• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରତ୍ନଭଣ୍ଡାର ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବଡ଼ ପ୍ରତିକ୍ରିୟା । କହିଲେ ରତ୍ନଭଣ୍ଡାର ସମ୍ପତ୍ତି ବାହାର ରାଜ୍ୟକୁ ଯାଇନି ତ ? ସାରା ରାଜ୍ୟରେ ଏବେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଦାବି ଜୋର ଧରିଥିବା ବେଳେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଛନ୍ତି ଏଭଳି ବଡ଼ ବୟାନ ।

ତାରା ଆହୁରି କହିଛନ୍ତି, ‘ରତ୍ନଭଣ୍ଡାର ଖୋଲିବା ଓଡ଼ିଶାବାସୀଙ୍କ ପାଇଁ ସ୍ୱାଭିମାନର କଥା । ଦୀର୍ଘଦିନରୁ କମିଶନ ଗଠନ ହୋଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେଣୁ ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା କଥା । ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡାର ଚାବି ହଜିବା କଥା ସେ ଜାଣିନାହାନ୍ତି । ତାଙ୍କ କଥାରୁ ଲାଗୁଛି ବୋଧହୁଏ ସେ ଓଡ଼ିଶାର ମନ୍ତ୍ରୀ ନୁହଁନ୍ତି । ମନ୍ତ୍ରୀ କହିବା ଅର୍ଥ ସରକାର ଜାଣିନାହାନ୍ତି, ଏହା ନିନ୍ଦନୀୟ କଥା ।

ରତ୍ନଭଣ୍ଡାରରୁ ସମ୍ପତ୍ତି ବାହାର ରାଜ୍ୟକୁ ଚାଲିଯାଇନି ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ତାରା । ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନକୁ ନେଇ ରାଜନୀତି ତେଜିଛି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏନେଇ ଉଦବେଗ ପ୍ରକାଶ କରି କହିଛନ୍ତି, ଆଇନମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଜାଣି ନାହାନ୍ତି। ରାଜ୍ୟବାସୀ କିନ୍ତୁ ଜାଣିଛନ୍ତି ପ୍ରଥମେ ଚାବି ହଜିଥିଲା । ପରେ ନକଲି ଚାବି ମିଳିଛି । ରାଜ୍ୟ ସରକାର କମିଶନ ବି ଗଠନ କରିଛନ୍ତି। ହେଲେ ମନ୍ତ୍ରୀ କେମିତି ଏଭଳି କହିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ‘ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି । ୧୯୨୬, ୧୯୭୮ରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ହୋଇଥିଲା । ସରକାର ରତ୍ନଭଣ୍ଡାରର ମାର୍ଫତଦାର କି ମାଲିକ ନୁହଁନ୍ତି । ୨୦୨୧ ରେ ୩ କୋଟିର ସୁନା ଅଳଙ୍କାର ଜଣେ ଭକ୍ତ ମଧ୍ୟ ଦାନ କରିଛନ୍ତି । ସେ କେଉଁ କାମରେ ଲାଗୁଛି ତାହା ଜାଣିବା ଲୋକଙ୍କ ଅଧିକାର । ପୂର୍ବରୁ କେତେ ଥିଲା, ଏବେ କେତେ ଦାନ ମିଳିଲା, ସମସ୍ତେ ଜାଣିବା ଦରକାର । ଆଉ ବିଳମ୍ବ ନ କରି ତୁରନ୍ତ ଗଣନା କରନ୍ତୁ । ସରକାରଙ୍କୁ ପରାମର୍ଶ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରନ୍ତୁ’ ।