• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଛ କହୁଛି ମୋତେ କାଟନି । ନିଜ ସର୍ବନାଶକୁ ଡାକନି । ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଯେତିକି ତୀବ୍ର, ସ୍ଲୋଗାନ ବି ସେତିକି ଶାଣିତ । ଗତକାଲିଠୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।

ଆଜି ଗଛକୁ କୁଣ୍ଢେଇ ପ୍ରତିବାଦ କରିଥିଲେ ପ୍ରେରଣା ଅନୁଷ୍ଠାନର ସଭାପତି ଦିଲ୍ଲିପ ଶ୍ରୀଚନ୍ଦନ । ସେହିପରି ବିଧାୟକ ସୁରେଶ ରାଉତରାୟ ମଧ୍ୟ କ୍ଷୋଭ ପ୍ରକାଶ କରି ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ବାଚସ୍ପତିଙ୍କୁ ନିବେଦନ କରିଛନ୍ତି । ତେଣେ ବିଧାୟକଙ୍କ କ୍ୱାର୍ଟର୍ସ ସହରଠାରୁ ଦୂରରେ କରିବାରେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ ।

ଯେଉଁ ସବୁଜିମାର ମଶାଣିରେ ସୌଧ ନିର୍ମାଣ ପାଇଁ ସରକାରଙ୍କ ଏତେ ଆଗ୍ରହ ମାତ୍ର କେଇଦିନ ତଳେ ସେ ସ୍ଥାନ ଥିଲା ଜୀବନ୍ତ । ଏବେର ଦୃଶ୍ୟ ସହ ସେତେବେଳର ଦୃଶ୍ୟକୁ ତୁଳନା କଲେ ଛାତି ଥରି ଉଠୁଛି । ଶୀତଳ ଗଛ ଛାଇ, ତଳେ ଘାସ ଗାଲିଚାରେ ଘଣ୍ଟା ଘଣ୍ଟା ବସି ପାଠ ପଢୁଥିଲେ ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚାକିରୀ ଆଶାୟୀ ଛାତ୍ରଛାତ୍ରୀ ।

ଆଜି ବି କିଛି ପିଲା ଆଗକୁ କଟା ହେବାକୁ ବନ ବିଭାଗ ନମ୍ବରିଂ କରିଥିବା ଗଛ ମୂଳେ ବସି ପଢୁଥିଲେ । ହେଲେ ଏଗଛ ସବୁ ଆଉ ଦିନ କେଇଟାରେ ନିଶ୍ଚିହ୍ନ ହୋଇଯିବ ସେକଥା ଭାବିଲା ବେଳକୁ ଯେମିତି ବିଦାରି ହୋଇଯାଉଛି ସେମାନଙ୍କ ମନ ଓ ହୃଦୟ । ତେଣେ ବନ ବିଭାଗ ନମ୍ବରିଂ କରିଥିବା ଗଛ ଗୁଡ଼ିକରେ ଆଜି ଏମିତି ହୃଦୟସ୍ପର୍ଶୀ ଲେଖାର ପୋଷ୍ଟର ମାରିଛନ୍ତି ମହାନଦୀ ବଞ୍ଚାଓ ଆନ୍ଦୋଳନ ସହସ୍ୟ । କହିଛନ୍ତି ଗଛ କାଟିବାକୁ ଯିଏ ଆସିବ, ୟାକୁ ପଢ଼ି ଅତିକମ୍‌ରେ ତା ବିବେକ ଟିକକ ତ ଜାଗ୍ରତ ହେବ ।

ରବୀନ୍ଦ୍ର ମଣ୍ଡପଠୁ କମିଶନରେଟ୍ ପୋଲିସ ହେଡ୍‌କ୍ୱାର୍ଟର ଛକ, ତାରି ମଝିରେ ଇତିମଧ୍ୟରେ ବଳି ପଡ଼ିଲାଣି ପ୍ରାୟ ୩ ଶହରୁ ଅଧିକ ପୁରୁଣା ଓ ମୂଲ୍ୟବାନ ଗଛ । ଆଗକୁ ଆହୁରି ୫ଶହ ଗଛ କଟାଯିବାକୁ ଲକ୍ଷ୍ୟ ରହିଛି । ଶୀଘ୍ର ଏ କାମ ସରିଲେ ସେଠି ୨୭୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ୧୦ ମହଲା ଓ ୧୧ ମହଲା ଆପାର୍ଟମେଣ୍ଟ । ଯେଉଁଥିରେ ରହିବ ୩ ଶହ ବିଧାୟକ କ୍ୱାର୍ଟର । ହେଲେ ସେଥିପାଇଁ ଗଛକଟାକୁ ନେଇ ଆନ୍ଦୋଳନ ଦୁର୍ବାର ହେଉଥିବା ବେଳେ ଥାନାରେ ଏତଲା ମଧ୍ୟ ହେଲାଣି । ଗତକାଲିଠୁ ଗଛକଟା ବନ୍ଦ ରହିଥିଲେ ବି ଏଭଳି ସ୍ଥିତିରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାଉପରେ ସମସ୍ତଙ୍କ ନଜର ।