• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପାୱାର କଟ୍‌କୁ ନେଇ ତେଜିଲା ରାଜନୀତି। ଖୋଦ୍ ଶାସକ ଦଳର ଜଣେ ପରେ ଜଣେ ନେତା ଟାଟା ପାୱାର ଉପରେ ଝାଡୁଛନ୍ତି ଅସନ୍ତୋଷ। ପ୍ରଥମେ ମୁଖ୍ୟ ସଚିବ, ପରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଆଉ ଆଜି କଟକ ମେୟର୍ ସୁବାସ ସିଂ ଟାଟା ପାୱାର ଉପରେ ବର୍ଷିଛନ୍ତି। ତେବେ ପ୍ରଥମେ ଅସନ୍ତୋଷ ଛାଡ଼ି, ପରେ ୟୁ-ଟର୍ଣ୍ଣ ନେଇଥିଲେ ଅମର ପଟ୍ଟନାୟକ। ଅନ୍ୟପକ୍ଷରେ ପାୱାର କଟ୍ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍ କରିଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ଆସନ୍ତାକାଲି ଓ ପରଦିନ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେପଟେ କିନ୍ତୁ ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ଆଜି ବି ଚୁପ୍ ରହିଛନ୍ତି ଶକ୍ତିମନ୍ତ୍ରୀ।

ବିଦ୍ୟୁତ କାଟକୁ ନେଇ ତୀବ୍ର ହେଉଛି ଅସନ୍ତୋଷ। ମୁଖ୍ୟଶାସନ ସଚିବଙ୍କ ପରେ ବିଜେଡି ନେତା ବି ଖପ୍ପା। ତେବେ କାହିଁକି ଟାଟା ପାୱର କାର୍ଯ୍ୟକୁ ବିରୋଧ କରୁଛି ବିଜେଡି? ଲୋକଙ୍କ ଅସନ୍ତୋଷ ବଢୁଥିବା ଦେଖି, ଏହା ଦେଖାଣିଆ ବିରୋଧ କି? ଘନଘନ ପାୱାର୍ କଟ୍‌କୁ ନେଇ ଗୋଟିଏ ପଟେ ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଲାଣି, ଅନ୍ୟପଟେ ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି।

ମୁଖ୍ୟଶାସନ ସଚିବଙ୍କ ପରେ ଶାସକ ଦଳର ସାଂସଦ ଅମର ପଟ୍ଟନାୟକ ବି ଝାଡିଥିଲେ ଅସନ୍ତୋଷ। ପ୍ରଥମେ ଟୁଇଟରେ ମୁଖ୍ୟ ସଚିବଙ୍କୁ ସମର୍ଥନ କରିଥିଲେ ଅମର। ଆଉ ଆଜି ପୁଣିଥରେ ଟାଟା ପାୱାର କାର୍ଯ୍ୟ ଉପରେ ବର୍ଷିଛନ୍ତି ଅମର। କହିଛନ୍ତି, ଲୋଡ୍ ବାଲାନସିଂ ଠିକ୍ ରେ ହୋଇ ପାରନଥିବାରୁ ଲାଇନ୍ କଟୁଛି। ବିପର୍ଯ୍ୟୟର ସମୟରେ ବିଦ୍ୟୁତ ବ୍ୟାଘାତ ହେଲେ ବି କୌଣସି ରିକଭରି ପ୍ଲାନ୍ ନଥିବା କହି ସମାଲୋଚନା କରିଥିଲେ।  ତେବେ ଏଭଳି ପ୍ରତିକ୍ରିୟା ଦେବାର କିଛି ଘଣ୍ଟା ପରେ ବଦଳି ଯାଇଥିଲା ଅମରଙ୍କ ସ୍ୱର। ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ଟାଟା ପାୱାରର ତତ୍ପରତା ଉପରେ ଖୁସି ପ୍ରକାଶ କରିଛନ୍ତି ଅମର। ତେବେ ଅମର ହଠାତ୍ କାହିଁକି ଏଭଳି ୟୁଟର୍ଣ୍ଣ ନେଲେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛ। 

ତେଣେ ଅମର ପଟ୍ଟନାୟକଙ୍କ ପରେ କଟକ ମେୟର୍ ସୁବାସ ସିଂ ବି ଟାଟା ପାୱର୍ ଉପରେ ବର୍ଷିଛନ୍ତି। ବିଜୁଳି ବଳକା ରାଜ୍ୟରେ କାହିଁକି ଘଣ୍ଟାଘଣ୍ଟା ପାୱାର କଟ୍ ହେଉଛି ବୋଲି ପ୍ରଶ୍ନ କରିଛନ୍ତି। ଟାଟା ପାୱାରକୁ କ୍ରିୟାଶୀଳ ହେବାକୁ ବାଧ୍ୟ କରିବୁ ବୋଲି କହିଛନ୍ତି ସୁବାସ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପାୱାର କଟ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କରିଛନ୍ତି କଡ଼ା ସମାଲୋଚନା। କହିଛନ୍ତି ମୁଖ୍ୟଶାସନ ସଚିବ, ଶକ୍ତିମନ୍ତ୍ରୀ ଓ ସାଂସଦ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇଛନ୍ତି। ଏହା ଶାସନଗତ ବିଫଳତାର ଚରମ ନିଦର୍ଶନ।

ସେପଟେ ବିଜେପି ମଧ୍ୟ ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ଶକ୍ତିମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ଆସନ୍ତାକାଲି ଓ ପରଦିନ ସାରା ରାଜ୍ୟରେ ଟାଟା ପାୱାର ଅଫିସ୍ ଆଗରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେପଟେ ଗତକାଲି ଭଳି ଆଜି ବି ଶକ୍ତିମନ୍ତ୍ରୀ ଏ ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି। ଟାଟା ପାୱାରକୁ ବିଦ୍ୟୁତ ଯୋଗାଣ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। କିନ୍ତୁ ବିଜୁଳି ସମସ୍ୟା ବେଳକୁ କଂପାନୀକୁ ହିଁ ଟାର୍ଗେଟ କରୁଛି ଶାସକ ବିଜେଡି। ତେଣୁ ଲୋକଙ୍କ ପାଖରେ ଉତ୍ତରଦାୟୀ କିଏ ହେବ ତାହା ଏବେ ବଡ଼ ପ୍ରଶ୍ନ।

  • Reported by:
  • HARIHARA CHAND , KAPILENDRA PRADHAN , NIRANJAN REDDY