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉପରଝର ପଂଚାୟତର ବୋଲି ସୂଚନା ରହିଛି । ପରାଜିତ ସରପଂଚ ପ୍ରାର୍ଥୀନୀ କମଳିନୀ ପଟେଲଙ୍କ ସ୍ୱାମୀ ରାଜୀବ ପଟେଲ । ମତଦାନ ଆଗରୁ ନୂଆପାଲି ଗାଁ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅତିଥି ହୋଇଥିଲେ ରାଜୀବ ଏବଂ ତାଙ୍କ ପତ୍ନୀ କମଳିନୀ । ଭୋଟ ଦେବା ପାଇଁ କ୍ରିକେଟ ଟିମକୁ ପାଂଚ ହଜାର ଟଙ୍କା ଦେଇଥିଲେ । କିନ୍ତୁ ନିର୍ବାଚନରେ ପରାଜିତ ହେବା ପରେ ନୂଆପାଲି ଗାଁକୁ ଯାଇ କ୍ରିକେଟ ଟିମକୁ ଟଙ୍କା ଫେରସ୍ତ ମାଗିଥିଲେ ରାଜୀବ ପଟେଲ ।

ଏଥିପାଇଁ ରାଜୀବଙ୍କୁ ବହୁତ ହଟହଟା ହେବାକୁ ମଧ୍ୟ ପଡ଼ିଥିଲା । ଶେଷରେ କ୍ରିକେଟ୍‌ ଟିମ୍‌ ଟଙ୍କା ମଧ୍ୟ ଫେରାଇଥିଲା । ଖାଲି ଟଙ୍କା ଫେରାଇନଥିଲା, ବରଂ ଅପମାନ ଦେବା ଭଳି ଆଉ ଶହେ ଟଙ୍କା ଅଧିକ ମିଶାଇ, ୫ ହଜାର ଏକଶହ ଟଙ୍କା ଫେରାଇଥିଲା ଟିମ୍‌ । ଆଉ ଟିମ୍‌ ପକ୍ଷରୁ ପ୍ରାର୍ଥୀଙ୍କ ସ୍ୱାମୀକୁ ତାତ୍ସଲ୍ୟ କରି କୁହାଯାଇଥିଲା, ଏହି ଶହେ ଟଙ୍କା ଆପଣଙ୍କର ବାଟ ଖର୍ଚ୍ଚ । ଏତେ ବାଟ ଆସିଲେ ଗାଡ଼ିରେ ତେଲ ପୋଡ଼ିଥିବ । ଏହି ଶହେ ଟଙ୍କାରେ ତେଲ ପକାଇଦେବେ ।