/odishatv-khabar/media/post_attachments/uploadimage/library/16_9/16_9_0/Odisha_BJP_1711250341.jpg)
Odisha BJP
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଳମ୍ବିତ ରାତି ଯାଏ ଚାଲିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ବୈଠକରେ ଓଡ଼ିଶା ବାବଦରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ ଓ ଷ୍ଟ୍ରାଟେଜି ବାବଦରେ ଆଲୋଚନା ହୋଇଥିବା ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ମନମୋହନ ସାମଲ ।
ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପି ସିଇସି ବୈଠକରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶର ପ୍ରାର୍ଥୀ ତାଲିକା ବାବଦରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଆଜି ଏହି ସବୁ ରାଜ୍ୟ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଜାରି କରିପାରେ । ଗତକାଲି ରାତିରେ ବିଜେପିର ଶୀର୍ଷ ନେତାଙ୍କୁ ନେଇ ୩ ଘଣ୍ଟା ଧରି ବସିଥିବା ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।
ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ଉପରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି ।
ତେବେ ଖବର ସରବରାହ ସଂସ୍ଥା ANI ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ଓ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇପାରେ । ତେବେ ଦୁଇ ଜଣ ସାଂସଦ ତାଲିକାରୁ ବାଦ ପଡ଼ିଥିବା ANI ସୂତ୍ରରୁ ଖବର ମିଳିଛି ।
ଅନ୍ୟପଟେ କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା। ଚତୁର୍ଥ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡୁ ସମେତ ୧୨ଟି ରାଜ୍ୟର ୪୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତେବେ ପ୍ରମୁଖ ନେତାଙ୍କ ମଧ୍ୟରେ ବାରାଣସୀରୁ ଲଢ଼ିବେ ୟୁପି କଂଗ୍ରେସ ସଭାପତି ଅଜୟ ରାୟ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ବନ୍ଦ୍ବୀତା କରିବେ ଅଜୟ। ଦିଗବିଜୟ ସିଂ ମଧ୍ୟପ୍ରଦେଶ ରାଜଗଡ଼ରୁ ଏବଂ ଦାନିଶ ଅଲି ଉତ୍ତରପ୍ରଦେଶ ଅମରୋହାରୁ ପ୍ରାର୍ଥୀ ହେବେ ।
...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)