• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିର୍ବାଚନ ପୂର୍ବରୁ ବିଜେଡିର ଭାବାବେଗ ରାଜନୀତି । ପ୍ରଥମେ ମଠ ମନ୍ଦିର ରୂପାନ୍ତରୀକରଣ, ତାର ପ୍ରଚାର ପ୍ରସାର, ଆଉ ଏବେ ଓଡ଼ିଆ ଭାଷାକୁ ଫୋକସ୍ । ଦିନକ ପରେ ଭୁବନେଶ୍ୱରରେ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆଉ ତାକୁ ନେଇ ଗାଁଠୁ ସହର ଯାଏ କାର୍ଯ୍ୟକ୍ରମ । ତିନିଦିନିଆ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମରେ ସରକାର ଖର୍ଚ୍ଚ କରିବେ ପ୍ରାୟ ୧୦୦ କୋଟି ଟଙ୍କା । ଅଣଓଡ଼ିଆ ଶାସନ ଅଭିଯୋଗର କାଳିମାକୁ ଛଡାଇବା ଲାଗି ସରକାରଙ୍କ ଏହି ଚାଲ୍ ବୋଲି ବିରୋଧୀ କହିଥିବା ବେଳେ ବିଳମ୍ବରେ ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାଷାବିତ୍ ।

ଭଗବାନଙ୍କ ପରେ ଭାଷା ଭରସାରେ ବିଜେଡି ! ପରିକ୍ରମା ପ୍ରକଳ୍ପ ପରି ଭାଷା ସମ୍ମିଳନୀକୁ ନେଇ ଗାଁ ଗାଁ ରେ କାର୍ଯ୍ୟକ୍ରମ କରିବେ ସରକାର । ସ୍କୁଲ୍ କଲେଜରେ ହେବ ପ୍ରତିଯୋଗିତା । ସାମିଲ୍ ହେବେ ଛାତ୍ରଛାତ୍ରୀ, ପୂରାତନ ଛାତ୍ର ଓ ଅଭିଭାବକ । ଆସନ୍ତା ୩ରୁ ୫ ଯାଏ ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଯୋଗଦେବେ ଦେଶ ବିଦେଶର ଭାଷାବିତ, ସାହିତ୍ୟିକ ଓ ଲେଖକ । ଉଦଘାଟନୀ ଦିବସରେ ରାଜ୍ୟବ୍ୟାପୀ ଦିନ ସାଢେ ଏଗାରଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ ।

ତିନିଦିନ ଧରି ପଞ୍ଚାୟତରୁ ଜିଲ୍ଲାସ୍ତର ଯାଏ ବ୍ୟାପକ କାର୍ଯ୍ୟକ୍ରମ ହେବ । ଏଥିପାଇଁ ପ୍ରତି ପଞ୍ଚାୟତକୁ ୨୦ ହଜାର ଟଙ୍କା ଓ ବ୍ଲକ ସ୍ତରରେ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ ସରକାର । ଏସ୍ଏଚ୍‌ଜି ମହିଳାଙ୍କୁ ବି କାର୍ଯ୍ୟକ୍ରମରେ ସାମିଲ୍ କରାଯିବ । ଏଥିପାଇଁ ଏସ୍ଏଚ୍‌ଜି ବ୍ଲକ୍ ଫେଡେରେସନ୍‌କୁ ୨୦ ହଜାର ଟଙ୍କା ମିଳିବ । ୨୦୧୭ରୁ ଐତିହ୍ୟ କ୍ୟାବିନେଟରେ ସରକାର ଭାଷା ସମ୍ମିଳନୀ ପାଇଁ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ଆୟୋଜନ ହୋଇପାରିନଥିଲା । ପୁଣିଥରେ ୨୦୨୩ରେ ଐତିହ୍ୟ କ୍ୟାବିନେଟରେ ପାରିତ କରି ସରକାର ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି । ତେବେ ବିଳମ୍ବିତ ଆୟୋଜନ କୁ ନେଇ ଭାଷାବିତମାନେ ପ୍ରଶ୍ନ ଉଠାଇଛନ୍ତି ।

ଭାଷା ସମ୍ମିଳନୀ ପାଇଁ ସରକାର ବିଜ୍ଞାପନ ଛାଇ ଦେଉଛନ୍ତି । ଜୋରଦାର ପ୍ରଚାର ପ୍ରସାର ହେଉଛି । ତେବେ ହଠାତ୍ କାହିଁକି ସରକାରଙ୍କ ଏହି ଭାଷା ପ୍ରୀତି ? ତାକୁ ନେଇ ସରକାରୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି ବିରୋଧୀ । ୨୦୧୮ରୁ ଓଡିଆରେ ସାଇନ୍ ବୋର୍ଡ ନିୟମ ହୋଇଥିଲେ ବି ଏଯାଏ କଡାକଡି ଲାଗୁ ହୋଇପାରିଲାନି ।

ସେହିପରି ସରକାରୀ ଦପ୍ତରରେ ଓଡିଆ ଭାଷାରେ କାମ ନିୟମ ରହିଥିଲେ ବି ଶତ ପ୍ରତିଶତ ଲାଗୁ ହୋଇପାରିନି । ଓଡ଼ିଶାରେ ଅଣଓଡ଼ିଆ ଶାସନକୁ ନେଇ ସରକାର ବ୍ୟାକ୍ ଫୁଟ୍ ରେ ଅଛନ୍ତି । ଯାହାକୁ କାଉଣ୍ଟର କରିବା ଲାଗି ସରକାର ଭାଷା ସମ୍ମିଳନୀର ଆୟୋଜନ କରିଥିବା କହିଛନ୍ତି ବିରୋଧୀ । ବିଜେଡିର ଜବାବ ବିରୋଧୀ ଅସହିଷ୍ଣୁ ।

  • Reported by:
  • JAGDISH DAS , SOUMYA RANJAN SAHOO