• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାରି ଆଡୁ ବିରୋଧ । ରାଜନୈତିକ ଦଳଠୁ ନେଇ ସାମାଜିକ ସଙ୍ଗଠନ, କିଛି ଆଇନଜୀବୀ, ଐତିହାସିକ, ଗବେଷକ, ଏମିତିକି ଜଗଦ୍‌ଗୁରୁ ଶଙ୍କାରାଚାର୍ଯ୍ୟ ବି । ହେଲେ ତା ସତ୍ତ୍ୱେ ବି ନିୟମକୁ ଜଳାଞ୍ଜଳି ଦେଇ ଶ୍ରୀମନ୍ଦିର ଚାରିପାଖେ ଜୋର୍‌ସୋର୍‌ରେ ଚାଲିଛି ନିର୍ମାଣ । ଆଉ ଏହି ଭିତରେ ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ସୁପ୍ରିମ୍‌କୋର୍ଟରେ କେଶ୍ ଫାଇଲ୍ କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

ଏଥିସହ ସଂଗଠନ ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ କାମକୁ ନେଇ ବ୍ୟାପକ ଜନଜାଗରଣ ପାଇଁ ସଜ ହେଉଛି । ଏଥିପାଇଁ ବ୍ଲକ୍ ସ୍ତରରେ ଧାରଣା ସାଙ୍ଗକୁ ବୁଦ୍ଧିଜୀବୀ ସମ୍ମିଳନୀ, ମାତୃ ସମ୍ମଳନୀ, ସାଧୁସନ୍ଥ ସମ୍ମଳନୀ କରିବାକୁ ଯୋଜନା କରିଛି । ଯାହା ମାଧ୍ୟମରେ ଏଏସ୍‌ଆଇର ବିନା ଅନୁମତିରେ ଖନନ ଓ ନିର୍ମାଣ କାର୍ଯ୍ୟ, ଆଧ୍ୟାତ୍ମିକସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା, ସୌନ୍ଦର୍ଯ୍ୟକରଣ ନାଁରେ ଶହ ଶହ ବର୍ଷର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ଏବଂ ମନ୍ଦିର ପ୍ରତି ବିପଦ ଆଶଙ୍କାକୁ ନେଇ ସଂଗଠନ ଲୋକଙ୍କ ପାଖକୁ ଯିବ ।

ହେଲେ ଏଠି ପ୍ରଶ୍ନ ଏତେ ସବୁ ଭିତରେ ଆଗକୁ କଣ ହେବ ପ୍ରକଳ୍ପର ଭାଗ୍ୟ । ଏଏସ୍‌ଆଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏବେଠୁ କାମ ବନ୍ଦ କରିବ ନା କୋର୍ଟ ଅର୍ଡର ଯାଏଁ ଅପେକ୍ଷା କରିବ ? ବରିଷ୍ଠ ଆଇନଜୀବୀଙ୍କ ମତ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସୁପ୍ରିମ୍‌କୋର୍ଟ ମାମଲାଟିକୁ ଏବେ ଗ୍ରହଣ କରିନପାରନ୍ତି । ନିଷିଦ୍ଧାଞ୍ଚଳରେ ସବୁ ଆଇନ ଉଲଂଘନ ହୋଇଥିବାରୁ ନିଷ୍ପତ୍ତି ନେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

 

ସେପଟେ ଶ୍ରୀମନ୍ଦିର ପ୍ରକଳ୍ପ ବିବାଦକୁ ନେଇ ଚାରିଆଡୁ ସମାଲୋଚିତ ହେବା ପରେ ଏବେ ଏହାର ସମାଧାନ ପାଇଁ ଭରପୂର ପ୍ରୟାସରେ ଲାଗି ପଡ଼ିଛନ୍ତି ସରକାର । ଏତିକିବେଳେ ନିଆଁରେ ଘିଅ ଢାଳିଛନ୍ତି ବିଜେପି ସାଂସଦ ଅପରାଜିତ ଷଡଙ୍ଗୀ । କହିଛନ୍ତି ସରକାର ଭୁଲ୍ କରିଥିବାରୁ ଏବେ ଏହାର ଭରଣା ପାଇଁ ମ୍ୟାନେଜ୍ କରିବାକୁ ବାଧ୍ୟ । ସେପଟେ କଂଗ୍ରେସ ମଧ୍ୟ ତୁରନ୍ତ ଏହି ବିବାଦ ଉପରେ ନିଷ୍ପତ୍ତି ନେବାକୁ ଦାବି କରିଥିବା ବେଳେ ବିଜେଡି କହିଛି ଲୋକଙ୍କ ଭାବାବେଗକୁ ନେଇ ରାଜନୀତି କରିବାକୁ ଚାହୁଁଛନ୍ତି ବିରୋଧୀ । 

ଆଗକୁ ବର୍ଷା ଋତୁ, ରଥଯାତ୍ରା ବି ଆସୁଛି । ଏଭଳି ସ୍ଥିତିରେ ନିର୍ମାଣ ପାଇଁ ଖୋଳା ହୋଇଥିବା ବଡ଼ ବଡ଼ ଗାତରେ ପାଣି ଜମିଲେ ଉଭୟ ଶ୍ରୀମନ୍ଦିର ଏବଂ ରଥଯାତ୍ରାକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଲାଗି କିଭଳି ସମସ୍ୟା ଉପୁଜିବ ତାକୁ ନେଇ ବି ଶଙ୍କା । 

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ସିବିଆଇରେ ଫେରାଦ ହୋଇଛି ଶ୍ରୀ ଜଗନ୍ନାଥ ସେନା । ପୁରୀ ଜିଲ୍ଲାପାଳ, ASI, ଶ୍ରୀମନ୍ଦିର ପ୍ରଶାସନ,  TATA, OBCC ବିରୋଧରେ CBIରେ ଅଭିଯୋଗ କରିଛି ଶ୍ରୀ ଜଗନ୍ନାଥ ସେନା । NMAର ଜାଲ NOC ଚିଠି ସର୍ବ ସମ୍ମୁଖରେ ପ୍ରଦର୍ଶିତକରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରିରଖିଥିବା ସେନା ପକ୍ଷରୁ ସିବିଆଇରେ ଅଭିଯୋଗ କରାଯାଇଛି । CBI ମାମଲା ରୁଜୁ ନକଲେ ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ସେନା ।