• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନ ନିବାସରେ ଶୁଭେଚ୍ଛୁ ଭିଡ। କିନ୍ତୁ ନବୀନଙ୍କ ପାଇଁ ନୁହେଁ, ଏ ଭିଡ଼ ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପାଇଁ। ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭାବେ ନିଯୁକ୍ତି ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ନେତାଙ୍କ ପରେ ଏବେ ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଗଠନ ପାଣ୍ଡିଆନଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ତେବେ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏ ଶୁଭେଚ୍ଛା ପର୍ବ ?

ମୁଖ୍ୟମନ୍ତ୍ରୀଙ୍କ ଆବାସ ନବୀନ ନିବାସରେ ଫାଇଭ ଟି ଅଧ୍ୟକ୍ଷଙ୍କୁ ଭେଟିବା ଲାଗି ଶୁଭେଚ୍ଛୁକଙ୍କୁ କେଉଁଠୁ ମିଳିଲା ସୂଚନା ଆଉ ଅନୁମତି ? ନା ଏହା ପ୍ରୟୋଜିତ ପାୱାର ସୋ ? ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘ ଶୁଭେଚ୍ଛା ଜଣାଇବା ସହ ନିଜ ନିଜ ଦାବି ନେଇ ଫାଇଭ ଟି ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି । ଅପରପକ୍ଷେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ନବୀନଙ୍କ ପରେ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ହେଲେ ପାଣ୍ଡିଆନ୍ । ହୁଏତ ଆଗକୁ ବିଜେଡିର ମଙ୍ଗୁଆଳ ବି ହୋଇପାରନ୍ତି । 

ସେପଟେ ପାଣ୍ଡିଆନ୍‌ଙ୍କ ଭିଆରଏସ୍ ଓ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତିକୁ ନେଇ ଆଜି ଜୋରଦାର ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଛନ୍ତି ସ୍ୱେଚ୍ଛାକୃତ ଅବସର ପରେ ତାଙ୍କୁ ଯେଉଁ ନିଯୁକ୍ତି ମିଳିଲା ତାହା ପ୍ରମାଣ କରୁଛି ଯେ କିଭଳି ସେ ପୂରା ଶାସନ ବ୍ୟବସ୍ଥାକୁ ହାଇଜାକ୍ କରି ରଖିଛନ୍ତି । ଏହା ବିଜେଡି ନେତା ଓ କର୍ମୀଙ୍କ ପ୍ରତି ଅପମାନ ।

ଓଡ଼ିଶା ଲୋକ ସରଳ, କିନ୍ତୁ ସବୁ ଜାଣିଛନ୍ତି ବୋଲି କହିବା ସହ ପାଣ୍ଡିଆନଙ୍କ ଭିଆରଏସର ବି ପୋଲ୍ ଖୋଲିଛନ୍ତି ଅପରାଜିତା । କହିଛନ୍ତି ଚାପରେ ସେ ଭିଆରଏସ୍ ନେଇଛନ୍ତି । ନଚେତ୍ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ଲାଗି ନିର୍ବାଚନ କମିଶନ ଆଗକୁ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ । ରାଜନୀତିରେ ଏହା ପାଣ୍ଡିଆନଙ୍କ ସଫ୍ଟ ଲ୍ୟାଣ୍ଡିଂ ବୋଲି କହି ସମାଲୋଚନା କରିଛନ୍ତି ଅପରାଜିତା ।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ କଡା ସମାଲୋଚନା କରି କହିଛନ୍ତି, ଅଣଓଡ଼ିଆଙ୍କୁ ଏଠି ଶାସନ ଗାଦିରେ ବସେଇ ଦିଆଯିବନି । ଆଗକୁ ଲଢେଇ ଜୋରଦାର ହେବ। ସେପଟେ ଜବାବ ରଖିଛି ବିଜେଡି।

24 ନିର୍ବାଚନ ଆଗରୁ ଭିଆରଏସ ନେଇ ଫାଇଭ୍ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ନିଯୁକ୍ତି ସହ ପରୋକ୍ଷ ରାଜନୀତିରେ ଏଣ୍ଟ୍ରି ମାରିସାରିଥିବା ପାଣ୍ଡିଆନ୍ ଆଗକୁ ପ୍ରତ୍ୟେକ୍ଷ ରାଜନୀତିକୁ କେବେ ଓହ୍ଲାଉଛନ୍ତି ତା ଉପରେ ନଜର ଥିବା ବେଳେ ବିରୋଧୀ ବି ପାଣ୍ଡିଆନ୍ ମୁଦ୍ଦାକୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ।

  • Reported by:
  • BALRAM LENKA , JAGDISH DAS