• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ରାଲି । ଭୁବନେଶ୍ୱର କଂଗ୍ରେସ ଭବନରୁ ରାମ ମନ୍ଦିର ଯାଏ ଶୋଭାଯାତ୍ରା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଛାତ୍ର କଂଗ୍ରେସ । ସଂଗଠନ ଅଭିଯୋଗ କରିଛି ଯେ, ବିଜେପି ଶାସନକୁ ଆସିବା ପରେ ମହଙ୍ଗା ଆକାଶ ଛୁଇଁଛି । ଖାଲି ଗ୍ୟାସ ନୁହେଁ, ଡାଲିଠୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁ କିଛି ଦର ବଢ଼ିଛି । ଆଗାମୀ ଦିନରେ ହାଣ୍ଡିଶାଳରେ କେନ୍ଦ୍ର ବିରୋଧରେ ଲଢ଼େଇ ଆରମ୍ଭ ହେବ ବୋଲି କହିଛି ଛାତ୍ର କଂଗ୍ରେସ । ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ, ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।

ସୂଚନାଯୋଗ୍ୟ, ପୁଣି ମହଙ୍ଗା ହୋଇଛି ରନ୍ଧନ ଗ୍ୟାସ୍ । ପୁଣି ବିଗିଡ଼ିଛି ଗୃହିଣୀଙ୍କ ବଜେଟ୍ । ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ଏକାଥରକେ ବଢ଼ିଛି ୫୦ ଟଙ୍କା, ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ଏହା ପୂର୍ବରୁ ଗତ ମାର୍ଚ୍ଚ ୨୨ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧି ପାଇଥିଲା । ଏବେ ପୁଣି ଗତ ୭ ତାରିଖରେ ୫୦ ଟଙ୍କା ବଢ଼ିବା ପରେ ପ୍ରାୟ ଦେଢ଼ ମାସରେ ଦର ୧୦୦ ଟଙ୍କା ବଢିଛି ।

ସେହିପରି ଗତ ବର୍ଷକ ଭିତରେ ପାଖାପାଖି ୨୦୦ ଟଙ୍କା ମହଙ୍ଗା ହୋଇଛି ଗ୍ୟାସ୍ । ସେପଟେ ପୂର୍ବରୁ ଯେମିତି ଅଧିକ ସବସିଡି ମିଳୁଥିଲା, ତା ବି ଆଉ ନାହିଁ । ଏବେ ସିଲିଣ୍ଡର ପିଛା ମାତ୍ର ୧୩ ଟଙ୍କା ୯୫ ପଇସା ସବସିଡି ମିଳୁଛି ।

ପୂର୍ବରୁ ଚଳିତ ମାସରେ ୧୯ କେଜି ବିଶିଷ୍ଟ କମର୍ସିଲିଆଲ ଏଲପିଜି ସିଲିଣ୍ଡର ୧୦୨ ଟଙ୍କା ବଢ଼ି ୨୩୫୫ ଟଙ୍କା ହୋଇଥିଲା । ସେହିପରି ୫ କେଜି ବିଶିଷ୍ଟ ସିଲିଣ୍ଡର ୬୫୫ ଟଙ୍କାକୁ ବୃଦ୍ଧି ପାଇଥିଲା ଗୋଟିଏ ପଟେ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ଲୋକଙ୍କୁ ବାଧୁଥିବୋଳେ ଗ୍ୟାସ୍ ଦର ବୃଦ୍ଧି କଟା ଘାରେ ଚୂନ ଦେବା ଭଳି ହୋଇଛି ।