• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଥମୁନି ଓବିସି ରାଜନୀତି । ଓବିସି ସଂରକ୍ଷଣ ଦାବିରେ, ବିଜେପି ପହଞ୍ଚିଲା ରାଜ୍ୟପାଳଙ୍କ ପାଖରେ । ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ଦଳ । ବିଜେପିର ଦାବି ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ ଲାଗି ପ୍ରଥମେ ସଂରକ୍ଷଣ କରାଯାଉ, ତାପରେ ର୍ନିବାଚନ କରାଯାଉ । ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।

ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ପଞ୍ଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଛି ଆସନ ସଂରକ୍ଷଣ ଚିଠା ତାଲିକା । ହେଲେ ଏହି ପ୍ରସଙ୍ଗକୁ ନେଇ କିନ୍ତୁ ଥମୁନି ରାଜନୀତି । ଓବିସି ଭୋଟ୍ ବ୍ୟାଙ୍କ କାଳେ ହାତଛଡ଼ା ହେବ, ସେଥିପାଇଁ ଦଳୀୟ ଭିତ୍ତିରେ ପ୍ରଥମେ ୨୭ ଓ ପରେ ୪୦ ପ୍ରତିଶତ ସିଟ୍‌ରେ ପଛୁଆ ବର୍ଗ ପ୍ରାର୍ଥୀ ଦେବାକୁ ବିଜେଡି ଘୋଷଣା କରିସାରିଛି । କିନ୍ତୁ ଓବିସିଙ୍କୁ ବିନା ରିଜରଭେସନ୍‌ରେ ନିର୍ବାଚନ ଯୋଜନାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ୍ ।

ଏହି ନୂଆ ତାଲିକାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦିଆଯାଇଛି । ଜାନୁଆରୀ ୩ ଭିତରେ ଆପତ୍ତି ଅଭିଯୋଗ ଦାଖଲ, ୫ ରେ ତାର ସମାଧାନ କରାଯାଇ ୭ ତାରିଖରେ ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରାଯିବ । ଏହାପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ସେପଟେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ଡ୍ରାଫ୍ଟ ଲିଷ୍ଟ ପ୍ରକାଶ ପାଇବା ପରେ ତେଜିଛି ରାଜନୀତି । ପଂଚାୟତ ନିର୍ବାଚନରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରଖାଯିବା ନେଇ ଆଇନ ସଂଶୋଧନ ପୂର୍ବରୁ, ବିଜେଡି ଦଳୀୟ ସ୍ତରରେ ୨୭ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା ।

ତେବେ ପରବର୍ତ୍ତୀ ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରିଛି । ପ୍ରଶ୍ନ ଉଠୁଛି କାହିଁକି ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ବାରମ୍ବାର ଆଭିମୁଖ୍ୟ ବଦଳାଉଛି ବିଜେଡି ? ଆଇନଗତ ଭାବେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଇ ପାରିନଥିବାରୁ କାଳେ ଏହି ବର୍ଗ ବିଜେଡି ବିରୋଧୀ ହେବ, ସେଥିପାଇଁ ଏହି ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ।