• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେପିରେ ମିଶୁ ମିଶୁ ବିଜେଡି ବିରୋଧରେ ସୁଜିତ୍ କୁମାରଙ୍କ ବିଷୋଦଗାର୍ । ଗୋଟି ଗୋଟି କରି ନିଜ ଇସ୍ତଫା ପଛର କାରଣ ବଖାଣି ବିସ୍ଫୋରଣ ବି କଲେ ସୁଜିତ୍ କୁମାର । ଏହି ପୂର୍ବତନ ରାଜ୍ୟସଭା ସାଂସଦ କହିଛନ୍ତି-ବିଜେଡି ସରକାରରେ ହରିଲୁଟ୍ ଚାଲିଥିଲା, ହେଲେ ନେତା କିଛି ଶୁଣୁନଥିଲେ । ଜମି, ପଥର ଖଣି, ଛତୁଆ ଓ ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟିର ଦୁର୍ନୀତି ଚାଲିଥିଲା । ଜିଲ୍ଲାରୁ ରାଜ୍ୟସ୍ତରର ବହୁ ନେତା ଏବଂ ଅଫିସର ଏଥିରେ ସାମିଲ ଥିଲେ । ଏନେଇ ଦଳ ନେତୃତ୍ବଙ୍କୁ ବହୁବାର ଜଣାଇବାକୁ ଚେଷ୍ଟା କରିଛି, ହେଲେ ବିଫଳ ହୋଇଥିଲି । ତେଣୁ ଶେଷରେ ବାଧ୍ୟ ହୋଇ ଦଳ ଛାଡ଼ିଦେଲି ।

ଏତିକିରେ ସରିନଥିଲା ବିଜେଡି ବିରୋଧରେ ସୁଜିତଙ୍କ ବିଷୋଦଗାର । ଗୁମର ଖୋଲି କହିଥିଲେ-ନିର୍ବାଚନ ପୂର୍ବରୁ ବିଜେଡିରେ ତାଙ୍କୁ ଧମକ ଦିଆଯାଇଥିଲା । ତାଙ୍କୁ ରାଜ୍ୟସଭାରୁ କାଢ଼ି ଦିଆଯିବା ସହ ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ ବୋଲି କଳାହାଣ୍ଡି ଆସି ଧମକାଇ ଥିଲେ ବିଜେଡିର ଜଣେ ରାଜ୍ୟସ୍ତରୀୟ ନେତା । ଯଦିଓ ମୋ ମୁହଁରେ ସେ କିଛି କହିନଥିଲେ, କିନ୍ତୁ ଅନ୍ୟ ଦଳୀୟ ନେତାଙ୍କୁ କହିଥିଲେ । ତେବେ ନିର୍ବାଚନ ପରେ ଏକଥା ମୁଁ ଦଳ ସୁପ୍ରିମୋଙ୍କୁ ଜଣାଇଥିଲି, ହେଲେ ସେ ଦେଖିବେ ବୋଲି କହି ଚୁପ୍ ରହିଗଲେ ।

ତା ସହ ସୁଜିତ୍ ଆହୁରି ମଧ୍ୟ ସାଂଘାତିକ ଆରୋପ ଆଣି କହିଛନ୍ତି-ବିଜେଡି ଦଳରେ ଜଣେ ଦୁଇ ଜଣ ବଡ଼ ନେତାଙ୍କ ଗୋଲାମୀ ଓ ଚାମଚାଗିରି ପାଇଁ ବାଧ୍ୟ  କରାଯାଉଥିଲା । ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା, କୌଣସି ଦଳୀୟ କାର୍ଯ୍ୟରେ ସାମିଲ କରାଯାଉନଥିଲା ।

ତେବେ ସୁଜିତ୍ କୁମାର ବିଜେପିରେ ମିଶିବା ପରେ ବିଜେଡି ବିରୋଧରେ ଆଣିଥିବା ସଂଗୀନ ଆରୋପ ନେଇ ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି- ଦଳ ଛାଡ଼ିଲା ପରେ ଲୋକେ ଏମିତି ବାହାନା କରନ୍ତି । ବିଜେଡି ସରକାରରେ ଦୁର୍ନୀତି ଚାଲିଥିବା କଥା କେବେ ବି ସୁଜିତ୍ ଆମକୁ କହିନାହାନ୍ତି, ଯଦି ସେ ଦୁର୍ନୀତି କରିଥିବେ-ଏକଥା ଜାଣିଥିବେ ବୋଲି ପାଲଟା ଆକ୍ଷେପ କରିଛନ୍ତି ମୁନ୍ନା ଖାଁ ।

ତେଣେ ଆଜିର ଘଟଣାକୁ ନେଇ ରାଜନୀତି ସମୀକ୍ଷକ କହିଛନ୍ତି- ବିଜେଡିର ଜଣକ ପରେ ଜଣେ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ମିଶିବା, ଶଙ୍ଖ ଦଳ ପାଇଁ ଶୁଭଙ୍କର ନୁହେଁ । ଘଳିଆ ନ ଜଗିଲେ ଆଗକୁ ଘାଇ ସୃଷ୍ଟି ହୋଇପାରେ । ଏକଦା ପାଣ୍ଡିଆନଙ୍କ ବେଶ୍ ଘନିଷ୍ଠ ଭାବେ ଜଣାଶୁଣା ଥିଲେ ସୁଜିତ୍ କୁମାର । ହେଲେ ସେ ବିଜେଡିରୁ ଇସ୍ତଫା ଦେବା ଓ ରାଜ୍ୟସଭା ସାଂସଦ ପଦ ଛାଡ଼ି ବିଜେପିରେ ମିଶିବା ଘଟଣା ଶଙ୍ଖ ଦଳରେ ନେତା ଅଣନିଶ୍ବାସୀ ହୋଇଥିବା କଥା ପୁଣି ସ୍ପଷ୍ଟ ହୋଇଛି ।

  • Reported by:
  • SIBANANDA ROUT , ATULYA BOUT

OTV is now on Whatsapp

Join and get latest news update delivered to you via whatsapp

Join Now