• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଲାମ ହେଲା ସରପଞ୍ଚ ପୋଷ୍ଟ । ଭୋଟିଂ ପୂର୍ବରୁ ମିଟିଂରେ ବଛା ହେଲେ ପଞ୍ଚାୟତ ମୁଖିଆ । ୪୪ ହଜାର ଟଙ୍କା ଦେଇ ସାମ୍ବିଧାନିକ ପଦ କିଣିନେଲେ ଆଶାୟୀ । ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତି ବିଡ଼ମ୍ବନାର ଏ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ । ଆଶାୟୀ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ, ଯିଏ ୪୪ ହଜାର ଟଙ୍କା ଦେଇ ବିଲେଇସର୍ଡା ସରପଞ୍ଚ ପଦ କିଣିଥିବା ଦାବି କରିଛନ୍ତି । ତାସହ ବଖାଣିଛନ୍ତି ପୁରା ଘଟଣା ପଛର ବୃତ୍ତାନ୍ତ ।

ସୁଶାନ୍ତଙ୍କ କହିବାନୁସାରେ-ବିଲେଇସର୍ଡା, କସୁରପାଲ୍ଲୀ ଓ ବନ୍ଦନାକଟାକୁ ନେଇ ଗଠିତ ବିଲେଇସର୍ଡା ପଞ୍ଚାୟତରେ ସେ ଏଥର ସରପଞ୍ଚ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିଲେ । ହେଲେ ଗାଁର ଅଧାଗଢ଼ା ଜଗନ୍ନାଥ ମନ୍ଦିରକୁ ଯେଉଁ ଆଶାୟୀ ପ୍ରାର୍ଥୀ ଅଧିକ ଟଙ୍କା ଦେବେ ତାଙ୍କୁ ଗାଁ ଲୋକେ ସମର୍ଥନ ଦେବେ ଓ ବିପକ୍ଷରେ ଆଉ କାହାରିକୁ ବି ପ୍ରାର୍ଥୀ ହେବାକୁ ସୁଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଶୁଣିବାକୁ ପାଇଥିଲେ । ଏମିତିକି ୟାକୁ ନେଇ ଗତ ଶୁକ୍ରବାର ତିନି ଗାଁ ମୁରବୀଙ୍କ ଉପସ୍ଥିତିରେ ଏକ ମିଟିଂ ବି ବସିଥିଲା, ଯେଉଁଠି ସରପଞ୍ଚ ପଦ ପାଇଁ ଅକ୍ସନ ହୋଇଥିଲା । ୪ ଜଣ ଆଶାୟୀଙ୍କ ମଧ୍ୟରୁ ସେ ସର୍ବାଧିକ ୪୪ହଜାର ଟଙ୍କା ଦେବାକୁ ଘୋଷଣା କରିବା ପରେ ସର୍ବସମ୍ମତିକ୍ରମେ ତାଙ୍କୁ ଏ ପଦ ପାଇଁ ବଛା ଯାଇଥିଲା ବୋଲି କହିଛନ୍ତି ସୁଶାନ୍ତ ।

ତେବେ କେତେ ସତ କହୁଛନ୍ତି ନିଲାମରେ ସରପଞ୍ଚ ପଦ ହାତେଇଥିବା ଆଶାୟୀ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ? ଏହା ଜାଣିବାକୁ ଓଟିଭି ଟିମ୍‌ ବିଲେଇସର୍ଡା ଗାଁର ମୁରବି ଓ ଖୋଦ୍ ଜଗନ୍ନାଥ ମନ୍ଦିରର ପୂଜକଙ୍କୁ ବି ଭେଟିଥିଲା । ଯେଉଁମାନେ ସେଦିନ ସଭାରେ ଥିଲେ ଓ ସମ୍ମତି ଦେଇଥିଲେ, ସମସ୍ତେ ମାନିଛନ୍ତି-ଜଗନ୍ନାଥ ମନ୍ଦିର ପାଇଁ ୪୪ହଜାର ଟଙ୍କା ଦେବାକୁ ଘୋଷଣା କରିବା ପରେ ସୁଶାନ୍ତ ଛତ୍ରିଆଙ୍କୁ ହିଁ ସରପଞ୍ଚ ପଦ ପାଇଁ ବାଛିଛୁ । ତାସହ ଏକଥା ବି କହିଛନ୍ତି କୋଭିଡ୍ ମହାମାରୀ ସମୟରେ ସର୍ବସମ୍ମତିକ୍ରମେ ସରପଞ୍ଚ ବଛା ହେଲେ ସଂକ୍ରମଣ ରୋକିବାରେ ସହାୟକ ହେବ ।

 

ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରର ସତ୍ୟାସତ୍ୟ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଆସନ୍ତାକାଲି ସଂଧ୍ୟା ୫ଟା ମଧ୍ୟରେ ରିପୋର୍ଟ ଦେବାକୁ ECଙ୍କ ନିର୍ଦ୍ଦେଶ ରହିଛି ।