Advertisment

କିଏ ହେବେ ନୂଆ ପିସିସି ମଙ୍ଗୁଆଳ ? ରେସ୍‌ରେ ସପ୍ତଗିରି..

କିଛି ଦାୟିତ୍ୱ ନପାଇ ଅଭିମାନ କରିଛନ୍ତି ତାରା ବାହିନୀପତି । ନୂଆ ପିସିସି ସଭାପତିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ- ରାଜନୀତି ସମୀକ୍ଷକ ।

author-image
Satyendu Shekher Mishra
Odisha Congress

Odisha Congress

କିଏ ହେବେ ନୂଆ ପିସିସି ସଭାପତି ? ଯୁବ ନା ବରିଷ୍ଠଙ୍କୁ ମିଳିବ ମଙ୍ଗୁଆଳ ହେବାର ସୁଯୋଗ ? ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବା ସହ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ହଟିବା ପରେ ୟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୁହାଯାଉଛି ଓଡ଼ିଶା କଂଗ୍ରେସର ହେବ ନବକଳେବର। ଯେହେତୁ ୨୪ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ସାଙ୍ଗକୁ ପିସିସି ସଭାପତିଙ୍କ ୯ରୁ ୯୦ ସ୍ଲୋଗାନ୍ ଫସର ଫାଟି ଯାଇଛି। ତେଣୁ କଂଗ୍ରେସକୁ ବଳ ଦେବାକୁ ଏବେ ଜଣେ ଦକ୍ଷ ସଭାପତି ଖୋଜୁଛି ଦଳ।

Advertisment

ରେସରେ ସବୁଠୁ ଆଗରେ ଅଛନ୍ତି ଓଡିଶାରୁ କଂଗ୍ରେସର ମାନ ରଖିଥିବା ଓ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ସେହିପରି କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ବରିଷ୍ଠ ନେତା ଜୟଦେବ ଜେନା, ଭକ୍ତ ଦାସ, ଶ୍ରୀକାନ୍ତ ଜେନାଙ୍କ ନାଁକୁ ନେଇ ବି ଲାଗି ରହିଛି ଚର୍ଚ୍ଚା। ଏଣେ କଟକ ବାରବାଟୀ ବିଧାୟିକା ତଥା ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ଯୁକ୍ତି ବାଢ଼ିଛନ୍ତି ଉତ୍ତମ ଲୋକସଂପର୍କ ସହ କାମ କରିବାର ମାଇଣ୍ଡସେଟ୍ ରଖୁଥିବା ତାଙ୍କ ବାପାଙ୍କ ଭଳି ନେତାଙ୍କୁ ପିସିସି ସଭାପତି କରାଯିବା ଦରକାର। ତେଣେ ଜୟଦେବ କହିଛନ୍ତି ଯିଏ ଦଳ ପାଇଁ ସମସ୍ତଙ୍କୁ ନେଇ କାମ କରିପାରିବ ତାଙ୍କୁ ଏଆଇସିସି ଦାୟିତ୍ୱ ଦେବ।

୨୦୨୦ ମସିହାରେ ରାଜସ୍ଥାନ ଭଳି ୨୦୨୪ରେ ଓଡ଼ିଶାରେ ବି ନିର୍ବାଚନ ପରେ ସମାନ ଢଙ୍ଗରେ ରାଜ୍ୟ କଂଗ୍ରେସ ସଂଗଠନକୁ ଭାଙ୍ଗିଛି ଏଆଇସିସି। ତେବେ ଓଡ଼ିଶାରେ ଏଆଇସିସି ନିଷ୍ପତ୍ତି ପଛର କାରଣକୁ ନେଇ ଚାଲିଛି ଅନେକ ଚର୍ଚ୍ଚା ଆଲୋଚନା। ଗତ ନିର୍ବାଚନରେ କଂଗ୍ରେସର ଅଧିକାଂଶ ନେତା ବିଜେଡି ଓ ଅନ୍ୟ ଦଳ ସହ ସଂପର୍କରେ ରହି ଦଳକୁ କ୍ଷତି ପହଞ୍ଚାଇଥିବା ଆଲୋଚନା ହେଉଛି। ତାସହ ଦଳ ଭିତରୁ ବି ଅଧିକାଂଶ ନେତା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ ବି ଖୋଲାଖୋଲି ବିରୋଧ କରିଥିଲେ।

Advertisment

ଏବେ ନିର୍ବାଚନ ସରିଛି, ଫଳାଫଳ ବି ଆସିଛି। ୧୯ ନିର୍ବାଚନ ତୁଳନାରେ ୨୪ ନିର୍ବାଚନରେ ଦଳ ୫ ଟି ଆସନ ଅଧିକ ବି ପାଇଛି । ତଥାପି ଓଡ଼ିଶା କଂଗ୍ରେସରେ ଥମୁନି ମାନ ଅଭିମାନ। ଯାହାର ଉଦାହରଣ ଜୟପୁରର ୫ ଥରର ବିଧାୟକ ତାରା ପ୍ରସାଦ ବାହିନୀପତି। ସେ ଏଥର ପୁଣି ଜିତିଥିଲେ ବି ତାଙ୍କୁ ଦଳ କୌଣସି ଗୁରୁ ଦାୟିତ୍ୱ ଦେଇନି। ଫଳରେ ଏଆଇସିସି ନୂଆ ବିରୋଧୀଦଳ ନେତା ଭାବେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍ ଓ ଉପନେତା ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କୁ ବାଛିବା ପରେ ତାରା ଅଭିମାନ କରି ବିଧାୟକ ଦଳ ବୈଠକକୁ ବି ଯାଇନଥିବା କୁହାଯାଉଛି।

ଯଦିଓ ଏନେଇ ତାରା ବାହିନୀପତିଙ୍କ ପ୍ରତିକ୍ରିୟା ମିଳିନାହିଁ, ତେବେ ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି- ବ୍ଲକ୍ ରୁ ରାଜ୍ୟ ସ୍ତର ଯାଏଁ ଯିଏ ଦଳକୁ ସଂଗଠିତ କରିପାରିବ, ସେଭଳି ଲୋକକୁ ଏଆଇସିସି ଦାୟିତ୍ୱ ଦେବା ଦରକାର। ଏଣେ ରାଜିନୀତି ସମୀକ୍ଷକଙ୍କ ମତ- ନୂଆ ପିସିସି ସଭାପତି ଯିଏ ହେବେ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ।

ଯେଉଁ କଂଗ୍ରେସ ୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୧୬ ପ୍ରତିଶତ ଭୋଟ୍ ପାଇଥିଲା ୨୪ରେ ତାହା ୧୩ ପ୍ରତିଶତକୁ ଖସିଗଲା। ତେଣୁ ଏଭଳି ସ୍ଥିତିରେ କଂଗ୍ରେସକୁ ବଳ ଦେବାକୁ ଜଣେ ଦକ୍ଷ ନେତାଙ୍କୁ ପିସିସି ମୁଖିଆ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି ଦଳର ତୃଣମୂଳ ସ୍ତରର ନେତା ଓ କର୍ମୀ ।

BJD BJP Congress Odisha Politics
Advertisment
Advertisment