• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦି ଦିନ ତଳେ ରାତି ଅଧରେ, ଆଜି ଦିବାଲୋକରେ । ପୁରୀ ଏମାର ମଠ ଖନନ ସ୍ଥଳରେ ପୁଣି GPR ସର୍ଭେ । ସର୍ବେକ୍ଷଣରେ ୩ ମେସିନ୍, ୫ ଇଂଜିନିୟର ଓ ୮ କର୍ମଚାରୀ । ଯେଉଁଠୁ ଐତିହ୍ୟ ସିଂହମୂର୍ତ୍ତି ମିଳିଥିଲା ସେଇଠି ବି ସର୍ଭେ । ଦିନ ଗଡୁଛି ତ ବିବାଦ ବି ବଢୁଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ଆସୁଛି ନୂଆ ତଥ୍ୟ ନୂଆ ଅଭିଯୋଗ । ମନ୍ଦିରର ଶହେ ମିଟର ପରିଧିରେ କୌଣସି ନିର୍ମାଣ ପାଇଁ NMA ବି ଅନୁମତି ଦେଇନାହିଁ ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଛି ତଥ୍ୟ । ସେପଟେ ପୂର୍ବରୁ ରାତି ଅଧ ଭଳି ଆଜି ପୁଣି ଏମ୍‌ଆର ମଠ ପରିସରରେ ହୋଇଛି ଜିପିଆରଏସ୍ ସର୍ଭେ, ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ।

ସର୍ଭେରେ ନିୟୋଜିତ ଅଧିକାରୀ କହିଛନ୍ତି-ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ସର୍ଭେ ହୋଇଛି ଓ ଖୁବଶୀଘ୍ର ରିପୋର୍ଟ ଦିଆଯିବ । ତେବେ ପୂର୍ବରୁ ଏମାର ମଠ ପରିସରରେ ରାତି ଅଧରେ ଜିପିଆର୍‌ଏସ୍‌କୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ । ସେ ପଚାରିଛନ୍ତି-ଜିପିଆର୍‌ଏସ୍‌କୁ ନେଇ ଭୟଭୀତ ଥିଲେ କି ରାଜ୍ୟ ସରକାର ? ଦିନରେ ସର୍ଭେ କରିଥିଲେ ଲୋକେ ଜାଣିଥାନ୍ତେ ତେଣୁ ରାତିରେ କରାଗଲା କି ? ତାସହ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣକୁ ନେଇ ବିଶେଷଜ୍ଞ ଓ ସବୁ ପକ୍ଷଙ୍କ ସହ ଆଲୋଚନା କରିବା ଦରକାର ଥିଲା ବୋଲି ଦୋହରାଇଛନ୍ତି ଜଗଦଗୁରୁ ।

ତପଭୂମିକୁ ଭୋଗଭୂମି କରିବା ରାଜ୍ୟ ସରକାରଙ୍କ ଚିରାଚରିତ ଅଭ୍ୟାସ ବୋଲି ଶଙ୍କରାଚାର୍ଯ୍ୟ ଗୁରୁତର ଅଭିଯୋଗ ଆଣିବା ସହ ପ୍ରକଳ୍ପ ସମ୍ପର୍କରେ ତାଙ୍କଠାରୁ କୌଣସି ମତାମତ ନିଆଯାଇନଥିବା ବି କହିଥିଲେ । ଏସବୁ ଭିତରେ ଗତକାଲି ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଐତିହ୍ୟ ପ୍ରକଳ୍ପ ସମ୍ପର୍କରେ ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ବିସ୍ତୃତ ଭାବେ ଅବଗତ କରିଥିଲେ ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଆସିଛି ଏକ ସାଂଘାତିକ ତଥ୍ୟ । ମନ୍ଦିରର ଶହେ ମିଟର ପରିଧିରେ କୌଣସି ନିର୍ମାଣ ପାଇଁ ଅନୁମତି ଦେଇନାହିଁ NMA । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ମିଳିଛି ଏହି ସୂଚନା । ବଲାଙ୍ଗିରର ଆରଟିଆଇ କର୍ମୀ ଏନେଇ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନ୍ୟାସନାଲ ମୋନୁମେଣ୍ଟ ଅଥରିଟିରୁ ତଥ୍ୟ ମାଗିଥିଲେ । ଆଉ NMA ଦେଇଥିବା ଉତ୍ତରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଶ୍ରୀମନ୍ଦିରର ଶହେ ମିଟର ପରିଧିରେ ନିର୍ମାଣ ପାଇଁ ତାଙ୍କ ସଂସ୍ଥା କୌଣସି ନୋ ଅବଜେକ୍ସନ ସାର୍ଟିଫିକେଟ ଦେଇନାହିଁ । ତାସହ ଏବେ ଯେଉଁ ନିର୍ମାଣ ଚାଲିଛି, ଏଏସ୍‌ଆଇର ସମନ୍ୱୟରେ ତାହା ଚାଲିିଥିବା ବିଭାଗୀୟ ଡିଜି ରିପୋର୍ଟ ଦେଇଥିବା କହିଛନ୍ତି ହେମନ୍ତ ।

ତେଣେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଥମୁନି ରାଜନୀତି । ବିବାଦୀୟ ପ୍ରକଳ୍ପ କାମର ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଉଭୟ ରାଜ୍ୟ ସରକାର ଓ ଏଏସ୍‌ଆଇକୁ ଟାର୍ଗେଟ କରି ବିଜୟ କହିଛନ୍ତି, ଏଏସ୍‌ଆଇ ଠିକ୍ ଭାବେ ନିଜ ଦାୟିତ୍ୱ ତୁଲାଇ ନାହିଁ ନ ହେଲେ ଏତେ ବିବାଦ ହୋଇନଥାନ୍ତା । ମଠ ଉଚ୍ଛେଦ ବି ବେଆଇନ ଥିଲା, ଏହା ଆମ୍‌ସାର୍‌ ଆଇନର ଉଲ୍ଲଂଘନ । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ ।

ସେହିପରି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଉଭୟ ବିଜେଡି ଓ ବିଜେପି ରାଜନୀତି କରୁଛନ୍ତି । ଆଇନ କାନୁନ ଭିତରେ ବିକାଶ କାମ ହେଉ, ନହେଲେ କଂଗ୍ରେସ ଆନ୍ଦୋଳନ କରିବା ଉଚିତ୍ ।